ଶୌଚାଳୟକୁ କରାଯାଇଥାଏ ପୂଜା
ଚୀନର ଅନେକ ଗ୍ରାମାଞ୍ଚଳରେ ଆଜି ବି ଶୌଚାଳୟକୁ ପୂଜା କରିବାର ଏକ ଅନନ୍ୟ ପରମ୍ପରା ପ୍ରଚଳିତ ଅଛି । ଯେଉଁଠାରେ ମହିଳାମାନେ ଶୌଚାଳୟର ଦେବୀ ‘ଜିଗୁ’ ବା ‘ପର୍ପଲ ଲେଡି’ଙ୍କୁ ନିଜର ରକ୍ଷକ ମାନି ଆରାଧନା କରିଥାନ୍ତି । ପୌରାଣିକ ମାନ୍ୟତା ଅନୁଯାୟୀ, ପ୍ରାଚୀନ କାଳରେ ଜଣେ ମହିଳାଙ୍କୁ ଈର୍ଷା କାରଣରୁ ଶୌଚାଳୟ ମଧ୍ୟରେ ହତ୍ୟା କରାଯାଇଥିଲା, ଯାହାଙ୍କୁ ପରବର୍ତ୍ତୀ ସମୟରେ ଏହି ଦେବୀଙ୍କ ମାନ୍ୟତା ଦିଆଗଲା । ଏହି ପୂଜା ମୁଖ୍ୟତଃ ଚାଇନିଜ୍ ନିୟୁ ଇୟର ଅବସରରେ ‘ଲ୍ୟାଣ୍ଟର୍ଣ୍ଣ ଫେଷ୍ଟିଭାଲ’ ରାତିରେ ଅନୁଷ୍ଠିତ ହୁଏ । ଯେଉଁଥିରେ ମହିଳାମାନେ ପ୍ରଥମେ ବାଥରୁମ୍ ସଫା କରି କପଡ଼ା କିମ୍ବା କାଗଜରେ ଦେବୀଙ୍କର ଏକ ପୁତଳା ତିଆରି କରନ୍ତି । ଏହାପରେ ଶୌଚାଳୟ କିମ୍ବା ରୋଷେଇ ଘର ପାଖରେ ସେହି ପୁତଳାକୁ ରଖି ଅଗରବତୀ ଜଳାଇ ଆଗାମୀ ବର୍ଷର ଭବିଷ୍ୟତ, ପରିବାରର ସୁଖ-ସମୃଦ୍ଧି ଏବଂ ଚାଷକାର୍ଯ୍ୟ କିପରି ଭଲ ହେବ, ସେ ବିଷୟରେ ଦେବୀଙ୍କୁ ପ୍ରଶ୍ନ ପଚାରିଥାନ୍ତି । ବିଶ୍ୱାସ କରାଯାଏ ଯେ ଦେବୀ ପୁତଳାର ହଲଚଲ ମାଧ୍ୟମରେ ନିଜର ଉତ୍ତର ପ୍ରଦାନ କରନ୍ତି, ଯାହା ଏହି ପରମ୍ପରାକୁ ଅଧିକ ରହସ୍ୟମୟ କରିଥାଏ ।



