ସୁରକ୍ଷା ଦେବେ ଅସରପା

ସୁରକ୍ଷା ଦେବେ ଅସରପା
Ipsita Picture
By: Ipsita
Published On

 

ଅସରପା ଏଭଳି ଏକ ଜୀବ ଯିଏ ଯେ କୌଣସି ପରିସ୍ଥିତିରେ ବି ଜୀବନ୍ତ ରହିପାରେ, ତେଣୁ ଏହି ଜୀବକୁ ବର୍ତ୍ତମାନ ମଣିଷର ସୁରକ୍ଷା ପାଇଁ ବ୍ୟବହାର କରାଯିବାକୁ ଯୋଜନା କରାଯାଉଛି । ଭବିଷ୍ୟତରେ ଭୂକମ୍ପ କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଜୀବନ୍ତ ମଣିଷମାନଙ୍କୁ ଉଦ୍ଧାର କରିବାରେ ଅସରପା ପ୍ରମୁଖ ଭୂମିକା ଗ୍ରହଣ କରିବେ। ସିଙ୍ଗାପୁରର ନାନୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ପ୍ରକାରର 'ସାଇବୋର୍ଗ ଅସରପା' ବିକଶିତ କରିଛନ୍ତି, ଯାହା ଅଧା ଜୀବନ୍ତ କୀଟ ଏବଂ ଅଧା ରୋବୋଟ୍ ଭାବେ କାର୍ଯ୍ୟ କରିବ ।  ମାଡାଗାସ୍କାର ହିସିଙ୍ଗ୍ ଅସରପାଙ୍କ ପିଠିରେ ଏକ ଛୋଟ ଇଲେକ୍ଟ୍ରୋନିକ ଡିଭାଇସ୍ ବା 'ବ୍ୟାକପ୍ୟାକ୍' ଲଗାଯାଇ ସେମାନଙ୍କ ସ୍ନାୟୁ ପ୍ରଣାଳୀକୁ ହାଲୁକା ବୈଦ୍ୟୁତିକ ସଙ୍କେତ ଦ୍ୱାରା ନିୟନ୍ତ୍ରଣ କରାଯିବ । ଏହି ଅସରପାମାନଙ୍କ ଶରୀରରେ କ୍ୟାମେରା, ଟର୍ଚ୍ଚ ଏବଂ ମାନବ ଶରୀରର ଉତ୍ତାପ ଚିହ୍ନଟ କରିବା ପାଇଁ ଇନଫ୍ରାରେଡ୍ ସେନସର ଖଞ୍ଜା ଯାଇଛି । ଯାହାଦ୍ୱାରା ସେମାନେ ଅତ୍ୟନ୍ତ ସଂକୀର୍ଣ୍ଣ ସ୍ଥାନ ଏବଂ ମାଟିତଳେ ପଶି ଫସି ରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେଇପାରିବେ । ସୂଚନାଯୋଗ୍ୟ ଯେ, ମିଆଁମାରରେ ହୋଇଥିବା ଭୂକମ୍ପ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଏହି ସାଇବୋର୍ଗ ଅସରପାମାନଙ୍କୁ ପ୍ରଥମ ଥର ପାଇଁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଥିଲା ।

Tags: