ବାନ୍ତି ଦେଇଥାଏ ସୁରକ୍ଷା
ଉତ୍ତର ଆଟଲାଣ୍ଟିକ୍ ଏବଂ ଉତ୍ତର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଭଳି ଶୀତଳ ସାମୁଦ୍ରିକ ଇଲାକାରେ ଦେଖାଯାଉଥିବା ‘ନର୍ଦ୍ଦନ ଫୁଲମାର’ ନାମକ ଏକ ସାମୁଦ୍ରିକ ପକ୍ଷୀ ନିଜର ଅଭିନବ ଆତ୍ମରକ୍ଷା କୌଶଳ ପାଇଁ ବେଶ୍ ପରିଚିତ । ଦେଖିବାକୁ ସିଗଲ୍ ପରି ଏହି ପକ୍ଷୀଟି ମାଛ, ସ୍କ୍ୱିଡ୍ ଏବଂ ସମୁଦ୍ରର ଅଳିଆ ଆବର୍ଜନା ଖାଇ ସମୁଦ୍ରକୁ ସଫା ରଖୁଥିବାରୁ ଏହାକୁ ‘ସଫେଇ କର୍ମୀ’ ମଧ୍ୟ କୁହାଯାଏ । ଏହାର ନାସିକା ନଳୀ ଆକାରର ହୋଇଥିବାରୁ ଏହା ଆକାଶରେ ଉଡ଼ିଲା ବେଳେ ମଧ୍ୟ ଗନ୍ଧ ବାରି ନିଜର ଖାଦ୍ୟ ଖୋଜିପାରେ । ଏହାର ସବୁଠାରୁ ବିପଜ୍ଜନକ ଅସ୍ତ୍ର ହେଉଛି ଏହାର ‘ବାନ୍ତି’। ଯେତେବେଳେ ଏହା କୌଣସି ଶିକାରୀ ପକ୍ଷୀଙ୍କ ଦ୍ୱାରା ବିପଦ ଅନୁଭବ କରେ, ସେତେବେଳେ ସେ ନିଜ ପେଟରୁ ଏକ ଦୁର୍ଗନ୍ଧଯୁକ୍ତ ତଥା ଚିପଚିପିଆ ତରଳ ପଦାର୍ଥ ଶତ୍ରୁ ଉପରକୁ ଫିଙ୍ଗିଥାଏ । ଏହି ତରଳ ପଦାର୍ଥ ଶତ୍ରୁ ପକ୍ଷୀର ଡେଣାରେ ଲାଗିଯିବା ଫଳରେ ସେମାନେ ଆଉ ଉଡ଼ି ପାରନ୍ତି ନାହିଁ । ଅନେକ ସମୟରେ ସମୁଦ୍ରରେ ବୁଡ଼ି ପ୍ରାଣ ହରାନ୍ତି ।
Tags:



