ପରମ୍ପରାରୁ ପରିଚୟ

ପରମ୍ପରାରୁ ପରିଚୟ
Ipsita Picture
By: Ipsita
Published On

ଭାରତର ସଂସ୍କୃତି ଠାରୁ ଆରମ୍ଭ କରି ବେଶପୋଷାକ ସବୁ ବେଶ ନିଆରା । ଭାରତୀୟ ପାରମ୍ପରିକ  ହସ୍ତତନ୍ତ ପୋଷାକର ଆଦର ସବୁସ୍ଥାନରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଅନେକ ସମୟରେ ଭାରତୀୟ ହସ୍ତତନ୍ତକୁ ବିଶ୍ବର ବିଭିନ୍ନ ବଡବଡ ଫ୍ୟାଶନ ଶୋରେ ପ୍ରଦର୍ଶିତ କରାଯାଉଥିବାର ଦେଖିବାକୁ ମିଳୁଛି ଯାହା ଏହାକୁ ଆହୁରି ପ୍ରସିଦ୍ଧ କରାଉଛି ।

ଆଜିକାଲିର ବଦଳୁଥିବା ଫ୍ୟାଶନ ଦୁନିଆରେ 'ସ୍ଲୋ ଫ୍ୟାଶନ' ବା ସ୍ଥାୟୀ ପୋଷାକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ଭାରତର ହଜାର ହଜାର ବର୍ଷର ପୁରୁଣା ହସ୍ତତନ୍ତ କଳା ବିଶ୍ୱର ବଡ଼ ବଡ଼ ଲଗଜୁରୀ ବ୍ରାଣ୍ଡଗୁଡ଼ିକର ପ୍ରଥମ ପସନ୍ଦ ପାଲଟିଛି । କାରଣ ଏହା କେବଳ ଏକ କପଡ଼ା ନୁହେଁ, ବରଂ ଭାରତୀୟ ହସ୍ତତନ୍ତ ଏବେ ଏକ ବିଶ୍ୱସ୍ତରୀୟ ଷ୍ଟାଇଲ୍ ଷ୍ଟେଟମେଣ୍ଟରେ ପରିଣତ ହୋଇଛି । ନିକଟରେ ଅନୁଷ୍ଠିତ ବିଭିନ୍ନ ଆନ୍ତର୍ଜାତୀୟ ଫ୍ୟାଶନ ଶୋମାନଙ୍କରେ ଭାରତୀୟ ବୁଣାକାରଙ୍କ କାରିଗରୀ ଦେଖିବାକୁ ମିଳୁଛି । ପ୍ୟାରିସ ବା ମିଲାନର ବଡ଼ ବଡ଼ ମଲ୍ରେ ବିକ୍ରି ହେଉଥିବା ମୂଲ୍ୟବାନ ପୋଷାକ ପଛରେ ଭାରତର କୌଣସି ଏକ ଗାଁର ବୁଣାକାରଙ୍କ ହାତର ଯାଦୁ ରହିଥବା ଜଣାପଡୁଛି । ସମ୍ବଲପୁରୀ ବାନ୍ଧ ହେଉ କିମ୍ବା ବାରାଣସୀର ଜରି କାମ, ଏହି କଳା ଏବେ ବିଶ୍ୱ ବଜାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଭାରତୀୟ ହସ୍ତତନ୍ତ ଏକ ଜଟିଳ ଜ୍ୟାମିତିକ ଗଣନା ଉପରେ ଆଧାରିତ। ବିଶେଷ କରି ଓଡ଼ିଶାର 'ଇକତ' ବା 'ବାନ୍ଧ' କଳାରେ ସୂତାକୁ ବୁଣିବା ପୂର୍ବରୁ ଯେଉଁଭଳି ଭାବେ ରଙ୍ଗ କରାଯାଏ, ତାହା ବିଶ୍ୱର ବଡ଼ ବଡ଼ ଡିଜାଇନରଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମୁସଲିନର ହାଲୁକା ପଣ ଏବଂ ପେଠାନୀ ବା କାଞ୍ଜିଭରମର ସୂକ୍ଷ୍ମ କାମ କୌଣସି ମେସିନ ଦ୍ୱାରା ପ୍ରସ୍ତୁତ କରିବା ଅସମ୍ଭବ । ସେହିଭଳି ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା ପାଲଟିଛି । ହେଲେ ହସ୍ତତନ୍ତ ଶିଳ୍ପରେ ବିଦ୍ୟୁତର ବ୍ୟବହାର ହୁଏ ନାହିଁ ଏବଂ ଏଥିରେ ବ୍ୟବହୃତ ଅଧିକାଂଶ ରଙ୍ଗ ପ୍ରାକୃତିକ ଉତ୍ସରୁ ମିଳିଥାଏ । ଏହି କାରଣରୁ ପାଶ୍ଚାତ୍ୟ ଦେଶର ଗ୍ରାହକମାନେ ଏବେ କେମିକାଲ ଯୁକ୍ତ ମେସିନ କପଡ଼ା ଛାଡ଼ି ଭାରତୀୟ ହସ୍ତତନ୍ତ ଆଡ଼କୁ ଆକର୍ଷିତ ହେଉଛନ୍ତି । ଯାହା ପରିବେଶ ପାଇଁ ମଧ୍ୟ ଲାଭ ଦାୟକ ସାବସ୍ତ୍ୟ ହେଉଛି । ଏତେ ଚାହିଦା ସତ୍ତ୍ୱେ ବୁଣାକାରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାୱାରଲୁମର ଶସ୍ତା କପଡ଼ା ଏବଂ ମଧ୍ୟସ୍ଥିଙ୍କ ପ୍ରାଦୁର୍ଭାବ ଯୋଗୁଁ ପ୍ରକୃତ କାରିଗର ଉଚିତ ମୂଲ୍ୟ ପାଉନାହାଁନ୍ତି । ତଥାପି, ସୋସିଆଲ ମିଡିଆ ଏବଂ ଇ-କମର୍ସ ପ୍ଲାଟଫର୍ମ ଯୋଗୁଁ ଏବେ ବୁଣାକାରମାନେ ସିଧାସଳଖ ବିଶ୍ୱ ବଜାର ସହ ଯୋଡ଼ି ହେବା ଆରମ୍ଭ କଲେଣି । ତେବେ ଭାରତୀୟ ହସ୍ତତନ୍ତ କେବଳ ଅତୀତର ଗୌରବ ନୁହେଁ, ଏହା ହେଉଛି ଭବିଷ୍ୟତର ଫ୍ୟାଶନ । ଯଦି ବୁଣାକାରଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଏବଂ ବଜାର ସୁବିଧା ଯୋଗାଇ ଦିଆଯାଏ, ତେବେ ଭାରତ ବିଶ୍ୱର 'ଟେକ୍ସଟାଇଲ ହବ୍' ଭାବେ ନିଜର ସ୍ଥାନ ଆହୁରି ମଜବୁତ କରିପାରିବ ।

Tags: