ଆସ ବୁଲିଯିବା
ନୂଆବର୍ଷରେ କିଛି ନୂଆଯାଗା ବୁଲିବାକୁ ସମସ୍ତେ ଯୋଜନା କରନ୍ତି । ତେବେ ଓଡ଼ିଶାରେ ମଧ୍ୟ ଏଭଳି କିଛି ଯାଗା ଅଛି ଯାହା ଆପଣଙ୍କୁ ଏକ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବ । ଆସନ୍ତୁ ସେହିଭଳି କିଛି ସ୍ଥାନ ସମ୍ପର୍କରେ ଅଳ୍ପରେ ଜାଣିବା ଯାହା ଓଡ଼ିଶାର ସୌନ୍ଦର୍ଯ୍ୟ ସମ୍ପର୍କରେ ଆପଣଙ୍କୁ ଜଣାଇବ ।
ଗଜପତି
ଗଜପତି ଜିଲ୍ଲାରେ ଏଭଳି ଅନେକ ସ୍ଥାନ ରହିଛି ଯାହାକୁ ଆପଣ ଖୁବ ଉପଭୋଗ କରିପାରିବେ । ଏଠାରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଆପଣ ମନଭରି ଦେଖିପାରିବେ । ଏଠାରେ ରହିଛି ବୃନ୍ଦାବନ ରାଜଭବନ, ଯାହାକୁ ପାରଳାଖେମୁଣ୍ଡି ମହାରାଜା ନିର୍ମାଣ କରିଥିଲେ । ଏହି ରାଜଭବନ ମହେନ୍ଦ୍ରତନୟା ନଦୀର କୂଳରେ ରହିଛି, ଯାହାର ସୌନ୍ଦର୍ଯ୍ୟ ଖୁବ ମନୋରମ । ଏହାସହ ଗଜପତିର ଆଉ ଏକ ସ୍ଥାନ ରହିଛି ଯାହା ଓଡ଼ିଶା ସହିତ ଓଡ଼ିଶା ବାହାରେ ମଧ୍ୟ ପରିଚିତ, ଯାଗାର ନାଁ ହେଲା ଚନ୍ଦ୍ରଗିରି । ଏଠାରେ ରହିଛି ବୁଦ୍ଧ ଧର୍ମାବଲମ୍ବୀଙ୍କର ମନ୍ଦିର ଯାହା ଏସିଆରେ ପରିଚିତ । ଏଠାରେ ଅନେକ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ, ଯାହା ଦେଖିବାକୁ ଲୋକମାନଙ୍କର ଅନେକ ସମୟରେ ଭିଡ ଯମିଥାଏ । ଅନ୍ୟସ୍ଥାନ ଭିତରେ ଏଠାରେ ଥିବା ଗଣ୍ଡହାତି ଜଳପ୍ରପାତ ଓ ମହେନ୍ଦ୍ରଗିରି ଯାହା ପର୍ଯ୍ୟଟକଙ୍କର ଖୁବ ପସନ୍ଦ ଆସିଥାଏ ।

ନୟାଗଡ
ନୟାଗଡରେ ଅନେକ ସ୍ଥାନ ରହିଛି, ଯେଉଁଠି ଆପଣ ଏକ ସ୍ବତନ୍ତ୍ର ଅନୁଭୂତି ପାଇବେ । ଏଠାରେ ଅନେକ ଏଭଳି ସ୍ଥାନ ରହିଛି ଯାହା ଆପଣଙ୍କ ପରିବାର ପାଇଁ ଏକ ଖୁବ ସୁନ୍ଦର ଛୁଟିର ଅନୁଭବ ଯୋଗାଇବ । ଏଠାରେ ଥିବା ଉଦୟପୁର ଲାଇବ୍ରେରୀ ଯାହା ଆମ ସଂସ୍କୃତି ଓ ସାହିତ୍ୟକୁ ଭଲପାଉଥିବା ଲୋକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଏଠାରେ ପାଖାପାଖି ୫୦ ହଜାରରୁ ଅଧିକ ପୁସ୍ତକ ବିଭିନ୍ନ ଭାଷାରେ ରହିଛି । ସେହିଭଳି ୩୦ଟି ଭାଷାରେ ଅଭିଧାନ ଓ ୬୫ ହଜାରରୁ ଅଧିକ ମାଗାଜିନ ରହିଛି । ନାୟାଗଡର ଅନ୍ୟଏକ ଆକର୍ଷଣ ହେଲା ରଣପୁରରେ ଥିବା ମଣିନାଗ ଦୁର୍ଗାଙ୍କର ମନ୍ଦିର, ଯେଉଁଠି ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଯମିଥାଏ । ଓଡଗାଁରେ ଥିବା ପ୍ରଭୁ ରଘୁନାଥଜୀୟୁଙ୍କ ମନ୍ଦିର ସାରା ଓଡ଼ିଶା ତଥା ବାହାରେ ମଧ୍ୟ ବେଶ ପ୍ରସିଦ୍ଧ । ଏଠାରେ ଅନେକ ଐତିହାସିକ ସ୍ଥାନ ରହିଛି ଯେଉଁଠାରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ ଦେଖିବାକୁ ମିଳିଥାଏ । ଏଠାରେ ଗୋକୁଳାନନ୍ଦ ମନ୍ଦିର, କୁଟୁରୀ ସାଞ୍ଚୁରୀ, ବାରମୂଳ ଗ୍ରାମ, କଣ୍ଟିଲୋ ନିଳମାଧବ, ଶରଳକୂଳ ଲଡୁବାବାଙ୍କ ମନ୍ଦିର ଆଦି ରହିଛି ଯେଉଁଠାରେ ଅନେକ ପର୍ଯ୍ୟଟକଙ୍କର ଭିଡ ସବୁଦିନ ଦେଖିବାକୁ ମିଳିଥାଏ ।
ସୁନ୍ଦରଗଡ
ସୁନ୍ଦରଗଡର ରାଉରକେଲାରେ ରହିଛି ବୌଷ୍ଣବୀଦେବୀଙ୍କ ମନ୍ଦିର । ଯେଉଁମାନେ ଜମ୍ମୁରେ ଥିବା ମାଆଙ୍କ ମନ୍ଦିରକୁ ଯାଇପାରୁ ନାହାନ୍ତି ସେମାନେ ଏଠାକୁ ଆସି ପୂଜା ଅର୍ଚ୍ଚନା କରିପାରିବେ । ଏହି ମନ୍ଦିରର ଆକୃତି ମଧ୍ୟ ସେଠିକାର ମନ୍ଦିର ସହିତ ଅନେକାଂଶରେ ସମାନ । ଏହି ପାହାଡ ଉପରେ ଭୈରବନାଥଙ୍କର ମନ୍ଦିର ମଧ୍ୟ ରହିଛି । ଏହାପରେ ହନୁମାନ ବାଟିକା ସମସ୍ତଙ୍କର ଖୁବ ପସନ୍ଦ ହୋଇଥାଏ । ଏଠାରେ ହନୁମାନଙ୍କର ୭୫ ଫୁଟର ହନୁମାନ ମୂର୍ତ୍ତି ରହିଛି । ଏହି ବାଟିକା ଭିତରେ ଅନ୍ୟ ଦେବାଦେବୀଙ୍କ ମନ୍ଦିର ମଧ୍ୟ ରହିଛି । ଏଠାରେ ଥିବା ବେଦବ୍ୟାସ ଧାମ, ଖଣ୍ଡାଧର ଜଳପ୍ରପାତ ଆଦି ମଧ୍ୟ ବେଶ ଆକର୍ଷଣୀୟ, ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କର ଭିଡ ଯମିଥାଏ ।

ଝାରସୁଗୁଡା
