ଇଚ୍ଛାଶକ୍ତି ଆଗରେ ହାରମାନେ ଅକ୍ଷମତା
ଦୃଢ ଇଚ୍ଛାଶକ୍ତିଥିଲେ କୌଣସି କାର୍ଯ୍ୟ ଅସମ୍ଭବ ହୋଇନଥାଏ । ତେବେ ଏହି ଉକ୍ତିକୁ ପ୍ରମାଣ କରିଛନ୍ତି ରୁଷର ଜଣେ ଆଥଲେଟ । ସୂଚନା ଅନୁସାରେ ପ୍ରସିଦ୍ଧ ରୁଷୀୟ ପାରାଟ୍ରୁପର ତଥା ଡବଲ୍ ଏମ୍ପ୍ୟୁଟି ଆଥଲେଟ୍ ରୁସ୍ତମ୍ ନାବିଭ୍ କୌଣସି କୃତ୍ରିମ ଗୋଡ଼ର ସାହାଯ୍ୟ ନନେଇ ଏଭରେଷ୍ଟ ଚଢିଛନ୍ତି । ସେ କେବଳ ନିଜ ଶରୀରର ଉପର ଭାଗର ଶକ୍ତି ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ୮,୮୪୯ ମିଟର ଉଚ୍ଚ ବିଶିଷ୍ଟ ମାଉଣ୍ଟ ଏଭରେଷ୍ଟ ଶୃଙ୍ଗ ଜୟ କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ସୂଚନା ଅନୁଯାୟୀ, ୨୦୧୫ ମସିହାରେ ଏକ ସେନା ବ୍ୟାରେକ୍ ଭାଙ୍ଗିଯିବା କାରଣରୁ ରୁସ୍ତମ୍ ନିଜର ଦୁଇଟିଯାକ ଗୋଡ଼ ହରାଇଥିଲେ ମଧ୍ୟ ସେ କେବେ ହାର୍ ମାନିନଥିଲେ । ପର୍ବତାରୋହଣକୁ ନିଜ ଜୀବନର ଲକ୍ଷ୍ୟ ଭାବେ ବାଛି ପ୍ରଥମେ ରୁଷ ଓ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ୍ ଏବଂ ପରେ ୨୦୨୧ ମସିହାରେ ନେପାଳର ୮,୧୬୩ ମିଟର ଉଚ୍ଚ ମାଉଣ୍ଟ ମନାସଲୁ ସଫଳତାର ସହ ଆରୋହଣ କରିଥିଲେ । ଏହି କ୍ରମରେ ଗତ ୨୧ ମଇ ୨୦୨୬ରେ କୌଣସି କୃତ୍ରିମ ଗୋଡ଼ ବିନା ଏଭରେଷ୍ଟ ଶୀର୍ଷରେ ପହଞ୍ଚିବାରେ ସେ ସାରା ବିଶ୍ୱର ପ୍ରଥମ ବ୍ୟକ୍ତି ହେବାର ଗୌରବ ଅର୍ଜନ କରି ଏକ ନୂଆ ଇତିହାସ ରଚନା କରିଛନ୍ତି ।




