ଓଡ଼ିଶାରେ କେଉଁ ଜିଲ୍ଲା ମକର ସଂକ୍ରାନ୍ତି ପାଇଁ ପ୍ରସିଦ୍ଧ

ମକର ସଂକ୍ରାନ୍ତି ଏକ ଜାତୀୟ ପର୍ବ ହୋଇଥିଲେ ମଧ୍ୟ ଓଡ଼ିଶାରେ ମୁଖ୍ୟ ପର୍ବ ମାନଙ୍କ ମଧ୍ୟରୁ ଅନ୍ୟତମ I ମକରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଳା ହୁଏ I ଏହାକୁ ଗଙ୍ଗା ସାଗର ମେଳା ମଧ୍ୟ କୁହା ଯାଏ I ମକର ମେଳା କଟକ ସ୍ଥିତ ଧବଳେଶ୍ୱର, ଖୋର୍ଦ୍ଧା ଅଟ୍ରିରେ ହଟକେଶ୍ୱର,ବାଲେଶ୍ୱରରେ ମକର ମୁନି ମନ୍ଦିର ଏବଂ ଓଡିଶାର ପ୍ରତ୍ୟେକ ଜିଲ୍ଲାର ପ୍ରତିଷ୍ଠିତ ଦୈବ ସ୍ଥଳୀ ଗୁଡିକରେ ଏହି ମେଳା ଲାଗିଥାଏ I ମଆକାର ସଂକ୍ରାନ୍ତିରେ ପୁରୀରେ […]

Samaya Live Picture
Published On

ମକର ସଂକ୍ରାନ୍ତି ଏକ ଜାତୀୟ ପର୍ବ ହୋଇଥିଲେ ମଧ୍ୟ ଓଡ଼ିଶାରେ ମୁଖ୍ୟ ପର୍ବ ମାନଙ୍କ ମଧ୍ୟରୁ ଅନ୍ୟତମ I ମକରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଳା ହୁଏ I ଏହାକୁ ଗଙ୍ଗା ସାଗର ମେଳା ମଧ୍ୟ କୁହା ଯାଏ I ମକର ମେଳା କଟକ ସ୍ଥିତ ଧବଳେଶ୍ୱର, ଖୋର୍ଦ୍ଧା ଅଟ୍ରିରେ ହଟକେଶ୍ୱର,ବାଲେଶ୍ୱରରେ ମକର ମୁନି ମନ୍ଦିର ଏବଂ ଓଡିଶାର ପ୍ରତ୍ୟେକ ଜିଲ୍ଲାର ପ୍ରତିଷ୍ଠିତ ଦୈବ ସ୍ଥଳୀ ଗୁଡିକରେ ଏହି ମେଳା ଲାଗିଥାଏ I ମଆକାର ସଂକ୍ରାନ୍ତିରେ ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି କରାଯାଏ I

ମକର ପର୍ବ ହେଉଛି ଓଡ଼ିଶାର ଉତ୍ତରାଞ୍ଚଳରେ, ବିଶେଷତଃ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀମାନଙ୍କର ଏକ ପ୍ରଧାନ ପର୍ବ । ଏହି ଅଞ୍ଚଳରେ ବସ ବାସ କରୁ ଥିବା କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ଟୁସୁ ପରବ ରୂପେ ପାଳନ କରିଥା’ନ୍ତି । ଏହି ଦିନ ସେମାନେ ଟୁସୁ ଦେବୀଙ୍କୁ ପୂଜା କରିଥାନ୍ତି I ଏହାପରେ ଟୁସୁ ମାତାଙ୍କୁ ଠାକୁରାଣୀ ବେଶରେ ସଜାଇ ମହିଳା ଓ କୁମାରୀ ଝିଅ ମାନେ ଗୀତ ଗାଇ ସାହି ସାହି ବୁଲି ଥାନ୍ତି I ସେମାନେ ଟୁସୁ ମାତାଙ୍କୁ ନେଇ ଯାହା ଘରକୁ ଯାଆନ୍ତି ସେମାନେ ଟୁସୁ ଦେବୀଙ୍କୁ ବନ୍ଦାପନା କରି ଭୋଗ ଅର୍ପଣ କରନ୍ତି I ପର୍ବର ଟୁସୁଗୀତ ଅତ୍ୟନ୍ତ ହୃଦୟସ୍ପର୍ଶୀ । ମକର ପରେ ଟୁସୁ ଦେବୀଙ୍କୁ ନଦୀ କିମ୍ବା ପୋଖରୀ ପାଣିରେ ବିସର୍ଜନ କରନ୍ତି I

ମୟୁରଭଞ୍ଜ ଓ କେନ୍ଦୁଝରରେ ମକର ପର୍ବ ୫ ରୁ ୬ ଦିନ ଧରି ପାଳନ କରାଯାଏ I ଏହି ପର୍ବ ପାଳନ ପାଇଁ ଘରେ ଘରେ କୁଣିଆ ବନ୍ଧୁ ଭର୍ତି ହୋଇ ଥାନ୍ତି ଏ ପରିକି ଘରର ସଦସ୍ୟ ମାନେ ଯଦି ବାହାରେ କେଉଁଠି କାର୍ଯ୍ୟରତ ଥାନ୍ତି, ସେମାନେ ମକର ସଂକ୍ରାନ୍ତି ପୂର୍ବରୁ ଘରକୁ ଫେରି ଆସନ୍ତି I

