ନିଆରା ପ୍ରତିବାଦ
ପଞ୍ଜାବର ମୋଗା ସହରର ଦବିନ୍ଦରପାଲ ସିଂହ ନାମକ ଜଣେ ବ୍ୟକ୍ତି ପ୍ରାୟ ୫ ମାସ ପୂର୍ବେ ୩୧.୫୦ ଲକ୍ଷ ଟଙ୍କାରେ ଏକ ଇନୋଭା ହାଇକ୍ରସ୍ ଜେଡଏକ୍ସ କାର୍ କିଣିଥିଲେ । ମାତ୍ର ବାରମ୍ବାର ଶୋ’ରୁମ୍ ଓ କମ୍ପାନୀ ସହ ଯୋଗାଯୋଗ କରିବା ସତ୍ତ୍ୱେ କାର୍ର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ହୋଇପାରିନଥିଲା । ନୂଆ ନିୟମ ଆଳରେ ଶୋ’ରୁମ୍ ତାଙ୍କଠାରୁ ଅତିରିକ୍ତ ୫୪ ହଜାର ଟଙ୍କା ନେଇଥିଲେ ମଧ୍ୟ ଆରଟିଓ ଯାଞ୍ଚ ସମୟରେ ବିଲ୍ ଏବଂ ରେକର୍ଡ ରାଶି ମଧ୍ୟରେ ଫରକ ବାହାରିବାରୁ ରେଜିଷ୍ଟ୍ରେସନ୍ ଅଟକି ଯାଇଥିଲା । ସମସ୍ୟା ଜଣାଇବାରୁ ଜଣେ କର୍ମଚାରୀ ତାଙ୍କୁ ଥଟ୍ଟାରେ "ବେଶି ତରବର ଅଛି ଯଦି ଗାଡ଼ିରେ ଘାସ-ନଡ଼ା ବୁହାବୋହି କର" ବୋଲି ପରାମର୍ଶ ଦେଇଥିଲେ । ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଦବିନ୍ଦରପାଲ କାର୍ ଉପରେ ଘାସ ଲୋଡ୍ କରି ବଳଦ ଦ୍ୱାରା ତାହାକୁ ଟଣାଇ ଶୋ’ରୁମ୍ ଆଗରେ ଏକ ନିଆରା ପ୍ରତିବାଦ କରିଥିଲେ । ବର୍ତ୍ତମାନ ସେ କାର୍ ଫେରାଇ ଟଙ୍କା ଫେରସ୍ତ ମାଗୁଥିବା ବେଳେ ଏଜେନ୍ସି କିମ୍ବା ଟୟୋଟା କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।




