ସାପର ଟ୍ୟୁମର ଚିକିତ୍ସା
ଛତିଶଗଡ଼ର ବିଲାସପୁରଠାରେ ପଶୁ ଚିକିତ୍ସକମାନଙ୍କ ସଫଳ ଅସ୍ତ୍ରୋପଚାର ଯୋଗୁଁ ଏକ ୮.୫ କିଲୋଗ୍ରାମ ଓଜନର ଭାରତୀୟ ରକ୍ ପାଇଥନ୍ ବା ଅଜଗର ସାପକୁ ନୂତନ ଜୀବନଦାନ ମିଳିଛି । ସରଗୁଜା ଜଙ୍ଗଲରୁ ସାପ ଉଦ୍ଧାରକାରୀ ସତ୍ୟମ୍ ଦ୍ୱିବେଦୀ ଏହି ଅଜଗରକୁ ଉଦ୍ଧାର କରିଥିଲେ । ହେଲେ ଏହାର ଗଳାରେ ଅତ୍ୟଧିକ ଫୁଲା ଯୋଗୁଁ ମୁହଁ ବାହାରକୁ ବାହାରି ଆସିଥିଲା । ଯାହାପରେ ସାପଟିକୁ ନେଇ ଗତ ୧୨ ଅକ୍ଟୋବରରେ ସତ୍ୟମ୍ ୨୫୦ କିଲୋମିଟର ଦୂର ବିଲାସପୁର ଗସ୍ତ କରିଥିଲେ । ଯେଉଁଠାରେ ଚିକିତ୍ସକମାନେ ପରୀକ୍ଷା ନିରୀକ୍ଷା ପରେ ଏହାର ପାଟି ଭିତରେ କ୍ୟାନ୍ସର ଆଶଙ୍କା ଥିବା ଏକ ୨୦୦ ଗ୍ରାମର ଟ୍ୟୁମର୍ ଚିହ୍ନଟ କରିଥିଲେ । ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଜଟିଳ ଅପରେସନ୍ ମାଧ୍ୟମରେ ଟ୍ୟୁମରକୁ ସଫଳତାର ସହ ବାହାର କରାଯାଇଥିଲା । ଅପରେସନ୍ପରେ ସାପଟିକୁ ସାଲାଇନ୍ ଦିଆଯାଇ ବିଶେଷ ନଜରରେ ରଖାଯାଇଛି । କୌଣସି ସରୀସୃପ (ସାପ)ର ଟ୍ୟୁମର୍ ଅସ୍ତ୍ରୋପଚାର ସଫଳ ହେବାରେ ଏହା ପ୍ରଥମ ଘଟଣା ବୋଲି ଚର୍ଚ୍ଚାହେଉଛି ।
Tags:




