କମୁଛି ଶବ୍ଦ ବ୍ୟବହାର
ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ୨୦୦୫ ମସିହା ପରଠାରୁ ମଣିଷର କହିବା ଶୈଳୀରେ ବଡ଼ ପରିବର୍ତ୍ତନ ଆସିଛି ଏବଂ ପ୍ରତିଦିନ ହାରାହାରି ୩୩୮ଟି ଶବ୍ଦ କମ୍ କୁହାଯାଉଛି । ଆମେରିକାର ମିସୌରୀ ଓ ଏରିଜୋନା ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ପ୍ରାୟ ୧୪ ବର୍ଷ ଧରି ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆର ୨୦୦୦ରୁ ଅଧିକ ଲୋକଙ୍କ ଉପରେ ଏକ ଗବେଷଣା କରିଥିଲେ । ଯେଉଁଥିରୁ ଜଣାପଡ଼ିଛି ଯେ, ପୂର୍ବରୁ ଜଣେ ବ୍ୟକ୍ତି ଦୈନିକ ପ୍ରାୟ ୧୬,୭୦୦ ଶବ୍ଦ କହୁଥିବା ବେଳେ ୨୦୧୯ ବେଳକୁ ଏହା ହ୍ରାସ ପାଇ ୧୨,୫୦୦ରେ ପହଞ୍ଚିଛି । ବିଶେଷଜ୍ଞଙ୍କ ମତରେ ମେସେଜିଂ, ଇମେଲ୍ ଏବଂ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଯୋଗୁଁ ଲୋକେ କଥାବାର୍ତ୍ତା କରିବା ଅପେକ୍ଷା ଲେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଯାହାର ପ୍ରଭାବ ବିଶେଷ କରି ୨୫ ବର୍ଷରୁ କମ୍ ବୟସ୍କ ଯୁବପିଢ଼ିଙ୍କ ଠାରେ ଅଧିକ ଦେଖିବାକୁ ମିଳୁଛି । ଏହି କାରଣରୁ ପରସ୍ପର ମଧ୍ୟରେ ସାଧାରଣ କଥାବାର୍ତ୍ତା କମିବାରେ ଲାଗିଛି, ଯାହା ଆଗାମୀ ଦିନରେ ମାନବୀୟ ସମ୍ପର୍କ ଓ ପାରସ୍ପରିକ ଯୋଗାଯୋଗ ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି ଗବେଷକ ଆଶଙ୍କା ପ୍ରକାଶ କରିଛନ୍ତି ।



