ଆଜି ଉତ୍କଳ ଦିବସ
ଭୁବନେଶ୍ୱର : ଏପ୍ରିଲ ୧ ଆଜି ପବିତ୍ର ଉତ୍କଳ ଦିବସ I ପ୍ରତି ଓଡ଼ିଆ ଭାଇ ଓ ଭଉଣୀଙ୍କ ପାଇଁ ଆଜି ଗର୍ବ ଓ ଗୌରବର ଦିନ I ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା । ଓଡ଼ିଆ ଜାତିର ଅସ୍ମିତାର ସୁରକ୍ଷା ନେଇ ଏକ ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା […]
ଭୁବନେଶ୍ୱର : ଏପ୍ରିଲ ୧ ଆଜି ପବିତ୍ର ଉତ୍କଳ ଦିବସ I ପ୍ରତି ଓଡ଼ିଆ ଭାଇ ଓ ଭଉଣୀଙ୍କ ପାଇଁ ଆଜି ଗର୍ବ ଓ ଗୌରବର ଦିନ I ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା । ଓଡ଼ିଆ ଜାତିର ଅସ୍ମିତାର ସୁରକ୍ଷା ନେଇ ଏକ ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସାରା ରାଜ୍ୟ । ଏହାରି ଭିତରେ ୮୭ ବର୍ଷ ପୂର୍ଣ୍ଣ ୮୮ ବର୍ଷରେ ପାଦ ଥାପିଛି ।
ପୂର୍ବରୁ ଉତ୍କଳ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ି ରହିଥିଲା। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ବର,ମୟୁରଭଞ୍ଜକୁ ବଙ୍ଗଳା ଓ ବିହାରର ମାଡି ବସିଥିବାବେଳେ, ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା। ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ଭାବରେ ମୁକ୍ତ କରିବା ପାଇଁ ଓଡ଼ିଆ ଯୋଗଜନ୍ମା ମହାପୁରୁଷଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା ।
ଏଥିରେ ଅନେକ ସଂଘର୍ଷ, ତ୍ୟାଗ, ବଳିଦାନ ପ୍ରତ୍ୟକ୍ଷ ଭାବେ ଜଡିତ। ମଧୁବାବୁଙ୍କ ଡାକରେ ସେ ସମୟର ଅନେକ ବରପୁତ୍ର ଏହି ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। ସେମାନଙ୍କ ମଧ୍ୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ପଣ୍ଡିତ ଗୋପବନ୍ଧୁ ଦାସ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ, ଗୌରୀଶଙ୍କର ରାୟ, ରମାଦେବୀ, ମାଳତୀ ଚୌଧୁରୀ ଆମର ଚିର ନମସ୍ୟ।
ସେହିପରି ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ,ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରି ଅନେକ ମହାପୁରୁଷଙ୍ଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ଅଛି । ଏହି ବୀରପୁତ୍ରଙ୍କ ଉଦ୍ୟମରେ ୧୯୦୩ରେ ପ୍ରଥମେ ଗଠନ ହେଲା ‘ଉତ୍କଳ ସମ୍ମିଳନୀ’। ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ରେ ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଓଡ଼ିଶା ଦେଶ ପ୍ରୀତି ଦେଖିଲେ ଆଖିରେ ଲୁହ ଜମିଯାଏ । “ମିଶୁ ମୋର ଦେହ ଏ ଦେଶ ମାଟିରେ….ଦେଶବାସୀ ଚାଲିଯାଆନ୍ତୁ ପିଠିରେ । ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼ ପୁରୁ ତହିଁ ପଡି ମୋର ମାଂସ ହାଡ଼ ।”
ଏହାକୁ ସ୍ମରଣୀୟ କରିବା ପାଇଁ ପ୍ରତି ବର୍ଷ ଆଜିର ଦିନରେ ସଜେଇ ହୋଇଥାଏ ସାରା ଓଡିଶା Iଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବିଧାନସଭା, ଲୋକସେବା ଭବନ, ଖାରବେଳ ଭବନ, ନିର୍ମାଣ ସୌଧ, କମିସନରେଟ୍ ପୁଲିସ ମୁଖ୍ୟାଳୟ ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଛି । ସେହିପରି କୃଷି ଭବନ, ରିଜର୍ଭ ବ୍ୟାଙ୍କ ଓ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ସଜା ଯାଇଛି ।