ଏଠାରେ ଥିବା ଚଣ୍ଡି ମନ୍ଦିର ସାରା ଓଡ଼ିଶାରେ ଖୁବ ପରିଚିତ । ଏହି ମନ୍ଦିରର ଠାକୁରାଣୀଙ୍କ ସହିତ ମନ୍ଦିରର ପରିବେଶ ମଧ୍ୟ ଖୁବ ସୁନ୍ଦର ଦେଖିବାକୁ । ନଦୀକୂଳରେ ଥିବାରୁ ମନ୍ଦିରର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଇଥାଏ । ଏଠାରେ ପ୍ରତିସମୟରେ ବୁଲିବାପାଇଁ ଅନେକ ପର୍ଯ୍ୟଟକଙ୍କର ଭିଡ ଯମିଥାଏ । ଝରସୁଗୁଡା ରେଳ ଷ୍ଟେସନ ନିକଟରୁ ଖୁବ କମ ଦୂରରେ ରହିଛି ପାହାଡି ମନ୍ଦିର । ଯେଉଁଠାରେ ଭଗବାନ ଶିବଙ୍କର ପୂଜା କରାଯାଇଥାଏ । ଏହି ପାହାଡ ଉପରୁ ଝାରସୁଗୁଡା ସହରକୁ ଖୁବ ସୁନ୍ଦରଭାବେ ଦେଖି ହୋଇଥାଏ । ଆଉ ଏକ ଶିବ ମନ୍ଦିର ହେଉଛି ଝଡେଶ୍ବର ଶିବ ମନ୍ଦିର ଯେଉଁଠାରେ ମଧ୍ୟ ଶିବଙ୍କୁ ପୂଜା କରାଯାଇଥାଏ । ସ୍ଥାନୀୟ ଅଞ୍ଚଳରେ ଏହି ମନ୍ଦିରର ମହିମା ଖୁବ ଅଧିକ ରହିଛି । ଶିବରାତ୍ରୀ ସମୟରେ ଏଠାର ଖୁବ ଭିଡ ଲାଗି ରହିଥାଏ । ଜଳପ୍ରପାତ ମଧ୍ୟରେ କୋଇଲିଘୁଘର ଜଳପ୍ରପାତ ଦେଖିବାକୁ ଖୁବ ସୁନ୍ଦର । ଏଠାରେ ଆଖପାଖରେ ଘଞ୍ଚ ଜଙ୍ଗଲ ରହିଛି ଯାହା ଏହାର ଶୋଭା ବଢାଇଥାଏ । ସେହିଭଳି ଏହି ଝରଣା ଭିତରେ ଲୁଚି ରହିଛନ୍ତି ମହେଶ୍ବରନାଥ ଶିବ । ଯିଏ ସହଜରେ ଦୃଶ୍ୟ ହୋଇ ନଥାଆନ୍ତି । ବେଳେବେଳେ ସୂର୍ଯ୍ୟ କିରଣରେ ପର୍ଯ୍ୟଟକମାନେ ତାଙ୍କର ଦର୍ଶନ କରିଥାଆନ୍ତି । ଅନ୍ୟ ସ୍ଥାନ ଭିତରେ ବିକ୍ରମଖୋଲ ଗୁମ୍ଫା, ଉଲ୍ଲାପଘର କିଲ୍ଲା, ମାଆ ରାମ ଚଣ୍ଡୀଙ୍କ ମନ୍ଦିର ରହିଛି, ଯେଉଁଠାରେ ଅନେକ ପର୍ଯ୍ୟଟକଙ୍କର ଭିଡ ଯମିଥାଏ ।
ଦେଓଗଡ
ଯଦି ଦେଓଗଡ ଆସୁଛନ୍ତି ତେବେ ଏଠାରେ ଅନେକସ୍ଥାନ ରହିଛି ଯାହାକୁ ଆପଣ ଏକ୍ସପ୍ଲୋର କରିପାରିବେ । ଏଠାରେ ବିଭିନ୍ନ ମନ୍ଦିର, ଝରଣା ଓ ଜଙ୍ଗଲ ରହିଛି ଯାହା ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । ଏଠାରେ ରହିଛି କତସର ଘାଟ ଯାହା ଏକ ସଂରକ୍ଷିତ ଜଙ୍ଗଲ । ଏହାର ଚାରିକଡରେ ଖୁବ ଘଞ୍ଚ ଜଙ୍ଗଲ ରହିଛି । ଏହି ମନ୍ଦିରରେ ପୂଜା ପାଇଥାଆନ୍ତି ଦେବୀ ବନଦୁର୍ଗା । ମନ୍ଦିରର ଅଗଣାରେ ଏକ ପ୍ରାକୃତିକ ଝରଣା ମଧ୍ୟ ବୋହୁଛି, ଯାହା ପର୍ଯ୍ୟଟକଙ୍କୁ ଖୁବ ଆକୃଷ୍ଟ କରିଥାଏ । ଆଉ ଏକ ସ୍ଥାନ ହେଲା ଗୋହିର ଡ୍ୟାମ,ଯାହା ପିକନିକ ପାଇଁ ଏକ ସୁନ୍ଦର ସ୍ଥାନ । ଏହାକୁ ୧୯୮୧ରେ ନିର୍ମାଣ କରାଯାଇଥିଲା । ଦେଓଗଡରେ ରହିଛି ଶ୍ରୀଜଗନ୍ନାଥଙ୍କ ମନ୍ଦିର ଯାହା ଏଠାର ଖୁବ ପୁରୁଣା ଓ ପ୍ରସିଦ୍ଧ ମନ୍ଦିର । ଏହି ମନ୍ଦିରର କାରୁକାର୍ଯ୍ୟ ଖୁବ ସୁନ୍ଦର ଓ ସ୍ବତନ୍ତ୍ର । ଅନ୍ୟସ୍ଥାନ ଭିତରେ ଦରଗାଡି ଝରଣା, ଝାଡେଶ୍ବର ମନ୍ଦିର, ଦେଓଝର ଝରଣା ଆଦି ଖୁବ ପରିଚିତ । ପ୍ରକୃତି ପ୍ରେମୀଙ୍କ ପାଇଁ ଏହି ସ୍ଥାନଟି ସ୍ବର୍ଗ ସଦୃଶ ।
ଭଦ୍ରକ
ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଶିବଙ୍କର ଏହି ମନ୍ଦିରଟି ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । ଏହା ଖୁବ ପୁରାତନ ହୋଇଥିବାବେଳେ ମନ୍ଦିରର କାରୁକାର୍ଯ୍ୟ ଖୁବ ସ୍ବତନ୍ତ୍ର ହୋଇଥାଏ । ଏହା ପଥରରୁ ନିର୍ମାଣ ହୋଇଥିବାବେଳେ ଏହାର ଉଚ୍ଚତା ରହିଛି ୧୫୦ ଫୁଟ ଯାହା ଏହାକୁ ସ୍ବତନ୍ତ୍ର କରିଥାଏ । ସେହିଭଳି ଆଉ ଏକ ମନ୍ଦିର ହେଲା ମାଆ ଭଦ୍ରକାଳୀଙ୍କ ପୀଠ ଯେଉଁଠି ପ୍ରତିଦିନ ଅନେକ ଶ୍ରଦ୍ଧାଳୁଙ୍କର ଆଗମନ ଦେଖିବାକୁ ମିଳିଥାଏ । ମାଆଙ୍କର ମାନତ୍ୟା ଖୁବ ଅଧିକ ରହିଛି । ଏହି ସହରରେ ଅନେକ ମନ୍ଦିର ଯେପରି ମାଆ ଧାମରାଇ, ଶ୍ରୀବିରଞ୍ଚି ନାରାୟଣ ମନ୍ଦିର, ରକ୍ତତୀର୍ଥ ଇରାମ ଆଦି ରହିଛି ଯାହା ଏହାକୁ ପର୍ଯ୍ୟଟନର ପେଣ୍ଠସ୍ଥଳୀ କରିଥାଏ । ଭଦ୍ରକ ଆସିଲେ ସମସ୍ତେ ଖୁବ ସୁନ୍ଦର ଅନୁଭୂତି ନେଇ ଘର ବାହୁଡିଥାଆନ୍ତି । ଏଠାରେ ଥିବା ସ୍ଥାନ ପ୍ରକୃତି ମାଆର ସୌନ୍ଦର୍ଯ୍ୟର ନିଚ୍ଛକ ଉଦାହରଣ ସମସ୍ତଙ୍କ ଆଗରେ ପ୍ରସ୍ତୁତ କରିଥାଏ ।
Related Posts



