ପରିସ୍ରା ରୋକିବା କ୍ଷତିକାରକ
କାମର ବ୍ୟସ୍ତତା, ଟ୍ରାଫିକ୍ କିମ୍ବା ଅସ୍ୱାସ୍ଥ୍ୟକର ଶୌଚାଳୟ ଭୟରେ ଅନେକ ସମୟରେ ମହିଳାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇ ରଖିଥାନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ରୋକିବା ଦ୍ୱାରା ମୂତ୍ରାଶୟର ମାଂସପେଶୀ ଦୁର୍ବଳ ହେବା ସହ ଏହା ଉପରେ ଅତିରିକ୍ତ ଚାପ ପଡ଼ିଥାଏ । ଯାହାଫଳରେ ୟୁରିନାରୀ ଟ୍ରାକ୍ଟ ଇନଫେକସନ ଏବଂ କିଡନୀରେ ଷ୍ଟୋନ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏହା କେବଳ ପେଟର ନିମ୍ନ ଭାଗରେ ଯନ୍ତ୍ରଣା ସୃଷ୍ଟି କରେ ନାହିଁ, ବରଂ କିଡନୀ ସଂକ୍ରମଣ ଓ ହାଇଡ୍ରୋନେଫ୍ରୋସିସ୍ ଭଳି ମାରାତ୍ମକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ବିଶେଷ କରି ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ପରିସ୍ରା ଅଟକାଇବା ଅଧିକ ବିପଜ୍ଜନକ ହୋଇଥାଏ, କାରଣ ଏହା ଦ୍ୱାରା ହେଉଥିବା ସଂକ୍ରମଣ ପ୍ରି-ମ୍ୟାଚୁଅର ଡେଲିଭରି ବା ସମୟ ପୂର୍ବରୁ ଶିଶୁ ଜନ୍ମ ହେବାର କାରଣ ମଧ୍ୟ ସାଜିପାରେ । ତେଣୁ ସୁସ୍ଥ ରହିବା ପାଇଁ ଉଚିତ୍ ଟୟଲେଟ୍ ହାଇଜିନ୍ ଅବଲମ୍ବନ କରିବା ସହ ପରିସ୍ରା ନ ଅଟକାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।




