୪୦ ବର୍ଷରୁ ହସିନାହାନ୍ତି ମହିଳା
ଚେହେରାରେ କୁଞ୍ଚନ ବା ରିଙ୍କଲ୍ସ ପଡ଼ିବା ଭୟରେ ଜଣେ ମହିଳା ବିଗତ ପ୍ରାୟ ୪୦ ବର୍ଷ ହେବ ହସିନାହାନ୍ତି । ମହିଳାଙ୍କ ମତରେ, ବାରମ୍ବାର ହସିବା କିମ୍ବା ଚେହେରାର ହାବଭାବ ବଦଳାଇବା ଦ୍ୱାରା ସମୟ ସହିତ ମୁହଁରେ ଫାଇନ୍ ଲାଇନ୍ସ ଏବଂ କୁଞ୍ଚନ ସୃଷ୍ଟି ହୋଇଥାଏ । ସେଥିପାଇଁ ସେ କମ୍ ବୟସରୁ ହିଁ ନିଜ ଚେହେରାର ଏକ୍ସପ୍ରେସନକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଦେଇଥିଲେ । ଏହି ନିଆରା ଅଭ୍ୟାସ ଯୋଗୁଁ ତାଙ୍କ ଚେହେରା ଅଧିକ ସତେଜ ଦେଖାଯାଉଛି ଏବଂ ତାଙ୍କୁ କୌଣସି କସମେଟିକ ଟ୍ରିଟମେଣ୍ଟ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ମାତ୍ର ଅପରପକ୍ଷରେ, କୁଞ୍ଚନରୁ ବଞ୍ଚିବା ପାଇଁ ନିଜର ହସଖୁସିକୁ ଜଳାଞ୍ଜଳି ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସୋସିଆଲ ମିଡିଆରେ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି । ଚର୍ମ ବିଶେଷଜ୍ଞଙ୍କ ଅନୁଯାୟୀ, ତ୍ୱଚାର ବୟସ ବଢ଼ିବା କ୍ଷେତ୍ରରେ କେବଳ ଚେହେରାର ଏକ୍ସପ୍ରେସନ ନୁହେଁ ବରଂ ଜେନେଟିକ୍ସ, ସୂର୍ଯ୍ୟକିରଣ, ଜୀବନଶୈଳୀ, ଧୂମ୍ରପାନ, ହାଇଡ୍ରେସନ ଏବଂ ସ୍କିନକେୟାର ଭଳି ଅନ୍ୟାନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କଥାର ଭୂମିକା ସବୁଠାରୁ ଅଧିକ ରହିଥାଏ ।




