ଶୀତକାଳୀନ କାର୍ଯ୍ୟାନୁଷ୍ଠାନ ଯୋଜନା
ସରକାରଙ୍କ ପକ୍ଷରୁ ଲାଗୁହୋଇଥିବା ଶୀତକାଳୀନ କାର୍ଯ୍ୟାନୁଷ୍ଠାନ ଯୋଜନା ଅଧୀନରେ ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ପୁରୁଣା ତଥା ଅଧିକ ପ୍ରଦୂଷଣକାରୀ ଯାନଗୁଡ଼ିକର ପ୍ରବେଶ ଉପରେ କଟକଣା ଲଗାଯାଇଛି । ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିବା ଯାନବାହାନକୁ ଇନ୍ଧନ ଯୋଗାଇବାକୁ ମନା କରାଯାଇଛି । ଧୂଳି ସୃଷ୍ଟି କରୁଥିବା ନିର୍ମାଣ ଓ ଭଙ୍ଗାରୁଜା କାର୍ଯ୍ୟକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ବ୍ୟକ୍ତିଗତ ଯାନବାହାନ ବ୍ୟବହାରକୁ ହ୍ରାସ କରିବା ପାଇଁ ସରକାର ଘରୋଇ ସଂସ୍ଥାଗୁଡ଼ିକୁ ସେମାନଙ୍କର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ ବା ୱର୍କ ଫ୍ରମ ହୋମ୍ କରିବାକୁ ଅନୁମତି ଦେବାକୁ ପରାମର୍ଶ ଦେଇଛନ୍ତି । ନିଜ କର୍ମଚାରୀଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟାଳୟ ସମୟସୀମା ଲାଗୁ କରିଛନ୍ତି ଏବଂ ପାର୍କିଂ ଶୁଳ୍କକୁ ଦୁଇଗୁଣିତ କରିଛନ୍ତି । ଏହାସହ ପ୍ରଦୂଷଣ ଅନୁଧ୍ୟାନ ଓ ନିୟମ କଡ଼ାକଡ଼ି ପାଳନ ସହ ସାର୍ବଜନୀନ ପରିବହନ ଓ ବୈଦ୍ୟୁତିକ ଯାନ ବା ଇଭିର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ ବୋଲି ସରକାର କହିଛନ୍ତି । ଏହି ପଦକ୍ଷେପଗୁଡ଼ିକ କେନ୍ଦ୍ରୀୟ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ଦ୍ୱାରା ପରିଚାଳିତ 'ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍' ଠାରୁ ପୃଥକ୍ । 'ଗ୍ରାପ୍' ପ୍ରଦୂଷଣ ସ୍ତର ବୃଦ୍ଧି ଅନୁଯାୟୀ ପର୍ଯ୍ୟାୟକ୍ରମେ କଡ଼ା କଟକଣା ଲାଗୁ କରିଥାଏ । ବର୍ତ୍ତମାନସୁଦ୍ଧା ଏହାର ଦ୍ୱିତୀୟ ପର୍ଯ୍ୟାୟ ବଳବତ୍ତର ରହିଛି, ଯାହା ଅଧୀନରେ ଡିଜେଲ ଜେନେରେଟର ବ୍ୟବହାର ଏବଂ କୋଇଲା ଓ ଜାଳେଣି କାଠ ପୋଡ଼ିବା ଉପରେ କଟକଣା ଲଗାଯାଇଛି । ବିଶେଷଜ୍ଞଙ୍କ ମତରେ, କାଗଜପତ୍ରରେ ଏହି ଯୋଜନାଗୁଡ଼ିକ ବୃଦ୍ଧି ପାଉଥିବା ପ୍ରଦୂଷଣର ମୁକାବିଲା ପାଇଁ ଏକ ସ୍ପଷ୍ଟ ମାର୍ଗଦର୍ଶିକା ପ୍ରଦାନ କରୁଥିଲେ ବି, ଏହାର ସଫଳତା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରିତା ଉପରେ ନିର୍ଭର କରେ। ତେଣୁ ଏହାର କାର୍ଯ୍ୟକାରିତାକୁ ଖୁବ ଗୁରୁତ୍ବପୂର୍ଣ୍ଣ ସହକାରେ କରିବାକୁ ହେବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ସେହିଭଳି ଯଦି ପ୍ରଦୂଷଣ କମାଇବାର ଅଛି, ତେବେ କେବଳ ଯାନବାହାନ ପ୍ରବେଶ, ନିର୍ମାଣ କାର୍ଯ୍ୟ କିମ୍ବା ନଡ଼ା ପୋଡ଼ିବା ନୁହେଁ, ବରଂ ବିଦ୍ୟୁତ୍ ଉତ୍ପାଦନ, ଶିଳ୍ପ ଏବଂ ପରିବହନ ସମେତ ପ୍ରତ୍ୟେକ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ହେବବୋଲି ସେମାନେ ମତ ଦେଉଛନ୍ତି । କେଉଁ କ୍ଷେତ୍ର ଏବଂ କେଉଁ ରାଜ୍ୟ କେତେ ପ୍ରଦୂଷଣ କରୁଛନ୍ତି ତାହାକୁ ଅନୁଧ୍ୟାନ କରି ସେହି ଅନୁଯାୟୀ ପଦକ୍ଷେପ ନେବାକୁ ପଡିବ । କେବଳ ଜୈବବସ୍ତୁ ପୋଡ଼ିବା କିମ୍ବା ଯାନବାହାନ ଯୋଗୁଁ ପ୍ରଦୂଷଣ ହୁଏନାହିଁ । ଭୂମିରୁ ଉଡ଼ୁଥିବା ଧୂଳି, କୋଇଲା, ଫ୍ଲାଇ ଆଶ୍, ଇଟାଭାଟିରେ ପୋଡ଼ାଯାଉଥିବା ସାମଗ୍ରୀ ଏବଂ ସହରାଞ୍ଚଳର ବର୍ଜ୍ୟବସ୍ତୁକୁ ବ୍ୟାପକ ଭାବେ ପୋଡ଼ିବା ମଧ୍ୟ ଏହି ସମସ୍ୟାର ପ୍ରମୁଖ କାରଣ । ତେଣୁ ଏ ସମସ୍ତ ଦିଗରେ କାର୍ଯ୍ୟକରିବାକୁ ହେବ ବୋଲି ପରିବେଶବିଦ ପରାମର୍ଶ ଦେଉଛନ୍ତି । ଦିଲ୍ଲୀର ପ୍ରଦୂଷଣ ସମସ୍ୟା ସହର ବାହାରେ ଘଟୁଥିବା ଘଟଣାବଳୀ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ। ପଡ଼ୋଶୀ ରାଜ୍ୟ ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ଅଞ୍ଚଳରୁ ପ୍ରଦୂଷକଗୁଡ଼ିକ ଦିଲ୍ଲୀକୁ ଆସି ସ୍ଥିତିକୁ ଅଧିକ ସଙ୍ଗୀନ କରିଦିଅନ୍ତି । ଏହାର ଅର୍ଥ ହେଉଛି କେବଳ ଦିଲ୍ଲୀ ଦ୍ୱାରା ନିଆଯାଉଥିବା ପଦକ୍ଷେପର ସୀମିତ ପ୍ରଭାବ ରହିବ । ଏହି ସମସ୍ୟାର ସମାଧାନ ପାଇଁ ପଡ଼ୋଶୀ ରାଜ୍ୟ ଏବଂ ସମ୍ପୂର୍ଣ୍ଣ ଉତ୍ତର ଭାରତୀୟ ଅଞ୍ଚଳକୁ ଏକାଠି ମିଶି କାମ କରିବାକୁ ହେବ ବୋଲି ମତ ପ୍ରକାଶ ପାଇଛି ।
ଘଟିଥାଏ ସ୍ବାସ୍ଥ୍ୟ ହାନି
ଏହି ସମୟ ମଧ୍ୟରେ ପ୍ରଦୂଷଣ ଦୈନନ୍ଦିନ ଲୋକଙ୍କ ସ୍ୱାସ୍ଥ୍ୟହାନି ଘଟାଉଛି। ଶୀତଦିନେ ଦିଲ୍ଲୀର ସରକାରୀ ମନିଟରିଂ ଷ୍ଟେସନଗୁଡ଼ିକରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ପ୍ରାୟତଃ ୩୦୦ ରୁ ଅଧିକ ରେକର୍ଡ କରାଯାଇଥାଏ, ଯାହା 'ଅତ୍ୟନ୍ତ ଖରାପ' ଶ୍ରେଣୀଭୁକ୍ତ। ଅତି ଭୟଙ୍କର ଦିନଗୁଡ଼ିକରେ ଏହି ସୂଚକାଙ୍କ ୫୦୦ ରେ ପହଞ୍ଚିଯାଏ, ଯାହା ଭାରତୀୟ ମାପଦଣ୍ଡର ସର୍ବୋଚ୍ଚ ସୀମା। ଏହାର ଅର୍ଥ ପ୍ରଦୂଷଣ ଏହାଠାରୁ ଅଧିକ ବଢ଼ିପାରିବ ନାହିଁ ତାହା ନୁହେଁ, ବରଂ ଦେଶୀୟ ଟ୍ରାକରଗୁଡ଼ିକ ଏହାଠାରୁ ଅଧିକ ରେକର୍ଡ କରିପାରନ୍ତି ନାହିଁ। ସୁଇଜରଲ୍ୟାଣ୍ଡ ଭିତ୍ତିକ ଆଇକ୍ୟୁଏଆଇ ଭଳି ଆନ୍ତର୍ଜାତୀୟ ଟ୍ରାକରଗୁଡ଼ିକ କେତେକ ଦିନରେ ଏହି ସୂଚକାଙ୍କ ୧,୦୦୦ ପାଖାପାଖି ଥିବା ରେକର୍ଡ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁପାରିଶ ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ହାରାହାରି ପିଏମ୨.୫ସ୍ତର ପ୍ରତି ଘନ ମିଟରରେ ୧୫ ମାଇକ୍ରୋଗ୍ରାମରୁ ଅଧିକ ହେବା ଉଚିତ ନୁହେଁ। ମାତ୍ର ଦିଲ୍ଲୀରେ ପ୍ରଦୂଷଣ ଋତୁରେ ଏହି ସ୍ତର ପ୍ରାୟତଃ ଧାର୍ଯ୍ୟ ସୀମାଠାରୁ ୨୫ ଗୁଣରୁ ଅଧିକ ରହିଥାଏ। ସ୍ବସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଅତି ସୂକ୍ଷ୍ମ କଣିକାଗୁଡ଼ିକ "ଫୁସଫୁସ୍ ର ଗଭୀରତାକୁ ପ୍ରବେଶ କରି ରକ୍ତପ୍ରବାହରେ ମିଶିଯାଆନ୍ତି । ଯାହାଦ୍ୱାରା ଶରୀରରେ ପ୍ରଦାହ ବା ଇନଫ୍ଲାମେସନ୍ ସୃଷ୍ଟି ହୁଏ ଏବଂ ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥାଏ । ଅଳ୍ପସମୟ ପାଇଁ ସଂସ୍ପର୍ଶରେ ଆସିଲେ ବି ଗଳା ଜଳାପୋଡା, କାଶ, ଏବଂ ଅଣନିଶ୍ୱାସୀ ଅନୁଭୂତ ହୋଇପାରେ । ଏହା ପୂର୍ବରୁ ଥିବା ହୃଦରୋଗ ଓ ଫୁସଫୁସ୍ ଜନିତ ସମସ୍ୟାକୁ ଆହୁରି ଗମ୍ଭୀର କରିଦିଏ । ସିକାଗୋ ବିଶ୍ୱବିଦ୍ୟାଳୟର 'ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍' ଦ୍ୱାରା ପ୍ରକାଶିତ ୨୦୨୫ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ଦିଲ୍ଲୀବାସୀଙ୍କ ହାରାହାରି ଜୀବନକାଳକୁ ୮.୨ ବର୍ଷ ପର୍ଯ୍ୟନ୍ତ କମାଇଦେଇପାରେ । ଏଠଆରେ ରହୁଥିବା ଲୋକଙ୍କ ପାଇଁ ଏହି ଆହ୍ୱାନ କେବଳ ନିଶ୍ୱାସ ପ୍ରଶ୍ୱାସରେ ସୀମିତ ନୁହେଁ; ଲଗାଯାଉଥିବା କଟକଣା ସେମାନଙ୍କ ଦୈନନ୍ଦିନ ଜୀବନଯାତ୍ରାକୁ ବ୍ୟାହତ କରୁଛି । ସାଧାରଣତଃ ଦିଲ୍ଲୀ ନୋଏଡ଼ା ଏବଂ ଗୁରୁଗ୍ରାମ ସହ ନିବିଡ଼ ଭାବେ ଯୋଡ଼ିହୋଇଛି, ଯେଉଁଠାରୁ ପ୍ରତିଦିନ ହଜାର ହଜାର ଲୋକ ଜୀବିକା ପାଇଁ ଯାତାୟାତ କରନ୍ତି । ସୀମାରେ ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରାଯାଉଥିବାରୁ ଦିଲ୍ଲୀ ସୀମାନ୍ତରେ ଲମ୍ବା ଧାଡ଼ି ଜମୁଛି ଏବଂ ନାଗରିକମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମରେ ଫସି ରହୁଛନ୍ତି । ପ୍ରତିସମୟରେ ଲାଗୁ ହେଉଥିବା ନୂଆ ନିୟମଗୁଡ଼ିକ କିଛିଟା ଆଶା ସଞ୍ଚାର କରୁଥିଲେ ବି, ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ସରକାରୀ ପଦକ୍ଷେପ ସତ୍ତ୍ୱେ ପ୍ରତି ଶୀତଦିନେ ପ୍ରଦୂଷଣ ଫେରିଆସୁଛି । ଯେଉଁଥିପାଇଁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ବାହାରକୁ ଯିବାକୁ ମଧ୍ୟ ଡର ଲାଗୁଛି । ଅଫିସ, ସ୍କୁଲ, କଲେଜ ଓ ବଜାର ଯେପରି ସେମାନଙ୍କ ପାଇଁ ମରଣଯନ୍ତା ପାଲଟି ଯାଉଛି । ବାହାରକୁ ଯିବା ମାନେ ନିଜକୁ ବିଷ ବଳୟ ଭିତରକୁ ଠେଲିଦେବା ଭଳି ହେଉଛି, ଯାହାକୁ ନେଇ ଦିଲ୍ଲୀବାସୀଙ୍କ ଭିତରେ କ୍ଷୋଭ ବଢିବାରେ ଲାଗୁଛି ।




