ନାଁ ପାଇଁ ଗଲେ ଜେଲ

ନାଁ ପାଇଁ ଗଲେ ଜେଲ
Ipsita Picture
By: Ipsita
Published On

 

 ରୁଷର ଏକ ସହରରେ ଜଣେ ୧୮ ବର୍ଷୀୟ ଛାତ୍ର ଟିମୋଫେ ୱାଖୋନିନଙ୍କୁ ପିଜା ଅର୍ଡର କରିବା ସମୟରେ ନିଜ ନାମ ଆଡୋଲ୍ଫ ହିଟଲରକହିବା ମହଙ୍ଗା ପଡ଼ିଛି । ଏପରିକି ଏଥିପାଇଁ ତାଙ୍କୁ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଛି । ସୂଚନା ଅନୁଯାୟୀ, ଟିମୋଫେ ଏକ ଡୋଡୋ ପିଜା ଆଉଟଲେଟ୍ରେ ଅର୍ଡର ଦେବା ବେଳେ ଏହି ନାମ ବ୍ୟବହାର କରିଥିଲେ, ଯାହା ପରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ।  ତେବେ ଏଭଳି କରିବା ପଛର କାରଣ ପଚରାଯିବାରୁ ସେ କହିଥିଲେ ଯେ ସେ ଯୁଦ୍ଧକୁ ସମର୍ଥନ କରନ୍ତି ନାହିଁ ଏବଂ ଏହା ତାଙ୍କର ବିରୋଧ ପ୍ରଦର୍ଶନ କରିବାର ଏକ ଶୈଳୀ ଥିଲା । ଏହି ଘଟଣାର ପରଦିନ ହିଁ ପୋଲିସ ଉକ୍ତ ଛାତ୍ରଙ୍କୁ ତାଙ୍କ କଲେଜରୁ ଗିରଫ କରିଥିଲା ଏବଂ ତଦନ୍ତ ସମୟରେ ଅଧିକାରୀମାନେ ତାଙ୍କ ଡେସ୍କରୁ ନାଜି ପ୍ରତୀକ ମଧ୍ୟ ଜବତ କରିଥିଲେ । ପୋଲିସର କହିବା ଅନୁଯାୟୀ, ସେ କେବଳ ହିଟଲରଙ୍କ ନାମ ନେଇନଥିଲେ, ବରଂ ଅନ୍ଲାଇନ୍ ଚାଟ୍ ଫୋରମ୍ରେ ନାଜି ଚିହ୍ନର ଫଟୋ ମଧ୍ୟ ସେୟାର କରିଥିଲେ । ପରବର୍ତ୍ତୀ ସମୟରେ ପଚରାଉଚରା ବେଳେ ଛାତ୍ରଜଣକ ନିଜକୁ ନାଜି ସମର୍ଥକ ନୁହନ୍ତି ବୋଲି କହିବା ସହ ନିଜ କାର୍ଯ୍ୟର ପରିଣାମ ବିଷୟରେ ତାଙ୍କର କୌଣସି ଅନ୍ଦାଜ ନଥିଲା ବୋଲି ପ୍ରକାଶ କରିଥିଲେ। ତେବେ ରୁଷର ଆଇନ ଅନୁଯାୟୀ ନାଜି ପ୍ରତୀକ କିମ୍ବା ସେମାନଙ୍କ ବିଚାରଧାରାର ପ୍ରଚାର-ପ୍ରସାର କରିବା ଏକ ଅପରାଧ ହୋଇଥିବାରୁ, ଏହି ଆଧାରରେ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ୫ ଦିନର ଜେଲ୍ ଦଣ୍ଡ ଶୁଣାଯାଇଛି ।

Tags: