ରକ୍ତଦାନ ବଦଳରେ ଭିଆପି ଦର୍ଶନ
ମଧ୍ୟପ୍ରଦେଶର ପ୍ରସିଦ୍ଧ ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ଏବେ ଆସ୍ଥା ଏବଂ ସେବାର ଏକ ଅନନ୍ୟ ସଙ୍ଗମ ଦେଖିବାକୁ ମିଳୁଛି । ଯେଉଁଠାରେ ରକ୍ତଦାନ କରୁଥିବା ଶ୍ରଦ୍ଧାଳୁମାନଙ୍କୁ ସେବା ବଦଳରେ ସିଧାସଳଖ ଭିଆଇପି ପ୍ରବେଶ ସୁବିଧା ଯୋଗାଇ ଦିଆଯାଉଛି । ମନ୍ଦିର ପରିସରରେ ରକ୍ତଦାନ କରୁଥିବା ଭକ୍ତମାନେ ମାତ୍ର ୨୦ ମିନିଟ୍ ରକ୍ତଦାନ କରି ଏହାର ବଦଳରେ ପ୍ରାୟ ୩ ରୁ ୪ ଘଣ୍ଟାର ଲମ୍ବା ଲାଇନ୍ରେ ଠିଆ ହେବା କଷ୍ଟରୁ ରକ୍ଷା ପାଇପାରୁଛନ୍ତି । ଏହି ଅଭିନବ ଅଭିଯାନ ଯୋଗୁଁ ରକ୍ତଦାନର ପରିମାଣ ଧୀରେଧୀରେ ବଢିଛି । ଗତ ଫେବ୍ରୁଆରୀ ମାସରେ ଯେଉଁଠାରେ ମାତ୍ର ୧୬୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା, ସେଠାରେ ଚଳିତ ଜୁନ୍ ୧୪ ତାରିଖ ସୁଦ୍ଧା ସେହି ସଂଖ୍ୟା ହାରାହାରିଠାରୁ ବହୁତ ଅଧିକ ଅର୍ଥାତ୍ ୪୯୭ ୟୁନିଟ୍ରେ ପହଞ୍ଚିଛି । ଏହା ସହିତ ଏହି ପ୍ରୟାସ ଦ୍ୱାରା ଏବି-ନେଗେଟିଭ୍, ଓ-ନେଗେଟିଭ୍, ଏ-ନେଗେଟିଭ୍ ଏବଂ ବି-ନେଗେଟିଭ୍ ଭଳି ଅତି ଦୁର୍ଲଭ ବ୍ଲଡ୍ ଗ୍ରୁପ୍ଗୁଡ଼ିକର ଏକ ଭଲ ସଞ୍ଚୟ ହୋଇପାରିଛି । ଏହି ପ୍ରକ୍ରିୟାରେ ରକ୍ତଦାନ କରିବା ପରେ ଦାତାମାନଙ୍କୁ ରିଫ୍ରେସମେଣ୍ଟ, ଏକ ପ୍ରମାଣ ପତ୍ର, ମନ୍ଦିରର ପ୍ରସାଦ ଏବଂ ଭଗବାନ ଓଁକାରେଶ୍ୱରଙ୍କର ଏକ ସୁନ୍ଦର ଚିତ୍ର ପ୍ରଦାନ କରାଯାଉଛି । ଏହି ସେବା ପାଇଁ ମିଳୁଥିବା ପ୍ରମାଣ ପତ୍ର ବଳରେ ରକ୍ତଦାତା ଏବଂ ତାଙ୍କ ପରିବାରକୁ ତତ୍କାଳ ଭିଆଇପି ପ୍ରବେଶ ମିଳୁଥିବାରୁ, ବିଶେଷ କରି ପରିବାରର ବୃଦ୍ଧବୃଦ୍ଧା ଓ ଛୋଟ ପିଲାମାନଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାର ମାନସିକ ଓ ଶାରୀରିକ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିପାରୁଛି ।




