ଟଏଲେଟ ରେସ୍ତୋରାଁ
ଆଜିକାଲି ଲୋକମାନେ କେବଳ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ବରଂ କିଛି ଭିନ୍ନ ଏବଂ ସ୍ମରଣୀୟ ଅଭିଜ୍ଞତା ଚାହୁଁଛନ୍ତି । ଯାହାକୁ ଆଖିରେ ରଖି ତାଇୱାନର ଏକ ‘ମଡର୍ଣ୍ଣ ଟଏଲେଟ୍ ରେସ୍ତୋରାଁ’ କିଛି ସ୍ବତନ୍ତ୍ର ପନ୍ଥା ଆପଣାଇଛି, ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅଦ୍ଭୁତ ରେସ୍ତୋରାଁର ବିଶେଷତ୍ୱ ହେଉଛି ଏଠାରେ ଗ୍ରାହକମାନଙ୍କ ପାଇଁ ସାଧାରଣ ଚେୟାର ବଦଳରେ ଟଏଲେଟ୍ ସିଟ୍ ଭଳି ଆସନ ପଡ଼ିଛି । ଏହାସହ ସମସ୍ତ ପ୍ରକାର ଖାଦ୍ୟ ଓ ପାନୀୟକୁ କମୋଡ୍, ୟୁରିନାଲ୍ ଏବଂ ବାଥଟବ୍ ଆକାରର ବାସନରେ ପରଷାଯାଇଥାଏ। ପ୍ରଥମ ଥର ପାଇଁ ଆସୁଥିବା ଗ୍ରାହକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲେ ମଧ୍ୟ ସେମାନଙ୍କୁ ଏହି ନିଆରା ଅନୁଭବ ଖୁବ୍ ପସନ୍ଦ ଆସୁଛି । ଏହି ଅଭିନବ ଚିନ୍ତାଧାରାର ଆରମ୍ଭ ୨୦୦୪ ମସିହାରେ ହୋଇଥିଲା, ଯେଉଁଠି ଏହାର ପ୍ରତିଷ୍ଠାତା ଜଣେ ଜାପାନୀ କମିକ୍ସରୁ ପ୍ରେରଣା ପାଇ ପ୍ରଥମେ ଏକ ଛୋଟ ଦୋକାନ ଖୋଲିଥିଲେ । ସେଠାରେ ଟଏଲେଟ୍ ଆକାରର ପାତ୍ରରେ ଆଇସକ୍ରିମ୍ ଓ ସ୍ନାକ୍ସ ସର୍ଭ କରୁଥିଲେ, ଯାହା ପରବର୍ତ୍ତୀ ସମୟରେ ଏହି ପ୍ରସିଦ୍ଧ ରେସ୍ତୋରାଁର ରୂପ ନେଇଛି ।




