ସୁନା ଅଣ୍ଡା  ଦିଆ ହଂସ

ସୁନା ଅଣ୍ଡା  ଦିଆ ହଂସ
Ipsita Picture
By: Ipsita
Published On

 

ଆଈ ମା କାହାଣୀ ପେଡିରେ ଜୀବଜନ୍ତୁଙ୍କ ଉପରେ ଅନେକ ଗପ ରହିଥାଏ । ଯେଉଁ ଗଳ୍ପ ସାହାଯ୍ୟରେ ସେମାନେ ଛୋଟଛୋଟ ପିଲାଙ୍କୁ ଜୀବନର ନୀତିଶିକ୍ଷା ସହଜ ଓ ସରଳ ଭାବେ ବୁଝାଇ ଥାଆନ୍ତି । ସେହିଭଳି ଏକ ଗଳ୍ପ ହେଲା ସୁନା ଅଣ୍ଡା ଦିଆ ହଂସ ।

ଅନେକ ବର୍ଷ ପୂର୍ବେ ଏକ ଛୋଟ ଗାଁରେ ହରି ନାମକ ଜଣେ ଗରିବ ଚାଷୀ ବାସ କରୁଥିଲା। ତାର ଅବସ୍ଥା ଏତେ ଶୋଚନୀୟ ଥିଲା ଯେ ଦିନେ ଦିନେ ତାକୁ ଓ ତାର ପରିବାରକୁ ଉପାସରେ ଶୋଇବାକୁ ପଡ଼ୁଥିଲା । ସେ ବହୁତ ପରିଶ୍ରମ କରୁଥିଲା, କିନ୍ତୁ ତାର ଅଳ୍ପ ଜମିରୁ ଯାହା ଆଦାୟ ହେଉଥିଲା, ସେଥିରେ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହେଉଥିଲା । ଦିନେ ସକାଳେ ହରି ନିଜ ବାଡ଼ି ପଛପଟେ ଥିବା ଗୋଟିଏ ହଂସକୁ ଦେଖିବାକୁ ପାଇଲା । ସେହି ହଂସଟି ଦେଖିବାକୁ ଖୁବ୍ ସୁନ୍ଦର ଓ ଧଳା ଥିଲା । ହରି ତାକୁ କିଛି ଖାଇବାକୁ ଦେଲା। ପରଦିନ ସକାଳେ ଯେତେବେଳେ ହରି ହଂସ ରହୁଥିବା ଜାଗାକୁ ଗଲା, ସେଠାରେ ଏକ ଚମକଦାର ଜିନିଷ ଦେଖି ସ୍ତବ୍ଧ ହୋଇଗଲା । ସେଠାରେ ଏକ ନିଚ୍ଛକ ସୁନାର ଅଣ୍ଡା ପଡ଼ିଥିଲା  । ପ୍ରଥମେ ହରିକୁ ନିଜ ଆଖି ଉପରେ ବିଶ୍ୱାସ ହେଲାନାହିଁ । ସେ ଭାବିଲା ହୁଏତ କେହି ତା ସହ ଥଟ୍ଟା କରୁଛି । ସେ ସେହି ଅଣ୍ଡାଟିକୁ ନେଇ ସହରର ଜଣେ ସୁନାରୀ ପାଖକୁ ଗଲା। ସୁନାରୀ କହିଲା, "ଏହା ତ ସମ୍ପୂର୍ଣ୍ଣ ଶୁଦ୍ଧ ସୁନା । ହରି ସେହି ଅଣ୍ଡାକୁ ବିକ୍ରି କରି ବହୁତ ଟଙ୍କା ପାଇଲା ଏବଂ ଘରକୁ ଖାଦ୍ୟ ଓ ନୂଆ ପୋଷାକ ନେଇ ଫେରିଲା । ଏହା ପରେ ପ୍ରତିଦିନ ସକାଳେ ହଂସଟି ଗୋଟିଏ ଲେଖାଏଁ ସୁନା ଅଣ୍ଡା ଦେବାକୁ ଲାଗିଲା । ଧୀରେ ଧୀରେ ହରିର ଦିନ ବଦଳିଗଲା । ସେ ଏକ ବଡ଼ ଘର ତିଆରି କଲା, ଗୋରୁଗାଈ କିଣିଲା ଏବଂ ଗାଁର ସବୁଠାରୁ ଧନୀ ବ୍ୟକ୍ତି ଭାବେ ପରିଚିତ ହେଲା । କିନ୍ତୁ ସୁଖ ସହିତ ହରି ମନରେ ଲୋଭ ମଧ୍ୟ ବଢ଼ିଲା । ସେ ଭାବିବାକୁ ଲାଗିଲା, "ମୁଁ କାହିଁକି ପ୍ରତିଦିନ ଗୋଟିଏ ଅଣ୍ଡା ପାଇଁ ଅପେକ୍ଷା କରିବି? ଏହି ହଂସ ପେଟ ଭିତରେ ତ ନିଶ୍ଚୟ ଶହ ଶହ ସୁନା ଅଣ୍ଡା ଥିବ। ଯଦି ମୁଁ ସବୁତକ ଅଣ୍ଡା ଏକାଥରକେ ପାଇଯାଆନ୍ତି, ତେବେ ମୁଁ ସାରା ଦୁନିଆର ସବୁଠାରୁ ଧନୀ ଲୋକ ହୋଇପାରନ୍ତି। ଏହିପରି ଭାବିବା ପରେ ଦିନେ ସନ୍ଧ୍ୟାରେ ହରି ଆଉ ଧୈର୍ଯ୍ୟ ଧରି ପାରିଲା ନାହିଁ । ସେ ନିଜ ସ୍ତ୍ରୀର ବାରଣ ସତ୍ତ୍ୱେ ଏକ ଧାରୁଆ ଛୁରୀ ଧରି ହଂସ ପାଖକୁ ଗଲା । ସେ ଭାବିଥିଲା କି ହଂସର ପେଟ ଭିତରୁ ସୁନାର ଖଣି ବାହାରିବ ତେଣୁ ସେ ନିଷ୍ଠୁର ଭାବେ ହଂସର ପେଟ କାଟିଦେଲା । ହେଲେ ହଂସର ପେଟ ଭିତରେ ଅନ୍ୟ ସାଧାରଣ ହଂସଙ୍କ ଭଳି କେବଳ ରକ୍ତ ଓ ମାଂସ ଥିଲା । ସେଠାରେ ଗୋଟିଏ ହେଲେ ବି ସୁନା ଅଣ୍ଡା ନଥିଲା।  ହରି ବହୁତ କାନ୍ଦିଲା, କିନ୍ତୁ ମରିଯାଇଥିବା ହଂସ ଆଉ ଜୀବିତ ହୋଇପାରିଲା ନାହିଁ । ସେହି ଦିନଠାରୁ ତାକୁ ଆଉ କେବେ ସୁନା ଅଣ୍ଡା ମଧ୍ୟ ମିଳିଲା ନାହିଁ । ତେଣୁ  ଅତ୍ୟଧିକ ଲୋଭ ମଣିଷକୁ ସର୍ବସ୍ୱାନ୍ତ କରିଦିଏ । ଆମ ପାଖରେ ଯାହା ଅଛି, ସେଥିରେ ସନ୍ତୁଷ୍ଟ ରହିବା ଉଚିତ୍ । ଧୈର୍ଯ୍ୟର ସହ କାମ କଲେ ସଫଳତା ମିଳେ, କିନ୍ତୁ ଲୋଭରେ ପଡ଼ି ହଠାତ୍ ସବୁକିଛି ପାଇବାକୁ ଚେଷ୍ଟା କଲେ ସବୁ ହରାଇବାକୁ ପଡ଼େ ।

Tags: