ହୃଦରୋଗର ପ୍ରକାର
ଗର୍ଭାବସ୍ଥାରେ ଅନେକ ପ୍ରକାରର ହୃଦରୋଗ ଦେଖାଯିବାର ଆଶଙ୍କା ରହିଥାଏ । ତେବେ ଏହା ବିଭିନ୍ନ ମହିଳାଙ୍କ କ୍ଷେତ୍ରରେ ଭିନ୍ନଭିନ୍ନ ହୋଇଥାଏ । ତେଣୁ କୌଣସି ରୋଗ ସମ୍ପର୍କରେ ଜାଣିବାକୁ ହେଲେ କେବଳ ଚିକିତ୍ସକଙ୍କ ସହାୟତା ହିଁ ନିଅନ୍ତୁ । ତେବେ ଆସନ୍ତୁ ଜାଣିବା କଣ ହୋଇପାରେ ଏହି ସବୁ ସମସ୍ୟା ।
ହାଇପରଟେନସନ୍
ର୍ଭାବସ୍ଥାରେ ରକ୍ତଚାପ ବା ହାଇପରଟେନସନ୍ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ଯଦି ଜଣେ ଗର୍ଭବତୀ ମହିଳାଙ୍କର ସିଷ୍ଟୋଲିକ୍ ରକ୍ତଚାପ ୧୪୦ mmHg କିମ୍ବା ଡାୟାଷ୍ଟୋଲିକ୍ ରକ୍ତଚାପ ୯୦ mmHg ରୁ ଅଧିକ ହୁଏ, ତେବେ ଏହାକୁ ଉଚ୍ଚ ରକ୍ତଚାପ ଭାବେ ଗଣନା କରାଯାଏ । ଏହାକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇଛି, ପୁରାତନ ରକ୍ତଚାପ ( ଯାହା ଗର୍ଭଧାରଣ ପୂର୍ବରୁ ବା ଗର୍ଭାବସ୍ଥାର ୨୦ ସପ୍ତାହ ପୂର୍ବରୁ ଥାଏ ) । ଗର୍ଭକାଳୀନ ରକ୍ତଚାପ ( ଯାହା ୨୦ ସପ୍ତାହ ପରେ ଆରମ୍ଭ ହୋଇ ପ୍ରସବ ପରେ ଠିକ୍ ହୋଇଯାଏ )। ପ୍ରି-ଏକ୍ଲାମ୍ପସିଆ ( ରକ୍ତଚାପ ସହିତ ପରିସ୍ରାରେ ପୁଷ୍ଟିସାର ନିର୍ଗତ ହେବା ) । ସୁପରଇମ୍ପୋଜଡ୍ ପ୍ରି-ଏକ୍ଲାମ୍ପସିଆ ( ପୂର୍ବରୁ ରକ୍ତଚାପ ଥିବା ମହିଳାଙ୍କ କ୍ଷେତ୍ରରେ ପ୍ରି-ଏକ୍ଲାମ୍ପସିଆର ଲକ୍ଷଣ ଦେଖାଯିବା )। ଏହା ଗର୍ଭାବସ୍ଥାରେ ଦେଖାଯାଉଥିବା ସବୁଠାରୁ ସାଧାରଣ ହୃଦ୍ରୋଗ ସମସ୍ୟା । ଏହି କ୍ଷେତ୍ରରେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ମା' ଏବଂ ଶିଶୁ ଉପରେ ଏହାର ଦୀର୍ଘକାଳୀନ ପ୍ରଭାବ । ଯଦି ଏହି ରୋଗରେ ଆପଣ ପୀଡିତ ତେବେ ନିଜର ଯତ୍ନ ଖୁବ ଅଧିକ ନିଅନ୍ତୁ ଏବଂ ଚିକିତ୍ସକଙ୍କ ପରାମର୍ଶରେ ରୁହନ୍ତୁ ।
ରିଉମାଟିକ୍
ଗର୍ଭାବସ୍ଥା ସମୟରେ ଦେଖିବାକୁ ମିଳୁଥିବା ହୃଦ୍ରୋଗ ସମସ୍ୟା ମଧ୍ୟରେ ରିଉମାଟିକ୍ ପ୍ରମୁଖ । ଏହା ମୁଖ୍ୟତଃ ହୃତପିଣ୍ଡର ଭାଲ୍ଭ୍ ଗୁଡ଼ିକୁ ପ୍ରଭାବିତ କରିଥାଏ। ବିଶ୍ୱସ୍ତରୀୟ ଆର୍ ଓ ପି ଏ ସି ରିପୋର୍ଟ ଅନୁଯାୟୀ, ଗର୍ଭବତୀ ମହିଳାଙ୍କ ମଧ୍ୟରେ ଆର୍ ଏଚ ଡି ବା ରିଉମାଟିକର ମାତ୍ରା ଅଧିକ ରହିଥାଏ । ଭାରତରେ ହୋଇଥିବା ଏକ ଅନୁଧ୍ୟାନ ଅନୁଯାୟୀ, ପ୍ରାୟ ୪୨% ହୃଦ୍ରୋଗୀ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଆରଏଚଡି ଦେଖାଯାଇଛି । ଏହି ରୋଗରେ ବିଶେଷ କରି 'ମାଇଟ୍ରାଲ୍ ଭାଲ୍ଭ୍' ପ୍ରଭାବିତ ହୋଇଥାଏ ।
ହୃଦ୍ଘାତ
ଗର୍ଭାବସ୍ଥାରେ ହୃଦ୍ଘାତ ବା ହାର୍ଟ ଫେଲୁଅର୍ ଏକ ଅତି ଗୁରୁତର ଜଟିଳତା, ଯାହା ମାତୃ ମୃତ୍ୟୁର ଏକ ପ୍ରମୁଖ କାରଣ। ଭାରତରେ ହୋଇଥିବା ଅନୁଧ୍ୟାନ ଅନୁଯାୟୀ, ଅନେକ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ 'ଲେଫ୍ଟ ଭେଣ୍ଟ୍ରିକୁଲାର ସିଷ୍ଟୋଲିକ୍ ଡିସଫଙ୍କସନ' ଅର୍ଥାତ ହୃଦୟର ରକ୍ତ ପମ୍ପ କରିବା କ୍ଷମତା କମିଯିବାର ଦେଖାଯାଏ । ତଥ୍ୟ ଅନୁଯାୟୀ, ହୃଦ୍ରୋଗ ଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ପ୍ରାୟ ୧୭% ହାର୍ଟ ଫେଲୁଅରର ଶିକାର ହୋଇଥାନ୍ତି । ଏହି ସମସ୍ୟା ଥିବା ମହିଳାଙ୍କ ମୃତ୍ୟୁ ହାର (୪.୮%), ସୁସ୍ଥ ମହିଳାଙ୍କ (୦.୫%) ତୁଳନାରେ ଅନେକ ଗୁଣ ଅଧିକ । ବିଶେଷ କରି ଗର୍ଭାବସ୍ଥାର ଦ୍ୱିତୀୟ ତ୍ରୈମାସିକର ଶେଷ ଭାଗରେ ଏହି ବିପଦ ସବୁଠାରୁ ଅଧିକ ରହିଥାଏ ।



