ମୁହଁରେ ବସାଇଲେ ହଜାର ହଜାର ମହୁମାଛି
ତାମିଲନାଡୁର ତିରୁନେଲବେଲି ଅଞ୍ଚଳର ଇସାକ୍କି ମୁଥୁ (ଯିଏ ସୋସିଆଲ ମିଡିଆରେ 'ମୁରୁଗନ୍' ନାମରେ ମଧ୍ୟ ଜଣାଶୁଣା) ସେ ଏକ ଅଜବ କାରନାମା କରି ଚର୍ଚ୍ଚାକୁ ଆସିଛନ୍ତି । ସେ ହଜାର ହଜାର ଭାରତୀୟ ମହୁମାଛିଙ୍କୁ ନିଜ ମୁହଁ ଓ ମୁଣ୍ଡରେ ବସାଇ ୫ ଘଣ୍ଟା ୩ ମିନିଟ୍ ପର୍ଯ୍ୟନ୍ତ ବିନା ହଲଚଲ ହୋଇ ରହିଥିଲେ । ସୂଚନା ଅନୁସାରେ ଫେବୃଆରୀ ୨୦ ତାରିଖରେ ମାରିଆ ଆର୍ଟସ ଆଣ୍ଡ ସାଇନ୍ସ କଲେଜରେ ସେ ଏହି ରେକର୍ଡ ସୃଷ୍ଟି କରିଥିଲ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି ନିଆରା ସଫଳତାକୁ 'ଚୋଲନ୍ ୱାର୍ଲ୍ଡ ରେକର୍ଡସ' ଏବଂ 'ଚାଇନା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ'ରେ ସ୍ଥାନ ମିଳିଛି । କୃଷି ବିଜ୍ଞାନରେ ପାଠପଢ଼ା ଶେଷ କରିବା ପରେ ଇସାକ୍କି ଏବେ ପୂର୍ଣ୍ଣକାଳୀନ ମହୁମାଛି ପାଳନକୁ ନିଜର ବୃତ୍ତି ଭାବେ ଆପଣେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଏହି କାରନାମାର ମୁଖ୍ୟ ଉଦ୍ଦେଶ୍ୟ କେବଳ ବିଶ୍ୱ ରେକର୍ଡ ଗଢ଼ିବା ନୁହେଁ, ବରଂ ମହୁମାଛିଙ୍କ ପ୍ରତି ଲୋକଙ୍କ ମନରେ ଥିବା ଭୟକୁ ଦୂର କରିବା । ଏହାସହ ମହୁମାଛି ପାଳନକୁ ରୋଜଗାରର ଏକ ଭଲ ବିକଳ୍ପ ଭାବେ ପ୍ରୋତ୍ସାହିତ କରିବାପାଇଁ ଏହି କାର୍ଯ୍ୟ ସେ କରିଥିବା ପ୍ରକାଶ କରିଛନ୍ତି ।




