ଯୁଦ୍ଧ ଯାତନା ୨

ଯୁଦ୍ଧ ଯାତନା ୨
Ipsita Picture
By: Ipsita
Published On

କୋରିଆ ଯୁଦ୍ଧ (୧୯୫୦-୧୯୫୩):

କୋରିଆ ଯୁଦ୍ଧ ସମୟରେ ହୋଇଥିବା ବ୍ୟାପକ ସାମରିକ ଗତିବିଧି ପରିବେଶ ଉପରେ ଏକ କରାଳ ପ୍ରଭାବ ପକାଇଥିଲା। ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ସାଉଥ କୋରିଆ  ଓ ଆମେରିକା ମଧ୍ୟରେ ସଂଘର୍ଷରେ କେବଳ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନୁହେଁ, ବରଂ ବ୍ୟାପକ ଭାବେ ରାସାୟନିକ ପଦାର୍ଥ ଓ ପତ୍ରଝଡ଼ା ରସାୟନର ବ୍ୟବହାର କରାଯାଇଥିଲା। ଏହା ସେଠାକାର ଜଙ୍ଗଲ ନଷ୍ଟ କରିବା ସହ ମୃତ୍ତିକାକୁ ପ୍ରଦୂଷିତ କରିଥିଲା ଏବଂ ବହୁ ସଂଖ୍ୟାରେ ପଶୁପକ୍ଷୀଙ୍କ ମୃତ୍ୟୁର କାରଣ ସାଜିଥିଲା। ଏହି ଯୁଦ୍ଧର ଦୀର୍ଘସ୍ଥାୟୀ ପ୍ରଭାବ ଆଜି ମଧ୍ୟ ସେହି ଅଞ୍ଚଳର ଇକୋସିଷ୍ଟମକୁ ପ୍ରଭାବିତ କରୁଛି, ଯାହା ପାଇଁ ବ୍ୟାପକ ପ୍ରାକୃତିକ ପୁନରୁଦ୍ଧାରର ଆବଶ୍ୟକତା ରହିଛି।

ଭିଏତନାମ ଯୁଦ୍ଧ (୧୯୫୯-୧୯୭୫):

ଭିଏତନାମ ଯୁଦ୍ଧ ପରିବେଶ ବିନାଶ ବା 'ଇକୋସାଇଡ୍'ର ଏକ ସ୍ପଷ୍ଟ ଉଦାହରଣ। ଶତ୍ରୁ ପକ୍ଷକୁ ଜଙ୍ଗଲରେ ଲୁଚିବାର ସୁଯୋଗ ନଦେବା ପାଇଁ ଆମେରିକୀୟ ସେନା ପ୍ରାୟ ୨୦ ମିଲିୟନ ଗ୍ୟାଲନରୁ ଅଧିକ ହର୍ବିସାଇଡ୍‌ (ତୃଣକନାଶକ) ସିଞ୍ଚନ କରିଥିଲେ, ଯାହା ଜଙ୍ଗଲଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଧୂସର ମାଟିରେ ପରିଣତ କରିଦେଇଥିଲା। ଏହି ରସାୟନ ଯୋଗୁଁ ପ୍ରାକୃତିକ ପୁନରୁଦ୍ଧାର ବାଧାପ୍ରାପ୍ତ ହୋଇଥିଲା ଏବଂ ଜଙ୍ଗଲରେ ପକ୍ଷୀ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କ ସଂଖ୍ୟାରେ ବହୁଳ ହ୍ରାସ ଘଟିଥିଲା। ପରିବେଶବିତଙ୍କ ଅନୁଯାୟୀ, ଅକ୍ଷତ ଜଙ୍ଗଲ ତୁଳନାରେ ଏହି ରସାୟନ ପ୍ରଭାବିତ ଅଞ୍ଚଳରେ ଜୀବଜନ୍ତୁଙ୍କ ପ୍ରଜାତି ସଂଖ୍ୟା ମାତ୍ର ୨୦ ପ୍ରତିଶତକୁ ଖସି ଆସିଥିଲା।

ଆଫଗାନିସ୍ତାନ ଯୁଦ୍ଧ (୧୯୭୯-୨୦୨୧):

