ପଇସା ଦେଇ ଯାଉଛନ୍ତି ଜେଲ
ଚୀନରେ ନିକଟରେ ଏକ ଜେଲ ଖୁବ ଚର୍ଚ୍ଚାରେ ରହିଛି । ସାଧାରଣତଃ କୌଣସି ଦୋଷ କଲେ ଦଣ୍ଡ ଭାବେ ଜେଲ ଦଣ୍ଡ ମିଳିଥାଏ । ହେଲେ ଚୀନରେ ଏଭଳି ଏକ ଜେଲ ରହିଛି ଯେଉଁଠାରେ ରହିବାକୁ ଲୋକମାନେ ପଇସା ଦେଇ ଯାଉଛନ୍ତି । ଏହି ଜେଲର ନାଁ ରହିଛି ଫ୍ୟାଟ୍ ପ୍ରିଜନ । ଏଠାକୁ କେବଳ ମୋଟା ଲୋକମାନେ ଯାଉଛନ୍ତି । ଏହା ଅପରାଧୀଙ୍କ ପାଇଁ ଯେପରି ଜେଲ ସେହିଭଳି ନୁହେଁ, ବରଂ ଏହାଏକ ଓଜନ ନିୟନ୍ତ୍ରକ ବୁଟ କ୍ୟାମ୍ପ । ଲୋକ ଏଠାକୁ ୨୮ ଦିନ ପାଇଁ ଆସନ୍ତି ଏବଂ ନିଜର ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତି । ଏଠାରେ ରହିବା, ଖାଇବା ଓ ବ୍ୟାୟାମ କରିବାକୁ ସମସ୍ତ ସୁବିଧା ରହିଛି । ଏଠିକାର ଫିସ ୯୦ ହଜାର ହୋଇଥାଏ । ତେବେ ଏହାକୁ ଜେଲ କୁହାଯିବା ପଛରେ ମଧ୍ୟ କାରଣ ରହିଛି । ଏହି ଫ୍ୟାଟ୍ ପ୍ରିଜନର ଗେଟ ୨୪ ଘଣ୍ଟା ବନ୍ଦ ରହୁଥିବାବେଳେ ବିନା ଅନୁମତିରେ ବାହାରକୁ ଯାଇହେବ ନାହିଁ । ତେଣୁ ଲୋକ ଏହାକୁ ଜେଲ କହିଥାଆନ୍ତି । ଏଠାରେ ରହିବାକୁ ହେଲେ ସେମାନଙ୍କ ନିୟମ ମାନିବାକୁ ହୋଇଥାଏ । ଏଠାରେ ସକାଳ ୭ଟାରୁ ଉଠିବାକୁ ହୋଇଥାଏ । ପ୍ରତିଦିନ ଚାରି ଘଣ୍ଟା ବ୍ୟାୟାମ, ସକାଳ ଓ ସନ୍ଧ୍ୟାରେ ନିଜ ଓଜନ ପରଖିବା, ତିନି ଥର ଖାଦ୍ୟ ଖାଇବା ଭଳି ନିୟମ ରହିଛି । ସେହିଭଳି ଫୋନ ବ୍ୟବହାର ଉପରେ ମଧ୍ୟ କଟକଣା ରହିଛି । ଚୀନରେ ବିଗତ କିଛି ଦିନ ହେବ ମୋଟାପଣ ଓ ମେଦବହୁଳତା ଏକ ସମସ୍ୟା ପାଲଟିଛି । ଯେଉଁ କାରଣରୁ ଲୋକମାନେ ବର୍ତ୍ତମାନ ନିଜେନିଜେ ସଚେତନ ହୋଇ ଏଭଳି ପଦକ୍ଷେପ ନେଉଛନ୍ତି ।
Related Posts