ମକର ପୂର୍ବରୁ ଓ ପରେ ସମସ୍ତଙ୍କ ଘରେ ଭିନ୍ନଭିନ୍ନ ପ୍ରକାର ବ୍ୟଞ୍ଜନ ବିଭିନ୍ନ ଦିନରେ ହୋଇଥାଏ । ଏହି ପର୍ବରେ ସମସ୍ତେ ନୂଆବସ୍ତ୍ର ପରିଧାନ କରନ୍ତି । ନାଚଗୀତ ଓ ଭୋଜିଭାତରେ ମାଧ୍ୟମରେ ଏହିପର୍ବକୁ ମହା ଆନନ୍ଦରେ ଆଦିବାସୀମାନେ ପାଳନ କରିଥା’ନ୍ତି । ଓଡ଼ିଶାର ସମତଳ ଅଞ୍ଚଳ ଅପେକ୍ଷା ମାଳ ଅଞ୍ଚଳରେ ମକର ଯାତ୍ରା ବଡ଼ ଜାକଜମକକରେ ଦୀର୍ଘଦିନ ଧରି ପାଳନ କରାଯାଏ । କୁଡୁମି ବା ମହାନ୍ତ ସମ୍ପ୍ରଦାୟ ମାନେ ମକରେ ଏକ ବିଶେଷ ପିଠା ପ୍ରସ୍ତୁତ କରନ୍ତି I ଚାଉଳ ଗୁଣ୍ଡ ସହିତ କଷା ହୋଇଥିବା ମାଂସ ମିଶାଇ ଏହି ପିଠା ପ୍ରସ୍ତୁତ କରାଯାଇଥାଏ I ଏହା ବାଦ ମକର ସମୟରେ ଆଖୁ ପେଡା ସରିଥିବାରୁ ନୂଆ ଗୁଡ଼ ବାହାରି ଥାଏ I ତେଣୁ ଏହିଦିନ ଘରେ ଘରେ ତିଳ ମିଶା ଆରିଷା ପୀଠା ବାସ୍ନାରେ ସାହି ସାହି ମହକୁ ଥାଏ I

ମୟୁରଭଞ୍ଜ ଓ କେଉଁଝରରେ ପ୍ରାୟ ପ୍ରତ୍ୟେକ ଲୋକ ଏହି ପର୍ବକୁ ମହା ଆନନ୍ଦରେ ପାଳନ କରନ୍ତି । ଏହି ସମୟରେ ଆଦିବାସୀ ଅଞ୍ଚଳଗୁଡିକ ଯାତ୍ରା ମେଳଣର ଆମୋଦପ୍ରମୋଦରେ ଜୀବନ୍ତ ହୋଇଉଠେ । ବିଶେଷ କରି ମୟୁରଭଞ୍ଜ ଓ କେଉଁନ୍ଦୁଝର ଜିଲ୍ଲାରେ ମକର ସମୟରେ କୁକୁଡ଼ା ଲଢେଇ କରିବାର ଏକ ପରମ୍ପରା ରହିଛି I ଗଞ୍ଜା କୁକୁଡ଼ା ଗୋଡ଼ରେ କାତି (ଧାରୁଆ ଅସ୍ତ୍ର) ବାନ୍ଧି ଲଢେଇ କରାଯାଏ I ଲଢେଇ କରିବାକୁ ଥିବା କୁକୁଡ଼ା କୁ କିଛି ଦିନ ପୂର୍ବରୁ କିଣି ଘରେ ରଖା ଯାଇଥାଏ I ଏହାକୁ ପ୍ରତ୍ୟକ ଦିନ ଅଇଁଠା ଭାତ ସହିତ ଲବଙ୍ଗ ଓ କଞ୍ଚା ଲଙ୍କା କାଟି ଖାଇବାକୁ ଦିଆ ଯାଏ,ଏମିତି କଲେ କଲେ କୁକୁଡ଼ା ଲଢ଼ିବା ପୂର୍ବରୁ ଅଧିକ ରାଗି ଓ ବଳଶାଳୀ ହୁଏ ବୋଲି ବିଶ୍ୱାସ ରହିଛି I ସେହି ସମୟରେ ଲଢେଇ କରିବାକୁ ଥିବା କୁକୁଡ଼ା ମାନଙ୍କର ଦର ଆକାଶ ଛୁଆଁ ରହିଥାଏ I ଏପରିକି କିଛି କିଛି କୁକୁଡ଼ାଙ୍କୁ ନିଲାମ କରି କିଣା ଯାଇଥାଏ I ସେହିପରି କୁକୁଡ଼ା ଲଢେଇ ଦେଖିବାକୁ ଛକ ଜାଗା ମାନଙ୍କରେ ଭିଡ଼ ଦେଖିବାକୁ ମିଳିଥାଏ I ତେବେ ବର୍ତ୍ତମାନ ସରକାରୀ କଟକଣା ରହିଥିଲେ ମଧ୍ୟ,କିଛି କିଛି ଜିଲ୍ଲା ମାନଙ୍କରେ ଏହି ପରମ୍ପରା ଚାଲୁ ରହିଛି I ଓଡ଼ିଆ ପରମ୍ପରାରେ ମକରଯାତ୍ରା ଏକ ସ୍ନେହ, ପ୍ରେମ ଓ ସଦ୍‌ଭାବନାର ମହୋତ୍ସବ ।