ନିଆରା ରଥଯାତ୍ରା

ନିଆରା ରଥଯାତ୍ରା
Ipsita Picture
By: Ipsita
Published On

 

ରଥଯାତ୍ରା ଦିନ କେବଳ ପୁରୀ ନୁହେଁ ଓଡ଼ିଶାର ପ୍ରତିଟି ଗ୍ରାମରେ ରଥ ବୁଲିଥାଏ । ପ୍ରତି ଜିଲ୍ଲା ଓ ଗ୍ରାମରେ ଖୁବ ସ୍ୱତନ୍ତ୍ର ଓ ଶ୍ରଦ୍ଧାର ସହିତ ରଥଯାତ୍ରାକୁ ପାଳନ କରାଯାଇଥାଏ । ସେହିଭଳି ଏକ ସ୍ଥାନ ହେଲା କେନ୍ଦୁଝର, ଯେଉଁଠାରେ ପାଳନ ହୋଇଥାଏ ନିଆରା ଢଙ୍ଗରେ ରଥଯାତ୍ରା । ଏଠାରେ ରଥଯାତ୍ରାରେ ରଥ ଦଉଡି ଭାବେ ବ୍ୟବହାର ହୋଇଥାଏ ଶିଆଳି ଲଟା । ଏହି ଶିଆାଳି ଲଟାର ଦଉଡିକୁ ରଥଯାତ୍ରାର ଅନେକ ଦିନ ପୂର୍ବରୁ ପ୍ରସ୍ତୁତି କରାଯିବା ଆରମ୍ଭ କରାଯାଇଥାଏ । ପୂର୍ବରୁ ଏହି ଦଉଡିକୁ ଜୁଆଙ୍ଗ ଓ ଭୂଇଁଆ ସମ୍ପ୍ରଦାୟର ଲୋକମାନେ ପ୍ରସ୍ତୁତ କରିଥାଆନ୍ତି । କାହିଁ କେଉଁ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇଆସିଛି ।  ବର୍ତ୍ତମାନ କେବଳ ଭୂଇଁଆ ସମ୍ପ୍ରଦାୟର ଲୋକ ଏହାକୁ ସ୍ଥାନୀୟ ମନ୍ଦିରକୁ ଯୋଗାଉଛନ୍ତି । ସେମାନେ ଏହି ଦଉଡିକୁ ଶିଆଳି ଗଛର ବକଳରୁ ପ୍ରସ୍ତୁତ କରିଥାଆନ୍ତି, ଯାହାକୁ ସେମାନେ ଜଙ୍ଗଲରୁ ସଂଗ୍ରହ କରିଥାଆନ୍ତି । କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକର ଦଅଁଳା ଗାଁର ଭୂଇଁଆ ସମ୍ପ୍ରଦାୟର ଲୋକମାନ ଏହି ଦଉଡି ଯୋଗାଇ ଥାଆନ୍ତି । କେନ୍ଦୁଝର ଜିଲ୍ଲାର ରଥଯାତ୍ରା ଆରମ୍ଭରୁ ଏହି ଦଉଡି ସେମାନେ ମନ୍ଦିରକୁ ଯୋଗାଇ ଆସୁଛନ୍ତି। ଅକ୍ଷୟତୃତିୟାରୁ ଏହି କାମ ଆରମ୍ଭ ହୋଇଥାଏ । ଏହି ଦିନଠାରୁ ସେମାନେ ଗନ୍ଧମାର୍ଦ୍ଦନ ପର୍ବତରୁ ବକ୍କଳ ବା ଛାଲ ସଂଗ୍ରହ କରିବା କାମ ଆରମ୍ଭ କରିଥାଆନ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ଆଜ୍ଞାମାଳ ପାଇବା ପରେ ଏହି ଦଉଡି ପ୍ରସ୍ତୁତି ଆରମ୍ଭ ହୋଇଥାଏ । ସେହିଭଳି ଯେଉଁ ଶିଆଳି ଗଛରେ କୌଣସି ଚଢେଇ ବସା କରିନଥିବେ, ଲତାଟି ଗଛ ଉପରୁ ତଳକୁ ଲମ୍ବିଥିବ କେବଳ ସେହି ଗଛରୁ ହିଁ ବକ୍କଳ ବାହାର କରାଯାଇ ଦଉଡି ପ୍ରସ୍ତୁତ କରାଯାଇଥାଏ । ଏହି ଦଉଡିର ଲମ୍ବ ୧୦୮ ହାତ ରହିଥିବାବେଳେ ମୋଟେଇ ୬ ଇଞ୍ଚ ରହିଥାଏ। ଏହା ଖୁବ ସ୍ବତନ୍ତ୍ର ହୋଇଥାଏ ।

Tags: