ବିଶ୍ବ ପରିବେଶ ଦିବସ
ପ୍ରତିମାସ ଜୁନ୍ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି । ୧୯୭୩ ମସିହାରୁ ଦୀର୍ଘ ୪୯ ବର୍ଷ ଧରି ଏହି ଦିବସ ପାଳିତ ହେଉଛି । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ପରିବେଶ ପ୍ରତି ସକରାତ୍ମକ ଜନଜାଗ୍ରତତା ସୃଷ୍ଟି କରିବା ଏବଂ ପରିବେଶର ସୁରକ୍ଷା କରିବା। ୧୯୭୩ ମସିହାରେ ପ୍ରଥମ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା । ସାମୁଦ୍ରିକ ପ୍ରଦୂଷଣ, ଅଧିକ ଜନସଂଖ୍ୟା, ଗ୍ଲୋବାଲ୍ ଓ୍ୱାର୍ମିଂ, ସ୍ଥାୟୀ ବିକାଶ ଏବଂ ବନ୍ୟଜନ୍ତୁ ଅପରାଧ ଭଳି ପରିବେଶ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଉପରେ ସଚେତନତା ବୃଦ୍ଧି କରିବା ପାଇଁ ଏହା ଏକ ପ୍ଲାଟ୍ଫର୍ମ ରୂପେ କାର୍ଯ୍ୟ କରୁଛି । ଏହି ପ୍ଲାଟ୍ଫର୍ମକୁ ସମର୍ଥନ ଜଣାଇ ପ୍ରତିବର୍ଷ ୧୪୩ଟି ଦେଶ ଏହି ଦିବସକୁ ପାଳନ କରୁଛନ୍ତି। ଯୁକ୍ତରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଦିବସ ପାଳନ କରାଯାଉଛି । ଏହାକୁ ବହୁ ବେସରକାରୀ ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, ସରକାରୀ ସଂସ୍ଥାଗୁଡିକ ପକ୍ଷରୁ ସମର୍ଥନ ମିଳିଛିି । ମାନବ ପରିବେଶକୁ ନେଇ ୧୯୭୨ ମସିହା ଜୁନ୍ ୫ ତାରିଖରୁ ଯୁକ୍ତରାଷ୍ଟ୍ରସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଯୁକ୍ତରାଷ୍ଟ୍ରସଂଘର ଆସେମ୍ଲି ଦ୍ୱାରା ୧୯୭୨ ମସିହାରେ ଏହି ଦିବସକୁ ପ୍ରତିଷ୍ଠା କରାଯାଇଥିଲା। ଏହାର ଠିକ୍ ବର୍ଷେ ପରେ ୧୯୭୩ ମସିହାରେ କେବଳ ଗୋଟିଏ ପୃଥିବୀ ଶୀର୍ଷକ ଥିମ୍ ଉପରେ ପ୍ରଥମ ବିଶ୍ୱ ପରିବେଶ ଦିବସ ପାଳିତ ହେଲା।



