ତ୍ରାହି - ତ୍ରାହି
ଖରାରେ ସିଝୁଛି ସାରା ଭାରତ, ଦିନକୁ ଦିନ ତାପମାତ୍ରା ବଢି କିଛି ସ୍ଥାନରେ ୪୫ ଡିଗ୍ରୀ ଟପିଛି । ଅସହ୍ୟ ଗରମ ଓ ଗୁଳଗୁଳିରେ ଯେପରି ପ୍ରତ୍ୟେକସ୍ଥାନ ସନ୍ତୁଳି ହେଉଛି । ତେବେ ପ୍ରତିବର୍ଷ ବଢୁଥିବା ତାପମାତ୍ରା ବର୍ତ୍ତମାନ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି । ପରିବେଶବିଦଙ୍କ ମତରେ ଏଥିପ୍ରତି ଏବେଠାରୁ ସଚେତନ ନେହେଲେ ଆଗକୁ ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।
୨୦୨୬ର ମେ ମାସ ଯେପରି ସବୁଠାରୁ ଉତ୍ତପ୍ତମାସରେ ପରିଣତ ହୋଇଛି । ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ଗରମ ଓ ଖରା ଦେଖିବାକୁ ମିଳୁଛି । ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ, ଏଭଳି ତାତି ପ୍ରାୟତଃ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଦେଖିବାକୁ ମିଳିବ । ଏହି ସମୟରେ ଦେଶର ଅନେକ ଭାଗରେ ତୀବ୍ର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଅନେକ ଅଞ୍ଚଳରେ ତାପମାତ୍ରା ଏବେଠାରୁ ୪୨-୪୫ ଡିଗ୍ରୀ ସେଲସିୟସ୍ ଛୁଇଁଲାଣି । ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଜାରି ରହିବାର ସମ୍ଭାବନା ଅଛି ଏବଂ ଅନେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।
ସେହିଭଳି ଗତ ଏପ୍ରିଲ୍ ୨୧ ତାରିଖ ରେ 'ଏୟାର କ୍ୱାଲିଟି ଇଣ୍ଡେକ୍ସ'ର ତଥ୍ୟ ଅନୁଯାୟୀ, ବିଶ୍ୱର ୨୦ଟି ସବୁଠାରୁ ଉତ୍ତପ୍ତ ସହର ମଧ୍ୟରୁ ୧୯ଟି ସହର ଭାରତରେ ଅବସ୍ଥିତ ଥିଲା । ଭାରତ ଶୀଘ୍ର ବିଶ୍ୱର ଗ୍ରୀଷ୍ମ ରାଜଧାନୀରେ ପରିଣତ ହେବାକୁ ଯାଉଛିବୋଲି ଏହି ରିପୋର୍ଟ ପ୍ରମାଣିତ କରେ । ଏହି ସହରଗୁଡ଼ିକ ମଧ୍ୟରେ ବିହାରରୁ ସାତଟି, ଓଡ଼ିଶାରୁ ଦୁଇଟି, ପଶ୍ଚିମବଙ୍ଗରୁ ଆଠଟି ଏବଂ ଉତ୍ତର ପ୍ରଦେଶରୁ ଦୁଇଟି ସହର ସାମିଲ ରହିଥିଲା । ଏକ ରିପୋର୍ଟ ଅନୁଯାୟୀ, ଏହି ତଥ୍ୟ ରେକର୍ଡ କରାଯିବା ସମୟରେ ବିହାରର ଭାଗଲପୁର, ଓଡ଼ିଶାର ତାଳଚେର ଏବଂ ପଶ୍ଚିମବଙ୍ଗର ଆସାନସୋଲ୍ରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍ ପାଖାପାଖି ରହି ତାଲିକାର ଶୀର୍ଷରେ ଥିଲେ । ଯାହା ସେହି ସମୟରେ ପୃଥିବୀର ଯେକୌଣସି ସ୍ଥାନ ତୁଳନାରେ ସବୁଠାରୁ ଅଧିକ ଥିଲା। ଏହା ପଛକୁ ବେଗୁସରାଇ, ମୋତିହାରୀ, ମୁଙ୍ଗେର, ଭୋଜପୁର ଏବଂ ସିୱାନ ଭଳି ଅନ୍ୟାନ୍ୟ ସହର ସହିତ ପୂର୍ବ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର କିଛି ଅଂଶ ରହିଥିଲା, ଯେଉଁଠାରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଥିଲା । ଉତ୍ତର, କେନ୍ଦ୍ରୀୟ ଏବଂ ପୂର୍ବ ଅଞ୍ଚଳଗୁଡ଼ିକ ଅତ୍ୟଧିକ ଗରମ ସହିତ ଲଢ଼ୁଥିବା ବେଳେ, ଦକ୍ଷିଣ ଏବଂ ଉତ୍ତର-ପୂର୍ବ ଭାରତର କେତେକ ଅଂଶରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ଓ ବଜ୍ରପାତ ଜନିତ କାର୍ଯ୍ୟକଳାପ ଯୋଗୁଁ ପାଣିପାଗ ସ୍ଥିତିରେ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳୁଛି । ଏହି ପରସ୍ପର ବିରୋଧୀ ପାଣିପାଗ ଶୈଳୀ ବୃଦ୍ଧି ପାଉଥିବା ଜଳବାୟୁ ପରିବର୍ତ୍ତନଶୀଳତାର ଏକ ସ୍ପଷ୍ଟ ସଙ୍କେତ ବୋଲି ବିଶେଷଜ୍ଞମାନେ କହିଛନ୍ତି, ଏବଂ ସେମାନେ ସତର୍କ କରାଇ ଦେଇଛନ୍ତି ଯେ ଏହା ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଓ ପରିମାଣ ଉଭୟକୁ ବୃଦ୍ଧି କରିବ ।



