ଭାଇରାଲ ପୋଲିସ କ୍ୟାଟ
ନେଦରଲ୍ୟାଣ୍ଡର ଆମଷ୍ଟରଡାମ୍ ସହରରେ ‘ନିମିସ୍’ ନାମ୍ନୀ ଏକ କଳା ରଙ୍ଗର ବିଲେଇ ତାର ବିଶେଷ ପୋଷାକ ଓ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିମିସ୍ ନିଜ ମାଲିକାଣୀ ଲିଡିଆ ଫାର୍ବରଙ୍କ ସହ ଏକ ହାଉସବୋଟରେ ରହୁଛି । ଆମଷ୍ଟରଡାମ୍ର କେନାଲ କୂଳଗୁଡ଼ିକ ଉଚ୍ଚ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ତାକୁ ପିଲାଦିନରୁ ଏକ ହଳଦିଆ ରଙ୍ଗର ଲାଇଫ୍ ଜ୍ୟାକେଟ୍ ପିନ୍ଧାଯାଉଥିଲା । ଏହି ଜ୍ୟାକେଟ୍ ଯୋଗୁଁ ପଡ଼ୋଶୀମାନେ ତାକୁ ମଜାରେ ‘ପୁଲିସ ଅଫିସର’ ବୋଲି ଡାକିବା ଆରମ୍ଭ କରିବା ପରେ ଲିଡିଆ ଜ୍ୟାକେଟରେ ପୁଲିସ ଷ୍ଟିକର ଲଗାଇ ତାର ଏହି ଲୁକ୍କୁ ପୂର୍ଣ୍ଣତା ଦେଇଥିଲେ । ୨୦୨୩ ମସିହାରୁ ଲିଡିଆ ଟିକ୍ଟକ୍ରେ ନିମିସ୍ର ପ୍ରତିଦିନର ‘ପାଟ୍ରୋଲିଂ’ ବା ବୁଲାବୁଲିର ଭିଡିଓ ସେୟାର କରିବା ଆରମ୍ଭ କରିଥିଲେ, ଯାହାକୁ ଏପର୍ଯ୍ୟନ୍ତ ୪୫ ଲକ୍ଷରୁ ଅଧିକ ଥର ଦେଖାସରିଲାଣି । ଯଦିଓ ସେ କୌଣସି ପ୍ରକୃତ ପୁଲିସ ଅଫିସର ନୁହେଁ, ତଥାପି ନିଜର ସ୍ୱତନ୍ତ୍ର ପୋଷାକ, ଦୈନନ୍ଦିନ ବୁଲାବୁଲି ଏବଂ ପ୍ରକୃତ ପୁଲିସକର୍ମୀଙ୍କ ସହ ଦେଖାଯାଉଥିବା ନିଆରା ଅନ୍ଦାଜ ପାଇଁ ତାକୁ ସମସ୍ତେ ଆଦରରେ ‘ପୁଲିସ କ୍ୟାଟ୍’ ବୋଲି କହୁଛନ୍ତି ।




