ବିଶ୍ବର ବୟସ୍କ ପାଣ୍ଡା
ଜାପାନର ଚିବା ଚିଡ଼ିଆଖାନାରେ ରହୁଥିବା ୨୩ ବର୍ଷୀୟ ‘ଫୁଟା’ ନାମକ ଏକ ରେଡ୍ ପାଣ୍ଡାକୁ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ରେଡ୍ ପାଣ୍ଡା ଭାବେ ଘୋଷଣା କରାଯାଇଛି । ନଭେମ୍ବର ୧୭ ତାରିଖରେ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ପକ୍ଷରୁ ତାକୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଏହି ଅବସରରେ ଫୁଟାକୁ ଦେଖିବା ପାଇଁ ଚିଡ଼ିଆଖାନାରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ସାଧାରଣତଃ ରେଡ୍ ପାଣ୍ଡାମାନଙ୍କର ହାରାହାରି ଆୟୁଷ ୧୨ରୁ ୧୭ ବର୍ଷ ହୋଇଥିବା ବେଳେ ଫୁଟା ଆମେରିକାର ‘ଟେଲର’ (୨୧ ବର୍ଷ ୨୬୫ ଦିନ) ନାମକ ରେଡ୍ ପାଣ୍ଡାର ପୂର୍ବ ରେକର୍ଡକୁ ଭାଙ୍ଗିଛି । ୨୦୦୩ ମସିହା ଜୁଲାଇ ୫ ତାରିଖରେ ଜାପାନର ଶିଜୁଓକା ମ୍ୟୁନିସିପାଲ୍ ନିହୋଣ୍ଡାଇରା ଚିଡ଼ିଆଖାନାରେ ଜନ୍ମଗ୍ରହଣ କରିଥିବା ଫୁଟାର ନାମ ତା’ର ପିତା ‘ଫୁଫୁ’ଙ୍କ ନାମ ଅନୁସାରେ ରଖାଯାଇଥିଲା । ୨୦୦୪ ମସିହାରେ ତାକୁ ଚିବା ଚିଡ଼ିଆଖାନାକୁ ଅଣାଯାଇଥିଲା, ଯେଉଁଠାରେ ପଛ ଦୁଇ ଗୋଡ଼ରେ ଠିଆ ହେବାର ଅଦ୍ଭୁତ ଦକ୍ଷତା ଯୋଗୁଁ ସେ ସମଗ୍ର ଜାପାନରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲା । ଚିବା ସିଟି ଚିଡ଼ିଆଖାନା ପକ୍ଷରୁ ନିଜ ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରେ ଫୁଟାର ସାର୍ଟିଫିକେଟ୍ ଆଗରେ ପୋଜ୍ ଦେଉଥିବାର ଏକ ଫଟୋ ସେୟାର କରାଯାଇଛି । ତେବେ ବୟସାଧିକ୍ୟ ଯୋଗୁଁ ଫୁଟା ବେଳେବେଳେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏବଂ ଖରାପ ପାଗରେ ଘର ଭିତରେ ରହିବାକୁ ପସନ୍ଦ କରୁଥିଲେ ମଧ୍ୟ ସେ ବର୍ତ୍ତମାନ ସୁସ୍ଥ ରହିଛି ।




