ବର୍ଯ୍ୟରୁ ଯୋଗ୍ୟ
ଇଛ୍ଛାଥିଲେ ଉପାୟ ବଳେବଳେ ଆସେ ଏହି ଉକ୍ତିଟିକୁ ପ୍ରମାଣିତ କରିଛନ୍ତି ଗୁଜୁରାଟର ଜଣେ ବ୍ୟକ୍ତି । ସେ ଖୁବ କମ ଅର୍ଥ ବିନିଯୋଗରେ ପ୍ରସ୍ତୁତ କରିଛନ୍ତି ସୋଲାର କାର, ଯାହା ଖୁବ ଚର୍ଚ୍ଚାରେ ରହିଛି । ତାଙ୍କର ଏହି ଉଦ୍ଭାବନ ତାଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରିଛି ।
ସୌରଶକ୍ତି କହିଲେ ସାଧାରଣତଃ ଆମେ ବଡ଼ ବଡ଼ ସୋଲାର୍ ଫାର୍ମ କିମ୍ବା ଘର ଛାତରେ ଲାଗିଥିବା ପ୍ୟାନେଲକୁ ବୁଝିଥାଉ। କିନ୍ତୁ ଏହା ହିଁ ହେଉଛି ଉଦ୍ଭାବନର ସୌନ୍ଦର୍ଯ୍ୟ ଯାହା କଳ୍ପନାକୁ ବାସ୍ତବତାରେ ରୂପାନ୍ତରିତ କରିପାରେ । ସେହିଭଳି ଘଟଣା ଘଟିଛି ଗୁଜୁରାଟରେ, ଯେଉଁଠାରେ ସୋଲାର ପ୍ୟାନେଲକୁ ପ୍ରସ୍ତୁତ କରି ଉକ୍ତବ୍ୟକ୍ତି କାର ନିର୍ମାଣ କରିଛନ୍ତି ।
ବର୍ଜ୍ୟବସ୍ତୁରୁ ସୌର କାର୍
ଗୁଜରାଟର ସାଧୁଲଭାଇ ଚାବଡା ନାମକ ଜଣେ ବ୍ୟକ୍ତି ଅଦରକାରୀ ଭଙ୍ଗା ଜିନିଷ ବା 'ସ୍କ୍ରାପ୍'ରୁ ଏକ ସୌରଶକ୍ତି ଚାଳିତ କାର ଉଦ୍ଭାବନ କରିଛନ୍ତି । ବର୍ଦ୍ଧିତ ତୈଳ ଦର ଏକ ଚିନ୍ତାର ବିଷୟ ହୋଇଥିବା ବେଳେ, ଏହି କାରଟି ସୌରଶକ୍ତିରେ ଚାଳିତ ହେଉଛି । ଅଦରକାରୀ ବାଇକ୍ ଅଂଶ, ଲୁହା ଏବଂ ଟାୟାର ବ୍ୟବହାର କରି ଏହି ଗାଡିଟି ନିର୍ମାଣ ହୋଇଛି । ପୁରୁଣା ଇଲେକ୍ଟ୍ରିକ୍ ବାଇକ୍ ଅଂଶ, ସ୍କ୍ରାପ୍ ଲୁହା ଏବଂ ସ୍କୁଟି ଟାୟାର ବ୍ୟବହାର କରି ବ୍ୟକ୍ତିଜଣଙ୍କ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଏହି ଗାଡ଼ିକୁ ପ୍ରସ୍ତୁତ କରିଛନ୍ତି । ପ୍ରତ୍ୟେକ ଅଂଶକୁ ସେ ଅତି ଯତ୍ନର ସହ ନିଜ ଘରେ ଏକାଠି କରି ୱେଲ୍ଡିଂ କରି ଗାଡିଟିକୁ ନିର୍ମାଣ କରିଛନ୍ତି ।
କାରର କାର୍ଯ୍ୟ ଦକ୍ଷତା
ଏହି କାର୍ରେ ଦୁଇଟି ୧୦୦-ୱାଟ୍ ସୋଲାର୍ ପ୍ୟାନେଲ୍ ଲଗାଯାଇଛି, ଯାହା ଗାଡ଼ି ଚାଲୁଥିବା ସମୟରେ ମଧ୍ୟ ବ୍ୟାଟେରୀକୁ ଚାର୍ଜ କରିଥାଏ । ସେହିଭଳି ଥରେ ସମ୍ପୂର୍ଣ୍ଣ ଚାର୍ଜ ହେଲେ ଏହି ଗାଡ଼ି ବିନା କୌଣସି ଇନ୍ଧନ ଖର୍ଚ୍ଚରେ ୫୦-୬୦ କିଲୋମିଟର ପର୍ଯ୍ୟନ୍ତ ବାଟ ଅତିକ୍ରମ କରିପାରୁଛି । ଗ୍ରାମୀଣ ରାସ୍ତା ପାଇଁ ଉଦ୍ଦିଷ୍ଟ ଏହି ତିନି ଚକିଆ ଗାଡ଼ିରେ ଫ୍ୟାନ୍ ଏବଂ ମ୍ୟୁଜିକ୍ ସିଷ୍ଟମ୍ ଭଳି ସୁବିଧା ରହିଛି, ଯାହା ଯାତ୍ରାକୁ ଆରାମଦାୟକ କରେ। ଗାଡିର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ସୂର୍ଯ୍ୟ ଅସ୍ତ ହେବା ପରେ ମଧ୍ୟ ଏଥିରେ ସଂରକ୍ଷିତ ଥିବା ଶକ୍ତି ସାହାଯ୍ୟରେ ଗାଡ଼ିଟି ରାତିରେ ମଧ୍ୟ ଚାଲିପାରୁଛି । ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ଚାଲୁଥିବା ଏହି ଗାଡ଼ିଟି ମାତ୍ର ୨୫,୦୦୦ ରୁ ୩୦,୦୦୦ ଟଙ୍କା ମଧ୍ୟରେ ନିର୍ମିତ ହୋଇଛି । ଗତ ଚାରି ବର୍ଷ ମଧ୍ୟରେ ଏଥିରେ ମାତ୍ର ଥରେ ବ୍ୟାଟେରୀ ପରିବର୍ତ୍ତନ କରିବାକୁ ପଡ଼ିଛି । ସୋସିଆଲ ମିଡିଆରେ କାରଟି ଖୁବ ଭାଇରାଲ ହେବାରେ ଲାଗିଛି । ବର୍ଯ୍ୟବସ୍ତୁର ଏଭଳି ବ୍ୟବହାରକୁ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି । ବର୍ଯ୍ୟବସ୍ତୁରୁ ଏଭଳି ଦରକାରୀ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଖୁବ ଲାଭଦାୟକ ହେବ ବୋଲି ସୋସିଆଲ ମିଡିଆରେ ସମସ୍ତେ ମତ ପ୍ରକାଶ କରୁଛନ୍ତି ।



