ଓଡ଼ିଶାରେ କେଉଁଠି କେମିତି
ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ଓଡ଼ିଶାର କୋଣ-ଅନୁକୋଣରେ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ଅତ୍ୟନ୍ତ ନିଷ୍ଠା ଓ ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ । ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଏବଂ ଶ୍ରଦ୍ଧାଳୁମାନେ ସିଦ୍ଧିଦାତାଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଓଡ଼ିଶାର ବିଭିନ୍ନ ସହର ଓ ଅଞ୍ଚଳରେ ଏହି ପୂଜା ଭିନ୍ନ ଭିନ୍ନ ଶୈଳୀ ଓ ପରମ୍ପରା ପାଇଁ ପ୍ରସିଦ୍ଧ ।
ଜଟଣୀ
ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ଖୁବ ଜାକଜମକରେ ପାଳିତ ହୋଇଥାଏ ଗଣେଶ ପୂଜା । ଗଣେଶ ପୂଜା ପାଇଁ ଜଟଣୀ ସହର ସମଗ୍ର ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ବହନ କରେ । ଏଠାରେ ମହାରାଷ୍ଟ୍ରର ଗଣେଶୋତ୍ସବ ଭଳି ବିଶାଳ ତୋରଣ, ଆକର୍ଷଣୀୟ ଆଲୋକମାଳା ଏବଂ ଗୋଟିଏ ସପ୍ତାହରୁ ଅଧିକ ଦିନ ଧରି ମହୋତ୍ସବ ଚାଲିଥାଏ । ଶହ ଶହ ପୂଜା ମଣ୍ଡପରେ ବିଶାଳକାୟ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୁଏ ।
କଟକ
ସିଲଭର ସିଟି କଟକରେ ସାହି-ସାହି ଏବଂ ବିଭିନ୍ନ କ୍ଲବ୍ ପକ୍ଷରୁ ଗଣପତିଙ୍କ ଆରାଧନା କରାଯାଇଥାଏ । ମୃଣ୍ମୟୀ ମୂର୍ତ୍ତି, ଆକର୍ଷଣୀୟ ମଣ୍ଡପ ସାଙ୍ଗକୁ ଏଠାରେ ପୂଜା ପରବର୍ତ୍ତୀ ଭାସାଣି ଶୋଭାଯାତ୍ରା ପ୍ରସିଦ୍ଧ, ଯେଉଁଥିରେ ପାରମ୍ପରିକ ବାଜା ଓ ରଙ୍ଗାରଙ୍ଗ ଶୋଭାଯାତ୍ରାର ସମାହାର ଦେଖିବାକୁ ମିଳେ । ଚଳିତ ଥର ପୂଜା ମଣ୍ଡପରେ ୬୨ ଫୁଟର ଗଣେଷ ମୂର୍ତ୍ତି ଶୋଭା ପାଉଛନ୍ତି ।
ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଅନେକ ବୃହତ୍ ପୂଜା କମିଟି ପକ୍ଷରୁ ସମସାମୟିକ ବିଷୟବସ୍ତୁ ଏବଂ କଳା ସଂସ୍କୃତିକୁ ନେଇ ସୁଦୃଶ୍ୟ ତୋରଣ ନିର୍ମାଣ କରାଯାଇଥାଏ । ଏହାସହ ବିଭିନ୍ନ କ୍ଲବ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ-ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟାପକ ପୂଜା ଆୟୋଜନ ହୋଇଥାଏ । ଏଠାରେ ମଧ୍ୟ ଅନେକ ବଡବଡ ଯେପରି ୫୦ ଫୁଟର ଅଧିକ ମୂର୍ତ୍ତି ମଧ୍ୟ ପଣ୍ଡାଲରେ ଦେଖିବାକୁ ମିଳେ ।
ତାଳଚେର
କୋଇଲାଖଣି ପାଇଁ ପ୍ରସିଦ୍ଧ ତାଳଚେରରେ ଗଣେଶ ପୂଜା ସମଗ୍ର ଅଞ୍ଚଳର ସବୁଠାରୁ ବଡ଼ ପର୍ବ ଭାବେ ପାଳନ କରାଯାଏ । ଏଠାରେ ୧୦୦ରୁ ଅଧିକ ମଣ୍ଡପରେ ଗଣପତି ପୂଜା ପାଆନ୍ତି। ପ୍ରାୟ ୧୧ରୁ ୧୫ ଦିନ ଧରି ଚାଲୁଥିବା ଏହି ପୂଜା ଦେଖିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।
ବ୍ରହ୍ମପୁର
ରେଶମ ସହର ବ୍ରହ୍ମପୁରରେ ଗଣେଶ ଚତୁର୍ଥୀ ଅତ୍ୟନ୍ତ ଆନନ୍ଦ-ଉଲ୍ଲାସର ସହ ପାଳିତ ହୁଏ । ଏଠାରେ ପାରମ୍ପରିକ ଦକ୍ଷିଣ ଭାରତୀୟ ସଂସ୍କୃତିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥାଏ । ବିଶେଷ କରି ମିଷ୍ଟାନ୍ନ, ଲଡ଼ୁ ଭୋଗ ଏବଂ ଭକ୍ତିପୂର୍ଣ୍ଣ ଆରତୀ ଏଠାକାର ଅନ୍ୟତମ ଆକର୍ଷଣ । ଏଠାରେ ପଣ୍ଡାଲରେ ଶତାଧିକ ଭକ୍ତଙ୍କର ଭିଡ ଯମିଥାଏ ।




