ଯୁଦ୍ଧ ଯାତନା
ଯୁଦ୍ଧ କେବଳ ମାନବ ଜୀବନ ଓ ସମ୍ପତ୍ତିର ହାନି କରେ ନାହିଁ, ଏହାର ପ୍ରଭାବ ପ୍ରକୃତି ଉପରେ ମଧ୍ୟ ରହିଛି । ଏହା ପରିବେଶର ଏପରି ଗଭୀର କ୍ଷତ ସୃଷ୍ଟି କରେ ଯାହାକୁ ପୂରଣ କରିବା ପାଇଁ ଶତାବ୍ଦୀ ଶତାବ୍ଦୀ ସମୟ ଲାଗିଯାଇଥାଏ । ଇତିହାସରେ ଏଭଳି ଅନେକ ଯୁଦ୍ଧ ରହିଛି ଯାହା ସବୁବେଳେ ପ୍ରଦୂଷଣକୁ ବଢାଇବାର କାରଣ ସାଜିଛି ।
ଆମେରିକୀୟ ବିପ୍ଳବ (୧୭୭୫-୧୭୮୩):
ଅଠରଶହ ଶତାବ୍ଦୀର ଆମେରିକୀୟ ବିପ୍ଳବ ବା ଆମେରିକୀୟ ରିଭୋଲୁସନାରୀ ୱାର ପ୍ରାକୃତିକ ଜଗତ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା । ଏହାର ଏକ ପ୍ରମୁଖ ଉଦାହରଣ ହେଉଛି ପେନସିଲଭାନିଆର 'ଭ୍ୟାଲି ଫୋର୍ଜ'। ୧୭୭୭-୧୭୭୮ର ଶୀତଦିନେ ଜର୍ଜ ୱାଶିଂଟନଙ୍କ 'କଣ୍ଟିନେଣ୍ଟାଲ ଆର୍ମି'ର ସୈନ୍ୟମାନେ ନିଜ ପାଇଁ କୁଡ଼ିଆ ତିଆରି କରିବା ଉଦ୍ଦେଶ୍ୟରେ ପ୍ରାୟ ୧,୨୭,୦୦୦ରୁ ଅଧିକ ଗଛ କାଟି ଦେଇଥିଲେ । ଏହା ସେହି ଅଞ୍ଚଳରେ ଦୀର୍ଘକାଳୀନ ଜଙ୍ଗଲ କ୍ଷୟର କାରଣ ସାଜିଥିଲା । ସେହିପରି ୧୭୭୮ ସେପ୍ଟେମ୍ବରରେ ବ୍ରିଟିଶ ବାହିନୀ ମାସାଚୁସେଟ୍ସ ଉପକୂଳରେ ଥିବା 'ମାର୍ଥା'ସ୍ ଭିନିୟାର୍ଡ' ଦ୍ୱୀପ ଉପରେ ଆକ୍ରମଣ କରି ୧୦,୦୦୦ରୁ ଅଧିକ ମେଣ୍ଢାଙ୍କୁ ହତ୍ୟା କରିଥିଲେ । ଅନ୍ୟପଟେ, ୧୭୭୭ ସେପ୍ଟେମ୍ବର ୧୯ ଏବଂ ଅକ୍ଟୋବର ୭ରେ ନ୍ୟୁୟର୍କରେ ହୋଇଥିବା 'ସାରାଟୋଗା ଯୁଦ୍ଧ'ରେ ସୈନ୍ୟମାନେ ପ୍ରାୟ ୬,୬୦,୦୦୦ରୁ ଅଧିକ ସିସା ନିର୍ମିତ ଗୁଳି ଚଳାଇଥିଲେ । ଏହି ବିପୁଳ ପରିମାଣର ସିସା ପରିବେଶ ଉପରେ ଏପରି ନକାରାତ୍ମକ ପ୍ରଭାବ ପକାଇଛି, ଯାହା ଏକବିଂଶ ଶତାବ୍ଦୀରେ ମଧ୍ୟ ଅନୁଭୂତ ହେଉଛି । ଏହିଭଳି ଭାବେ ବିଭିନ୍ନ ପ୍ରକାରର ନକାରାତ୍ମକ ପ୍ରଭାବ ପରିବେଶ ଉପରେ ପଡୁଥିବା ଦେଖିବାକୁ ମିଳୁଛି ।
ଆମେରିକୀୟ ଗୃହଯୁଦ୍ଧ (୧୮୬୧-୧୮୬୫):