ଆଫଗାନିସ୍ତାନରେ ଦୀର୍ଘ ୪୨ ବର୍ଷ ଧରି ଚାଲିଥିବା ଯୁଦ୍ଧ ସେଠାକାର ପରିବେଶ ଏବଂ ସାମାଜିକ ସଂରଚନାକୁ ନଷ୍ଟ କରିଦେଇଥିଲା । ଆମେରିକୀୟ ସେନା ଦ୍ୱାରା ବ୍ୟବହୃତ 'ଓପନ-ଏୟାର ବର୍ଣ୍ଣ ପିଟ୍ସ' ବା ଖୋଲା ଆବର୍ଜନା ପୋଡ଼ିବା କୁଣ୍ଡରୁ ନିର୍ଗତ ବିଷାକ୍ତ ଧୂଆଁ ସାଧାରଣ ନାଗରିକଙ୍କ ମଧ୍ୟରେ ଅନେକ ମାରାତ୍ମକ ରୋଗର କାରଣ ସାଜିଛି। ଏହାବ୍ୟତୀତ, ଯୁଦ୍ଧ ଯୋଗୁଁ ସେଠାକାର ପାରମ୍ପରିକ ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଶୁଷ୍କ ଜଳବାୟୁରେ ଜଳସେଚନର ଅଭାବ ଏବଂ ସାମରିକ ଗତିବିଧି କୃଷି କ୍ଷେତ୍ରକୁ ପ୍ରଭାବିତ କରିବା ସହ ଆଫଗାନିସ୍ତାନରେ ଅଫିମ ଚାଷ ବୃଦ୍ଧି କରିବାରେ ପରୋକ୍ଷ ଭାବେ ସହାୟକ ହୋଇଛିବୋଲି ଆଲୋଚନା ହୋଇଥାଏ ।

ଗଲ୍ଫ ୱାର୍ ଏବଂ ଇରାକ ଯୁଦ୍ଧ

୧୯୯୧ ଗଲ୍ଫ ୱାର୍ ସମୟରେ ଇରାକୀ ସେନାଙ୍କ ଜଳାପୋଡ଼ା ନୀତି ଯୋଗୁଁ କୁଏତର ଅନେକ ତୈଳ କୂପରେ ନିଆଁ ଲଗାଇ ଦିଆଯାଇଥିଲା ଏବଂ ପାରସ୍ୟ ଉପସାଗରରେ ବିପୁଳ ପରିମାଣର ତେଲ ଢଳାଯାଇଥିଲା । ଯାହା ଇତିହାସର ସବୁଠାରୁ ଭୟଙ୍କର ତୈଳ ପ୍ରଦୂଷଣ ଭାବେ ଗଣାଯାଏ । ଏହି କାରଣରୁ ସାଉଦି ଆରବର ଉପକୂଳବର୍ତ୍ତୀ ପ୍ରାୟ ୩୪ କିଲୋମିଟର ପର୍ଯ୍ୟନ୍ତ ପ୍ରାକୃତିକ ସମ୍ପଦ ନଷ୍ଟ ହେବା ସହ ଜଳଭାଗ ଗୁରୁତର ଭାବେ ପ୍ରଦୂଷିତ ହୋଇଥିଲା । ଏହାର ସବୁଠାରୁ ବଡ଼ ପ୍ରଭାବ ପକ୍ଷୀ ଜଗତ ଉପରେ ପଡ଼ିଥିଲା । ପ୍ରାୟ ୧ ଲକ୍ଷରୁ ଅଧିକ ସାମୁଦ୍ରିକ ପକ୍ଷୀଙ୍କ ମୃତ୍ୟୁ ଘଟିବା ସହ ଅନେକ ପ୍ରଜାତିର ସଂଖ୍ୟା ୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ସେହିପରି ୨୦୦୩ ଇରାକ ଯୁଦ୍ଧ ସମୟରେ ସାମରିକ ଯାନରୁ ନିର୍ଗତ ତେଲ ଏବଂ ଗୋଳାବାରୁଦରେ ବ୍ୟବହୃତ ୟୁରାନିୟମ୍ ଯୋଗୁଁ ପାନୀୟ ଜଳ ଉତ୍ସଗୁଡ଼ିକ ବିଷାକ୍ତ ହୋଇଯାଇଥିଲା । ଅନେକ ସାମରିକ କର୍ମଚାରୀ 'ଗଲ୍ଫ ୱାର୍ ସିଣ୍ଡ୍ରୋମ୍' ଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଏହି ଅଞ୍ଚଳର ଜଙ୍ଗଲ ଓ ଜୈବ ବିବିଧତା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ରୁଷ ୟୁକ୍ରେନ ଯୁଦ୍ଧ

