ବଦଳୁଛି ପାଣିପାଗ
ଆଟଲାଣ୍ଟିକ ମହାସାଗରର ଗଭୀରତାରେ କ୍ରାନ୍ତୀୟ ଅଞ୍ଚଳରୁ ଗ୍ରୀନଲ୍ୟାଣ୍ଡ ଆଡ଼କୁ ଉତ୍ତାପ ବହନ କରୁଥିବା ବିଶାଳ ଜଳ ପ୍ରବାହ 'ଆଟଲାଣ୍ଟିକ ମେରିଡିଓନାଲ ଓଭରଟର୍ନିଂ ସର୍କ୍ୟୁଲେସନ' ଦ୍ରୁତ ଗତିରେ ଦୁର୍ବଳ ହେବାକୁ ଲାଗିଛି । ଯାହା ଆଗାମୀ ଦିନରେ ବିଶ୍ୱ ତାପମାତ୍ରା ବୃଦ୍ଧି ସତ୍ତ୍ୱେ ଉତ୍ତର ୟୁରୋପରେ ପ୍ରବଳ ଶୀତ, କ୍ରାନ୍ତୀୟ ମୌସୁମୀର ପରିବର୍ତ୍ତନ ଏବଂ ଆମେରିକାର ପୂର୍ବ ଉପକୂଳରେ ସମୁଦ୍ର ପତ୍ତନ ହଠାତ୍ ବଢ଼ାଇବାର ଆଶଙ୍କା ସୃଷ୍ଟି କରିଛି । ସମୁଦ୍ରର ପ୍ରାୟ ୫,୦୦୦ ମିଟର ଗଭୀରତାରେ ଅତି ମନ୍ଥର ଓ ଶାନ୍ତ ଭାବେ ଗତି କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ନିୟନ୍ତ୍ରକ ପ୍ରଣାଳୀଟି ସାଧାରଣ ଲୋକଙ୍କ ଆଖି ସାମ୍ନାକୁ ଆସିପାରୁ ନଥିବାରୁ ଏହା ଜଙ୍ଗଲ ନିଆଁ, ବରଫପାତ କିମ୍ବା ପ୍ଲାଷ୍ଟିକ୍ ପ୍ରଦୂଷଣ ଭଳି ଆଲୋଚନା ହୋଇପାରୁ ନାହିଁ। ବୈଜ୍ଞାନିକମାନେ କମ୍ପ୍ୟୁଟର ମଡେଲ୍, ସାଟେଲାଇଟ୍ ତଥା ପ୍ରାଚୀନ କୋରାଲ୍ ସାହାଯ୍ୟରେ ଏହାର ଗତିବିଧିକୁ ଆକଳନ କରିଛନ୍ତି । ତେବେ ଏହା ବର୍ତ୍ତମାନ ଏକ ଗୁରୁତ୍ବପୂର୍ଣ୍ଣ ବିପଦ ଭାବେ ଉଭା ହୋଇଛି, ଯାହାକୁ ନେଇ ଆଲୋଚନା ହେବାର ଆବଶ୍ୟକତା ଅଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।