ଆମେରିକୀୟ ଗୃହଯୁଦ୍ଧ ମୁଖ୍ୟତଃ ଗରମ ଏବଂ ଆଦ୍ର ଅଞ୍ଚଳରେ ଲଢ଼ାଯାଇଥିଲା, ଯେଉଁଠାରେ ମ୍ୟାଲେରିଆ ଭଳି ମହାମାରୀର ପ୍ରାଦୁର୍ଭାବ ରହିଥିଲା । ଫଳସ୍ୱରୂପ, ଉଭୟ ପକ୍ଷର ସୈନ୍ୟମାନେ ବ୍ୟାପକ ଭାବେ ରୋଗାକ୍ରାନ୍ତ ହୋଇଥିଲେ। ଶକ୍ତିଶାଳୀ ଦୂରଗାମୀ ରାଇଫଲ୍ ଏବଂ ତୋପର ବ୍ୟବହାର ଯୋଗୁଁ ମୃତାହତଙ୍କ ସଂଖ୍ୟା ମଧ୍ୟ ଅତ୍ୟଧିକ ଥିଲା । ଯଦିଓ ୟୁନିୟନ ବାହିନୀ ପାଖରେ ଉତ୍ତମ ଚିକିତ୍ସା ଏବଂ ଡାକ୍ତରଖାନା ସୁବିଧା ଥିଲା, କିନ୍ତୁ କନଫେଡେରେସିର ଯୋଗାଣ ବ୍ୟବସ୍ଥା ବାରମ୍ବାର ବିଫଳ ହେଉଥିଲା । ଯେଉଁ କାରଣରୁ ସେମାନଙ୍କ ସୈନ୍ୟମାନେ ମାସ ମାସ ଧରି ଖାଲି ପାଦରେ ଯୁଦ୍ଧ କରୁଥିଲେ ଏବଂ ଡାକ୍ତରମାନଙ୍କ ପାଖରେ ଆବଶ୍ୟକୀୟ ଔଷଧର ଅଭାବ ରହୁଥିଲା। ଯୁଦ୍ଧ ସମୟରେ ୟୁନିୟନ ବାହିନୀ ଦକ୍ଷିଣାଞ୍ଚଳର ରେଳପଥ ଏବଂ କପା ବଗିଚାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଥିଲେ । ଏହି ସାମରିକ ଅଭିଯାନରେ ତୋପ ଏବଂ ଗୋଳାବାରୁଦ ପରିବହନ ପାଇଁ ବ୍ୟବହୃତ ହେଉଥିବା ହଜାର ହଜାର ଘୋଡ଼ା ଏବଂ ଖଚରଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା ।
ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୯୧୮)
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ୟାପକ ପରିମାଣରେ ରାସାୟନିକ ପଦାର୍ଥ, ବିଶେଷ କରି କ୍ଲୋରିନ୍, ଫୋସଜିନ୍ ଏବଂ ମଷ୍ଟାର୍ଡ ଗ୍ୟାସ୍ର ବ୍ୟବହାର ଦେଖିବାକୁ ମିଳିଥିଲା । ୧୯୧୮ରେ ଯୁଦ୍ଧ ଶେଷ ହେବା ବେଳକୁ ପ୍ରାୟ ୧,୦୦,୦୦୦ ଟନ୍ରୁ ଅଧିକ ବିଷାକ୍ତ ଗ୍ୟାସ୍ ଉତ୍ପାଦନ କରାଯାଇଥିଲା । ଯଦିଓ ସେହି ସମୟରେ ଗ୍ୟାସ୍ ମାସ୍କଗୁଡ଼ିକ ଏହି ବିଷାକ୍ତ ଗ୍ୟାସର ପ୍ରଭାବକୁ କିଛି ମାତ୍ରାରେ ପ୍ରତିହତ କରିବାରେ ସଫଳ ହୋଇଥିଲେ, ତଥାପି ଏହି ଗ୍ୟାସ୍ ଯୋଗୁଁ ଅନେକ ସୈନ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ରାସାୟନିକ ଅସ୍ତ୍ରର ଏହି ବ୍ୟବହାର ଯୁଦ୍ଧର ଗତିପଥ ବଦଳାଇବାରେ ବିଶେଷ ସହାୟକ ହୋଇନଥିଲା । ସୂଚନାଯୋଗ୍ୟ ଯେ, ଏହି ଯୁଦ୍ଧ ଯୋଗୁଁ ପରିବେଶ ଉପରେ କୌଣସି ସ୍ଥାୟୀ ପ୍ରଭାବ ପଡ଼ିନଥିଲା, କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ପରିବେଶ ଉପରେ ପ୍ରଭାବ ରହିଥିଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯-୧୯୪୫)
ଏହା ମାନବ ଇତିହାସରେ କେବଳ ପ୍ରାଣହାନି ନୁହେଁ, ବରଂ ପରିବେଶ ଓ ପରିସଂସ୍ଥା ବା ଇକୋସିଷ୍ଟମ ପାଇଁ ଅପୂରଣୀୟ କ୍ଷତି ପହଞ୍ଚାଇଥିଲା। ଯାହାର ପ୍ରଭାବ ଆଜି ମଧ୍ୟ ଅନୁଭୂତ ହେଉଛି । ଏହି ଯୁଦ୍ଧ ସମୟରେ ବିମାନ ଆକ୍ରମଣ ଏବଂ ସାମରିକ ଗତିବିଧି ଯୋଗୁଁ ଅନେକ କ୍ଷୟକ୍ଷତି ଦେଖିବାକୁ ମିଳିଛିଲା । ଏଥିରେ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ନଷ୍ଟ, ନୂଆ ପ୍ରଜାତିର ଜୀବ ଓ ଉଦ୍ଭିଦ ଅଜାଣତରେ ବିଭିନ୍ନ ଦ୍ୱୀପକୁ ସ୍ଥାନାନ୍ତରିତ ହେବା ଆଦି ରହିଥିଲା । ଏହି ପ୍ରକ୍ରିୟା ପାଇଂ ସ୍ଥାନୀୟ ଜୈବ ବିବିଧତା ବିପଦରେ ପଡିଥିଲା । ଯାହାଫଳରେ ଓ୍ୱେକ୍ ଆଇଲ୍ୟାଣ୍ଡ ରେଲ୍ ଭଳି ପକ୍ଷୀ ବିଲୁପ୍ତ ହୋଇଯାଇଥିଲେ । ଅଗଷ୍ଟ ୧୯୪୫ରେ ହିରୋସିମା ଏବଂ ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରବଳ ଉତ୍ତାପ ଏବଂ ତେଜସ୍କ୍ରିୟ ବିକିରଣ ସେହି ଅଞ୍ଚଳର ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜଗତକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ସହ ଜଳ ଓ ସ୍ଥଳ ଭାଗକୁ ଦୂଷିତ କରିଦେଇଥିଲା। ଯୁଦ୍ଧ ସମୟରେ ବ୍ୟବହୃତ ହଜାର ହଜାର ଟନ୍ ବିଷାକ୍ତ ରସାୟନ ଓ ବିସ୍ଫୋରକକୁ ସମୁଦ୍ର ମଧ୍ୟରେ ନିକ୍ଷେପ କରାଯିବା ଦ୍ୱାରା ସାମୁଦ୍ରିକ ପରିସଂସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଥିଲା । ସେହିଭଳି ଆଟଲାଣ୍ଟିକ ମହାସାଗରରେ ବୁଡ଼ିଯାଇଥିବା ଜାହାଜରୁ ନିର୍ଗତ ପ୍ରାୟ ୧୫ ମିଲିୟନ ଟନ୍ ତେଲ ଆଜି ବି ପାଣିକୁ ପ୍ରଦୂଷିତ କରୁଛି ବୋଲି ରିପୋର୍ଟସ ରହିଛି । ଏହାବ୍ୟତୀତ, ୟୁରୋପୀୟ ଜଙ୍ଗଲଗୁଡ଼ିକରୁ ବ୍ୟାପକ କାଠ କଟାଯିବା ଏବଂ ବାଲ୍ଟିକ୍ ସମୁଦ୍ରରେ ଏବେ ମଧ୍ୟ ସକ୍ରିୟ ଥିବା ହଜାର ହଜାର ସାମୁଦ୍ରିକ ମାଇନ୍ସ ପରିବେଶ ପାଇଁ ଏକ ବଡ଼ ସମସ୍ୟା ହୋଇ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୃଥିବୀର ପ୍ରାକୃତିକ ସମ୍ପଦ ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହିତ ଜୈବ ବିବିଧତାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥିଲା ।