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଯୋଗୁଁ ବ୍ୟାପକ ପରିବେଶଗତ କ୍ଷତି ଘଟିଛି, ଯାହାକୁ ଆନ୍ତର୍ଜାତୀୟ ପର୍ଯ୍ୟବେକ୍ଷକମାନେ 'ଇକୋସାଇଡ୍' ବୋଲି ନାଁ ଦେଇଛନ୍ତି । ଯୁଦ୍ଧରେ ବ୍ୟବହୃତ ପ୍ରତ୍ୟେକ ବିସ୍ଫୋରଣରୁ ସିସା, ପାରଦ ଏବଂ ୟୁରାନିୟମ୍ ଭଳି ବିଷାକ୍ତ କଣିକା ନିର୍ଗତ ହୋଇ ପବନ, ଜଳ ଏବଂ ମୃତ୍ତିକାକୁ ପ୍ରଦୂଷିତ କରୁଛି । ଶିଳ୍ପାଞ୍ଚଳରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଷାକ୍ତ ପଦାର୍ଥ ଓ ଜାଳେଣି ନିର୍ଗତ ହୋଇ ୟୁକ୍ରେନ ସମେତ ସମଗ୍ର ୟୁରୋପ ପାଇଁ ବିପଦ ସୃଷ୍ଟି କରିଛି । ଏହି କାରଣରୁ ୪୦ ଲକ୍ଷରୁ ଅଧିକ ଲୋକ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି । ଯୁଦ୍ଧ ପ୍ରଭାବିତ ଅଞ୍ଚଳର ମାଟି ଏବେ ଚାଷ ପାଇଁ ଅଯୋଗ୍ୟ ହୋଇପଡ଼ିଛି ଏବଂ ପରମାଣୁ କେନ୍ଦ୍ରଗୁଡ଼ିକ ନିକଟରେ ଚାଲିଥିବା ଲଢ଼େଇ  ଭୟଙ୍କର ଦୁର୍ଘଟଣାର ଆଶଙ୍କା ବଢ଼ାଇଛି । ଏହାବ୍ୟତୀତ, ପ୍ରାୟ ୧୨,୦୦୦ ବର୍ଗ କିଲୋମିଟର ପରିମିତ ପ୍ରାକୃତିକ ସଂରକ୍ଷିତ ଅଞ୍ଚଳ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି, ଯାହାଦ୍ୱାରା ଅନେକ ବିରଳ ପ୍ରଜାତିର ଜୀବଜନ୍ତୁ ଓ ପକ୍ଷୀ ସେମାନଙ୍କ ବାସସ୍ଥାନ ହରାଇଛନ୍ତି । ପ୍ରାଥମିକ ଆକଳନ ଅନୁଯାୟୀ, ଯୁଦ୍ଧ ଶେଷ ହେବା ପରେ ୟୁକ୍ରେନର ପ୍ରକୃତିକୁ ପୁନର୍ବାର ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ଅତିକମରେ ୧୫ ବର୍ଷ ସମୟ ଲାଗିବ । ଯାହା ସାରା ବିଶ୍ବ ପାଇଁ ଏକ ସତର୍କର ଘଣ୍ଟି ପାଲଟିଛି ।

ଗାଜା ଯୁଦ୍ଧ

ଗାଜା ଉପରେ ଚାଲିଥିବା ଇସ୍ରାଏଲର ଆକ୍ରମଣ ଯୋଗୁଁ ସେଠାକାର ପରିବେଶ ସମ୍ପୂର୍ଣ୍ଣ ଭାବେ ଛିନ୍ନଭିନ୍ନ ହୋଇଯାଇଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ଗାଜାର ପ୍ରାୟ ଅଧା କୃଷିଜମି ନଷ୍ଟ ହୋଇଯାଇଥିବା ବେଳେ ୨୦୨୫ ଜାନୁଆରୀ ସୁଦ୍ଧା ପ୍ରାୟ ୮୦ ପ୍ରତିଶତ ଜଙ୍ଗଲ ଧ୍ବଂସ ପାଇଛି । ନିରନ୍ତର ବୋମାମାଡ଼ ଏବଂ ଅବରୋଧ ଯୋଗୁଁ ଗାଜାର ପୌର ସେବା, ଯଥା ନର୍ଦ୍ଦମା ଜଳ ବିଶୋଧନ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ପ୍ରତିଦିନ ପ୍ରାୟ ୧,୩୦,୦୦୦ କ୍ୟୁବିକ୍ ମିଟର ଅବିଶୋଧିତ ନର୍ଦ୍ଦମା ଜଳ ସମୁଦ୍ରକୁ ଛଡ଼ାଯାଉଥିବାରୁ ଜଳରାଶି ଗୁରୁତର ଭାବେ ପ୍ରଦୂଷିତ ହୋଇଛି । ଏହାବ୍ୟତୀତ, ବୋମାମାଡ଼ ଯୋଗୁଁ ପ୍ରାୟ ୫୦ ମିଲିୟନ ଟନ୍ର ବିପଜ୍ଜନକ ଆବର୍ଜନା ଓ ଭଗ୍ନାବଶେଷ ସୃଷ୍ଟି ହୋଇଛି । ଗାଜାର କୃଷି ବ୍ୟବସ୍ଥାକୁ ଯୋଜନାବଦ୍ଧ ଭାବେ ନଷ୍ଟ କରାଯାଇଥିବାରୁ ଏହାକୁ 'ଇକୋସାଇଡ୍' ବା ପରିବେଶ ସଂହାର ଭାବେ ଅଭିହିତ କରାଯାଇ ରୋମ୍ ଷ୍ଟାଚ୍ୟୁଟ୍ ଅନୁଯାୟୀ ଯୁଦ୍ଧ ଅପରାଧର ତଦନ୍ତ ପାଇଁ ଦାବି ହୋଇଛି ।

Tags: