ଭୂସ୍ବର୍ଗ

ବୁଲିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ, ନିଜର ବ୍ୟସ୍ତ ବହୂଳ ଜୀବନରୁ କିଛି ସମୟ କାଢି ସମସ୍ତେ ଯେ କୌଣସି ଏକ ଶାନ୍ତ ସ୍ଥାନକୁ ଚାଲି ଯାଆନ୍ତି ବୁଲିବାକୁ । ତେବେ ଓଡ଼ିଶାରେ ଏଭଳି ଅନେକ ସ୍ଥାନ ଅଛି ଯାହା ଆଖି ଆଢୁଆଳରେ ଥିଲେ ମଧ୍ୟ ବୁଲିବାପ୍ରିୟ ଲୋକଙ୍କ ପାଇଁ ଏହା ସ୍ବର୍ଗ । କିଛି ସ୍ଥାନ ଏଭଳି ଥାଏ, ଯାହା ସାରା ବିଶ୍ବରେ ପରିଚିତ । ଏଠାକୁ ଅନେକ ଲୋକ ପ୍ରତିଦିନ ଆସନ୍ତି ବୁଲିବାକୁ । ଏବେ […]

ଭୂସ୍ବର୍ଗ
Samaya Live Picture
Published On

ବୁଲିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ, ନିଜର ବ୍ୟସ୍ତ ବହୂଳ ଜୀବନରୁ କିଛି ସମୟ କାଢି ସମସ୍ତେ ଯେ କୌଣସି ଏକ ଶାନ୍ତ ସ୍ଥାନକୁ ଚାଲି ଯାଆନ୍ତି ବୁଲିବାକୁ । ତେବେ ଓଡ଼ିଶାରେ ଏଭଳି ଅନେକ ସ୍ଥାନ ଅଛି ଯାହା ଆଖି ଆଢୁଆଳରେ ଥିଲେ ମଧ୍ୟ ବୁଲିବାପ୍ରିୟ ଲୋକଙ୍କ ପାଇଁ ଏହା ସ୍ବର୍ଗ ।

କିଛି ସ୍ଥାନ ଏଭଳି ଥାଏ, ଯାହା ସାରା ବିଶ୍ବରେ ପରିଚିତ । ଏଠାକୁ ଅନେକ ଲୋକ ପ୍ରତିଦିନ ଆସନ୍ତି ବୁଲିବାକୁ । ଏବେ କିନ୍ତୁ ଏକ ନୂଆ ଟ୍ରେଣ୍ଡ ସୋସିଆଲ ମିଡିଆରେ ଖୁବ ପପୁଲାର ହେବାରେ ଲାଗିଛି । ଏହି ଟ୍ରେଣ୍ଡରେ ଲୋକମାନେ ବିଭିନ୍ନ ଲୁକ୍କାୟିତ ଭାବେ ଥିବା ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯାଉଛନ୍ତି ଏବଂ ସେଠିକାର ବାସିନ୍ଦାଙ୍କୁ ବିଭିନ୍ନ ପ୍ରକାର ସମର୍ଥନ ଦେଉଛନ୍ତି । ଏହି ଟ୍ରେଣ୍ଡର ନାଁ ରହିଛି ଇକୋ ଏସକେପ, ଯାହାର ଅର୍ଥ ପ୍ରକୃତିକୋଳରେ କିଛି ସମୟ କାଟିବା । ତେବେ ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳୀ ଭରପୁର ମାତ୍ରାରେ ରହିଛି । ଏହାର ପ୍ରାକୃତିକ ପରିବେଶ ପ୍ରତିବର୍ଷ ଅନେକ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥାଏ । ବିଭିନ୍ନ ସ୍ଥାନରେ ଥିବା ବେଳାଭୂମି, ମନ୍ଦିର, ବଣ ପାହାଡର ପ୍ରାକୃତିକ ପରିବେଶ ସମସ୍ତଙ୍କୁ ଖୁବ ସୁନ୍ଦର ଅନୁଭୂତି ଦେଇଥାଏ । ତେବେ ଓଡ଼ିଶାର କିଛି ସ୍ଥାନ ଯେପରି ପୁରୀ ମନ୍ଦିର, କୋଣାର୍କ ମନ୍ଦିର, ପୁରୀ ସହିତ କୋଣାର୍କ ସମୁଦ୍ର, ଶିମିଳିପାଳ,ଧଉଳି, ଲିଙ୍ଗରାଜ ମନ୍ଦିର, ଭିତରକନିକା ଆଦି ବିଶ୍ବ ପ୍ରସିଦ୍ଧ । ହେଲେ ଓଡ଼ିଶାରେ ଏଭଳି ଅନେକ ସ୍ଥାନ ରହିଛି ଯାହା ବେଶ ସୁନ୍ଦର ଓ ମନୋରମ କିନ୍ତୁ ଏଗୁଡିକ ଦୃଷ୍ଟି ଆଢୁଆଳରେ ରହିଛି । ହେଲେ ବର୍ତ୍ତମାନର ସୋସିଆଲ ମିଡିଆରେ ଏଭଳି ସ୍ଥାନ ମାନଙ୍କର ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଆଗକୁ ଶୀତଦିନ ଆରମ୍ଭ ହେବାକୁ ଯାଉଥିବାରୁ ସମସ୍ତେ ନିଜର ଛୁଟି କାଟିବାର ଯୋଜନା ଆରମ୍ଭ କରିବେ । ତେବେ ଏହି ସମୟରେ ଓଡ଼ିଶାର ଏହି ଲୁକ୍କାୟିତ ସ୍ଥାନ ଗୁଡିକୁ ନିଜ ତାଲିକାରେ ସ୍ଥାନ ଦିଅନ୍ତୁ । ଦେଖିବେ ଆପଣଙ୍କ ଛୁଟି ବେଶ୍ ସୁନ୍ଦର ହେବ ।
ପୁରୀ
ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ପୁରୀ ଓ କୋଣାର୍କ ବେଳାଭୂମି ଛାଡିଦେଲେ ଏଠାରେ ଅନେକ ସ୍ଥାନ ରହିଛି ଯାହା ଖୁବ ସୁନ୍ଦର ଓ ମନୋରମ । ପୁରୀ ଆସୁଥିବାବେଳେ ଏହି ସମସ୍ତ ସ୍ଥାନକୁ ଆପଣ ନିଜ ପରିବାର ସହିତ ବୁଲିପାରିବେ । ଯାହା ଆପଣଙ୍କୁ ଏକ ସୁନ୍ଦର ଛୁଟି କାଟିବାରେ ସହାୟକ ହେବ । ଆସନ୍ତୁ ସେହିଭଳି କିଚି ସ୍ଥାନ ସମ୍ପର୍କରେ ଜାଣିବା ଯାହା ଲାଇମଲାଇଟରୁ ଦୂରରେ ରହିଛି ।
ରଘୁରାଜପୁର ଗ୍ରାମ
ଏହିଗ୍ରାମଟି ନିଜର ଐତିହ୍ୟ ପାଇଁ ପରିଚିତ । ଓଡ଼ିଶାର ପ୍ରସିଦ୍ଧ ପଟ୍ଟଚିତ୍ରର ଗାଁ ଏହାକୁ କୁହାଯାଇଥାଏ । ଏଠାରେ ରହୁଥିବା ପ୍ରତ୍ୟେକଟି ଶିଳ୍ପୀ ପଟ୍ଟଚିତ୍ର ଆଙ୍କିବାରେ ସିଦ୍ଧହସ୍ତ । ପଟ୍ଟଚିତ୍ର ସାହାଯ୍ୟରେ ଏହି ଶିଳ୍ପୀମାନେ ଓଡ଼ିଶାର କଳା ଐତିହ୍ୟକୁ ସାରା ବିଶ୍ବରେ ପହଞ୍ଚାଇଥାଆନ୍ତି । ଚିତ୍ରକୁ ମାଧ୍ୟମକରି ଓଡ଼ିଶାରେ ଥିବା ବିଭିନ୍ନ ଦେବଦେବୀ, କଳା ସଂସ୍କୃତିକୁ ସାରା ବିଶ୍ବ ପାଖରେ ପ୍ରତିପାଦିତ କରନ୍ତି । ଏହାକୁ ୨୦୦୦ ମସିହାରେ ହେରିଟେଜ୍ ଭିଲେଜର ମାନତ୍ୟା ମଧ୍ୟ ପ୍ରଦାନ କରାଯାଇଛି । ଏହି ଗାଁର ପ୍ରତିଟି ଘରେ ଶିଳ୍ପୀଙ୍କୁ ଆପଣ ଦେଖିବାକୁ ପାଇବେ । ଏହାସହ ଏହି ଗ୍ରାମ ଓଡିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କର ମଧ୍ୟ ଗ୍ରାମ ଯାହା ଏହାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ । ତେଣୁ ଯେବେ ବି ପୁରୀ ଆସୁଛନ୍ତି ତେବେ ଏହି ଗ୍ରାମ ବୁଲି ଯିବାକୁ ଯମାରୁ ଭୁଲନ୍ତୁ ନାହିଁ ।
ମାତା ମଠ
ପୁରୀ ସହର ଭିତରେ ଅନେକ ମଠ ରହିଛି ଯେଉଁଗୁଡିକ ନିଜର ଅନନ୍ୟ ମହିମା ପାଇଁ ପରିଚିତ । ସେହିଭଳି ଏକ ମଠ ହେଲା ମାତା ମଠ, ଏହାର ପରିବେଶ ବେଶ ମନୋରମ । ପୁରୀ ସହର ଭିତରେ ହିଁ ଏହି ମଠଟି ଅବସ୍ଥିତ । ଜଗନ୍ନାଥ ମନ୍ଦିର ଠାରୁ ଖୁବ ପାଖରେ ରହିଛି ଏହି ମଠ । ଏହି ମଠରେ ପ୍ରାକୃତିକ ପରିବେଶ ଭରି ରହିଛି । ଜଗନ୍ନାଥ ମନ୍ଦିର ବୁଲିବୁଲି ଥକି ପଡିଲେ ଏଠାକୁ ଆସିଲେ ଆପଣଙ୍କ ଥକ୍କା ମରିଯିବ । ଏହା ଭିତରେ ବିଭିନ୍ନ ପ୍ରକାର ଗଛ ସାଙ୍ଗକୁ ଦେବଦେବୀଙ୍କର ମୂର୍ତ୍ତି । ଏହାକୁ ଏକ ଆଧ୍ୟାତ୍ମିକ ପାର୍କ କହିଲେ ଭୁଲ ହେବ ନାହିଁ । ଏହାର କିମ୍ବଦନ୍ତୀ ଖୁବ ପୁରୁଣା । ଏଠାରେ ପ୍ରଭୁ ଶ୍ରୀଚୈତନ୍ୟଙ୍କ ମହିମା ଦେଖିବାକୁ ମିଳିଥାଏ । ଏଠାରେ ପ୍ରଭୁଜଗନ୍ନାଥ, ଚୈତନ୍ୟ, ଯଶୋଦା, ନୃସିଂହ, ବଳଭଦ୍ର ଓ ସୁଭଦ୍ରାଙ୍କର ପ୍ରତିକୃତି ଦେଖିବାକୁ ମିଳିବ । ଏହାର ପରିବେଶ ଖୁବ ସୁନ୍ଦର ଓ ମନୋରମ ।

ବାଲିଘାଇ ସମୁଦ୍ରକୂଳ
ପୁରୀ କୋଣାର୍କ ସମୁଦ୍ରକୂଳ ଛାଡିଲେ ଏଠାରେ ରହିଛି ବାଲିଘାଇ ସମୁଦ୍ରକୂଳ ଯାହା ସ୍ଥାନୀୟ ବାସିନ୍ଦାଙ୍କ ଭିତରେ ଖୁବ ପରିଚିତ । ଏହା ପୁରୀ ଓ କୋଣାର୍କ ଯିବା ରାସ୍ତାରେ ହିଁ ଅଛି । ଏହି ସମୁଦ୍ର କୂଳର ସୌନ୍ଦର୍ଯ୍ୟ ଖୁବ ମନୋରମ । ଏହାର କୂଳରେ ଝାଉଁ ବଣ ରହିଥିବାବେଳେ ଏହାର ଆଖପାଖ ଖୁବ ସଫା ଓ ସୁନ୍ଦର । ଏହାର କୂଳରେ ଅଲିଭ୍ ରିଡେଲ କଇଁଛ ସହ ବିଭିନ୍ନ ପ୍ରକାର ପକ୍ଷୀ ଶୀତଦିନେ ଦେଖିବାକୁ ମିଳନ୍ତି । ଏହାସହ ଏହାର ପାଖରେ ରହିଛି ଏକ ବାଲିହରିଣ ସାଞ୍ଚୁରୀ, ଯେଉଁଠାରେ ନିଆରା ବାଲିହରିଣ ଦେଖିବାକୁ ମିଳନ୍ତି । ଏହାସହ ଏଠାରେ ଏକ ଆଶ୍ରମ ମଧ୍ୟ ରହିଛି ଯାହାର ନା ହରିହରାନନ୍ଦ ଗୁରୁକୁଳମ । ଏଠାରେ ଆପଣ ଏକ ଶାନ୍ତ ପରିବେଶ ପାଇବେ ଯେଉଁଠି କିଛି ସମୟ କାଟିଲେ ମନ ଶାନ୍ତ ହେବ ।

ନଳବଣ
ପୁରୀର ଚିଲିକା ହ୍ରଦ ମଝିରେ ରହିଛି ଏକ ଦ୍ବୀପ ଯାହାର ନାଁ ହେଉଛି ନଳବଣ । ଏହି ନଳବଣ ମନସୁନ ସମୟରେ ଲୁଚିଯାଇଥାଏ । ଯେତେବେଳେ ବର୍ଷା ଆରମ୍ଭ ହୁଏ ଚିଲିକା ହ୍ରଦର ସ୍ତର ବଢିଥାଏ, ଯାହା ଫଳରେ ନଳବଣ ଲୁଚିଯାଇଥାଏ । ତେବେ ଶୀତଦିନେ ଏହା ପୁଣି ଦେଖିବାକୁ ମିଳିଥାଏ । ଏଠାରୁ ପର୍ଯ୍ୟଟକମାନେ ଖୁବ ସହଜରେ ବିଭିନ୍ନ ପ୍ରକାର ପକ୍ଷୀଙ୍କୁ ଦେଖିପାରିବେ, ଯେଉଁମାନେ ଶୀତଦିନେ ବିଭିନ୍ନ ପ୍ରାନ୍ତରୁ ଏଠାକୁ ଆସିଥାଆନ୍ତି । ଏଠାରେ ପ୍ରତିବର୍ଷ ବହୁ ସୁନ୍ଦର ସୁନ୍ଦର ପକ୍ଷୀଙ୍କର ସମାଗମ ହୋଇଥାଏ, ଯେଉଁମାନେ ଏହି ପରିବେଶକୁ ଖୁବ ମନୋରମ କରିଥାଆନ୍ତି । ତେଣୁ ଯଦି ଶୀତଦିନେ ଚିଲିକା ଯାଉଛନ୍ତି ବୁଲିବାକୁ ତେବେ ନଳବଣ ଯିବାକୁ ଭୁଲନ୍ତୁ ନାହିଁ ।
ବେଲେଶ୍ବର
ପୁରୀ ଓ କୋଣାର୍କ ବିଚ ଭଳି ଏହି ବିଚ ମଧ୍ୟ ବେଶ ସୁନ୍ଦର । ଏଠିକାର ପରିବେଶ ଖୁବ ମନୋରମ । ଏହି ସ୍ଥାନଟି ପିକନିକ ପାଇଁ ଖୁବ ପରିଚିତ । ଏଠାରେ ଅନେକ ସମୟରେ ଏକାଠି ହୋଇ ଲୋକମାନେ ଭୋଜି କରୁଥିବାର ଦେଖିବାକୁ ମିଳିଥାଏ । ବାଲିର ପରତ ଏଠି ଖୁବ ସଫା ଓ ସୁନ୍ଦର ରହିଥାଏ, ତେଣୁ ଏଠାରେ ଲୋକମାନେ ଚାଲୁଥିବାର ଦେଖିବାକୁ ମିଳିଥାଏ । ଟିକେ ଶାନ୍ତିରେ ସମୁଦ୍ରକୂଳରେ ସମୟ ବ୍ୟତିତ କରିବାକୁ ଚାହୁଁଥିଲେ ଏହା ଏକ ଉପଯୁକ୍ତ ସ୍ଥାନ । ତେବେ ଏହା ଏତେ ଭିଡ ବିଚ ନଥିବାରୁ ଏଠାକୁ ସବୁସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଯାଆନ୍ତୁ, ଯାହା ଫଳରେ ଆପଣ ସୁରକ୍ଷିତ ରହିବେ ।

Tags: