ଭ୍ୟାକୁମ କ୍ଲିନର ପାଲଟିଲା ଗୁପ୍ତଚର
ତାଇୱାନରେ ଜଣେ ବ୍ୟକ୍ତି ପତ୍ନୀଙ୍କ ପରକୀୟା ପ୍ରୀତିର ପ୍ରମାଣ ଏକାଠି କରିବା ପାଇଁ ରୋବୋଟ ଭ୍ୟାକ୍ୟୁମ୍ କ୍ଲିନରର ବ୍ୟବହାର କରିବା ସହ ସିଭିଲ୍ କେସରେ ବିଜୟୀ ହୋଇଛନ୍ତି । ହେଲେ ବିନା ଅନୁମତିରେ ପ୍ରାଇଭେଟ୍ ଫୁଟେଜ୍ ରେକର୍ଡ କରିବା ଅଭିଯୋଗରେ କୋର୍ଟ ତାଙ୍କୁ ୫ ମାସର ଜେଲ୍ ଏବଂ ପ୍ରାୟ ୪.୫୩ ଲକ୍ଷ ଟଙ୍କାର ଜରିମାନା ଶୁଣାଇଛନ୍ତି । ସେପ୍ଟେମ୍ବର ୨୦୨୩ରେ ଛୁଟିଦିନରେ ଘରୁ ଏକ ବ୍ୟବହୃତ ଟୁଥବ୍ରଶ୍ ମିଳିବା ଏବଂ ସିସିଟିଭିରେ ଜଣେ ଅଜଣା ବ୍ୟକ୍ତି ପତ୍ନୀଙ୍କୁ ଘରେ ଛାଡ଼ିବା ଦେଖି ସ୍ୱାମୀଙ୍କର ସନ୍ଦେହ ହୋଇଥିଲା । ଏହାର ପ୍ରାୟ ତିନି ମାସ ପରେ ସେ ମୋବାଇଲ୍ ଆପ୍ ମାଧ୍ୟମରେ ରୋବୋଟ ଭ୍ୟାକ୍ୟୁମ୍ କ୍ଲିନରକୁ ଦୂରରୁ ଚାଲୁ କରିଥିଲେ, ଯାହାର ଲାଇଭ୍ କ୍ୟାମେରା ଫିଡ୍ରେ ପତ୍ନୀ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ନଜର ଆସିଥିଲେ । ଫୁଟେଜ୍ରେ ପତ୍ନୀଙ୍କର କିଛି ବ୍ୟକ୍ତିଗତ ମୂହୁର୍ତ୍ତକୁ ମଧ୍ୟ ସେ ରେକର୍ଡ କରିନେଇଥିଲେ, ଯେଉଁଥିପାଇଁ ସେ ଦୋଷୀ ସାବସ୍ତ୍ୟ ହୋଇଥିଲେ । ୨୦୨୧ରେ ବିବାହ କରିଥିବା ଏହି ବ୍ୟକ୍ତିଜଣକ ପରବର୍ତ୍ତୀ ସମୟରେ ଏହି ଫୁଟେଜକୁ ପ୍ରମାଣ ଭାବେ ବ୍ୟବହାର କରି ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ବିରୋଧରେ ବୈବାହିକ ଅଧିକାର ଉଲ୍ଲଂଘନର ମାମଲା ଦାୟର କରିବା ସହ ପ୍ରାୟ ୬୪.୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ ।




