ରହିଛି ବିଭିନ୍ନ ପ୍ରକାର

ରହିଛି ବିଭିନ୍ନ ପ୍ରକାର
Ipsita Picture
By: Ipsita
Published On

 

ଓଡ଼ିଶାର ହସ୍ତତନ୍ତ କେବଳ ଏକ ବସ୍ତ୍ର ନୁହେଁ, ଏହା ହେଉଛି ଆମର ପରିଚୟ ଏବଂ ହଜାର ହଜାର ବର୍ଷର କଳାତ୍ମକ ପରମ୍ପରାର ମୁକସାକ୍ଷୀ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଏହି ହସ୍ତତନ୍ତ ସାମଗ୍ରୀଗୁଡ଼ିକର ରଙ୍ଗ, ବୁଣାଶୈଳୀ ଏବଂ ଡିଜାଇନରେ ଅନେକ ବିବିଧତା ଦେଖିବାକୁ ମିଳେ। ଓଡ଼ିଶାର ପ୍ରତିଟି ଅଞ୍ଚଳରେ ଏକ ଭିନ୍ନ ଶୈଳୀର ହସ୍ତତନ୍ତ ଦେଖିବାକୁ ମିଳେ।

ସମ୍ବଲପୁରୀ ବାନ୍ଧ

ପଶ୍ଚିମ ଓଡ଼ିଶାର ଏହି କଳା ବିଶ୍ୱବ୍ୟାପୀ ପ୍ରସିଦ୍ଧ। ଏହାର ଶାଢି ପିନ୍ଧିବାକୁ ସମସ୍ତଙ୍କ ଭିତରେ ଦେଖିବାକୁ ମିଳେ ପ୍ରବଳ ଆଗ୍ରହ । ଏହାକୁ 'ଇକାତ୍' ବା 'ବାନ୍ଧ' କଳା କୁହାଯାଏ। ବୁଣା ହେବା ପୂର୍ବରୁ ସୂତାକୁ ବାନ୍ଧି ରଙ୍ଗ କରାଯାଇ ସୁନ୍ଦର ଡିଜାଇନ ପ୍ରସ୍ତୁତ କରାଯାଏ। ଏଥିରେ ଶଙ୍ଖ, ଚକ୍ର, ଫୁଲ ଏବଂ ମାଛ ପରି ମୋଟିଫ୍ ଦେଖିବାକୁ ମିଳେ। ଏହା ସୂତା  ଏବଂ ରେଶମ ଉଭୟରେ ଉପଲବ୍ଧ।

ବୋମକାଇ ସାଢ଼ୀ

ଗଞ୍ଜାମ ଜିଲ୍ଲାର ବୋମକାଇ ଗ୍ରାମରୁ ଆରମ୍ଭ ହୋଇଥିବା ଏହି କଳା ପରବର୍ତ୍ତୀ ସମୟରେ ସୋନପୁର ଅଞ୍ଚଳରେ ବେଶ୍ ପରିଚିତ ହେଲା। ଏହାର ଆଞ୍ଚଲ ବା ପାଲିରେ ଅତି ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଥାଏ ଯାହା ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢାଇଥାଏ । ଏଥିରେ ପ୍ରାୟତଃ ବୈଷ୍ଣବ ପରମ୍ପରା ଓ ମନ୍ଦିରର ଚିତ୍ର ଦେଖିବାକୁ ମିଳେ। ଏହା ପ୍ରାୟତଃ ପୂଜାପର୍ବ ଓ ବିବାହ ପରି ଶୁଭ କାର୍ଯ୍ୟରେ ବ୍ୟବହୃତ ହୁଏ।

ଖଣ୍ଡୁଆ ପାଟ

କଟକ ଜିଲ୍ଲାର ମଣିଆବନ୍ଧ ଓ ନୂଆପାଟଣା ଏହି ପାଟ ସାଢ଼ୀ ପାଇଁ ପ୍ରସିଦ୍ଧ। ଏହି ବସ୍ତ୍ର ସହ ଜଗନ୍ନାଥ ସଂସ୍କୃତି ଜଡ଼ିତ। ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖଣ୍ଡୁଆରେ 'ଗୀତ ଗୋବିନ୍ଦ'ର ଶ୍ଳୋକ ବୁଣା ହୋଇଥାଏ। ପାରମ୍ପରିକ ଭାବେ ଏହା ନାଲି, ହଳଦିଆ ଓ ନୀଳ ରଙ୍ଗରେ ତିଆରି ହୁଏ। ଏହାର ରଙ୍ଗ ଓ ଡିଜାଇନ ଖୁବ ସୁନ୍ଦର ଏବଂ ମନଲୋଭା ହୋଇଥାଏ ।

ବ୍ରହ୍ମପୁରୀ ପାଟ

ଏହା 'ସିଲ୍କ ସିଟି' ବ୍ରହ୍ମପୁରର ଏକ ଅନନ୍ୟ ଉତ୍ପାଦ ଏବଂ ଏହାକୁ ଜିଆଇ ମାନ୍ୟତା ମଧ୍ୟ ମିଳିଛି । ଏହାର ଏକ ବିଶେଷତ୍ୱ ହେଉଛି 'ଯୋଡ଼ା' । ମହିଳାଙ୍କ ପାଇଁ ଶାଢ଼ୀ ଓ ପୁରୁଷଙ୍କ ପାଇଁ ସେହି ସମାନ ଡିଜାଇନର ଧୋତି ଓ ଚାଦର ପ୍ରସ୍ତୁତ କରାଯାଏ । ଏହାର ବର୍ଡରରେ 'ଫୋଡ଼ା କୁମ୍ଭ' ବା ମନ୍ଦିର ଡିଜାଇନ୍ ରହିଥାଏ ଯାହା ଏହାକୁ ଏକ ୟୁନିକ ଡିଜାଇନ ପ୍ରଦାନ କରିଥାଏ ।

କୋଟପାଡ଼ ହସ୍ତତନ୍ତ

କୋରାପୁଟ ଜିଲ୍ଲାର କୋଟପାଡ଼ର ବସ୍ତ୍ର ଏହାର ପ୍ରାକୃତିକ ରଙ୍ଗ ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର । ଏଥିରେ 'ଆଲ୍' ଗଛର ଚେରରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ ବ୍ୟବହୃତ ହୁଏ, ଯାହା ପରିବେଶ ଅନୁକୂଳ । ଏହି ରଙ୍ଗ କାରଣରୁ ଏହି ଶାଢୀଟି ବେଶ ସ୍ବତନ୍ତ୍ର ପାଲଟିଯାଇଥାଏ । ସେହିଭଳି ଏହା ଏକ ପ୍ରକାର ମୋଟା ସୂତା କପଡ଼ା, ଯାହା ଶୀତରେ ଗରମ ଏବଂ ଖରାରେ ଶୀତଳ ଅନୁଭବ ଦିଏ। ତେଣୁ ଏହାକୁ କିଣିବାକୁ ଲୋକଙ୍କର ଚାହିଦା ଖୁବ ଅଧିକ ରହିଥାଏ ।

ହାବାସପୁରୀ

କଳାହାଣ୍ଡି ଜିଲ୍ଲାର ଏହି ହସ୍ତତନ୍ତ କଳା ଆଜି ବିଲୁପ୍ତପ୍ରାୟ ହୋଇଥିଲେ ବି ଡିଜାଇନରଙ୍କ ପ୍ରୟୋଗ ଯୋଗୁଁ ପୁଣି ଜୀବନ୍ତ ହୋଇଛି। ଏଥିରେ ମୁଖ୍ୟତଃ ମନ୍ଦିର, କୁମ୍ଭ ଏବଂ କଇଁଛ ପରି ସ୍ଥାନୀୟ ଜନଜାତିଙ୍କ କଳାକୁ ପ୍ରଦର୍ଶିତ କରାଯାଏ। ଯାହା ଏହାକୁ ଖୁବ ସୁନ୍ଦର ଓ ସ୍ବତନ୍ତ୍ର କରିଥାଏ । ବର୍ତ୍ତମାନ ଏହା ଧୀରେଧୀରେ ବିଲୁପ୍ତ ହେବାରେ ଲାଗିଛି ।

Tags: