ସମୟ ସ୍ରୋତରେ "ସମୟ'ର ସଫଳ ଯାତ୍ରା
ସ୍ରୋତର ଅନୁକୂଳ ଦିଗରେ କୁଟା, କାଠି, ପଥର ଆଦି ଭାସିଯାଏ । କିନ୍ତୁ ସ୍ରୋତର ପ୍ରତିକୂଳ ଦିଗରେ ସନ୍ତରଣ କରିବାରେ ସାର୍ଥକତା ଥାଏ । ସେମିତି ସମୟ ସୁଅର ପ୍ରତିକୂଳ ଦିଗରେ ବାରମ୍ବାର ସନ୍ତରଣ କରି ସୁନାମଧନ୍ୟ ରାଜନେତା ତଥା ସାମାଜିକ କର୍ମୀ ବସନ୍ତ କୁମାର ବିଶ୍ୱାଳ ଅନେକ କିଛି ନୂଆ କରିବାକୁ ସଂକଳ୍ପ ନେଇଥିଲେ ଏବଂ ତାହାକୁ ସଫଳ କରି ଦେଖାଉଥିଲେ ।
ବସନ୍ତବାବୁ ସାମ୍ବାଦିକ କି ସାହିତ୍ୟିକ ନଥିଲେ । କିନ୍ତୁ ସେ ଥିଲେ ସାହିତ୍ୟାନୁରାଗୀ ଏବଂ ସମ୍ବାଦ ପ୍ରିୟ ବ୍ୟକ୍ତିତ୍ୱ । ବହୁ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡ଼ିତ ଥିଲେ । ଆଦିକବି ଶାରଳା ଦାସଙ୍କର ସାଧନାର ପୀଠ ଝଙ୍କଡ଼ବାସିନୀ ମା'ସାରଳାଙ୍କ ପ୍ରତି ତାଙ୍କର ଥିଲା ଅଗାଧ ଭକ୍ତି । ସଂଯୋଗକ୍ରମେ ଯେଉଁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବସନ୍ତବାବୁ ବହୁବାର ପ୍ରତିନିଧିତ୍ୱ କରିଥିଲେ ତାହାରି ଭିତରେ ମା' ସାରଳାଙ୍କ ପୀଠ ଅନ୍ୟତମ । ଓଡ଼ିଆ ସାହିତ୍ୟର ଆଦିକବି ଶାରଳା ଦାସଙ୍କ ସ୍ମୃତି ରକ୍ଷା ପାଇଁ ପରିକଳ୍ପନା କରାଯାଇଥିବା "ଶାରଳା ସାହିତ୍ୟ ସଂସଦ' ଓ "ଶାରଳା ଭବନ'ର ବିକାଶ ପାଇଁ ଏହାର ସଂଗଠକ ଇଞ୍ଜିନିୟର ପ୍ରଭାକର ସ୍ୱାଇଁ ବସନ୍ତବାବୁଙ୍କ ପିଛା ପଡ଼ିଗଲେ ଏବଂ ତାଙ୍କରି ଉଦ୍ୟମରେ ହିଁ କଟକରେ ପ୍ରତିଷ୍ଠା କରାଗଲା ଶାରଳା ଭବନ । ଏହାଛଡ଼ା ସେ ମନ୍ତ୍ରୀ ଥିବାବେଳେ ତାଙ୍କ ସରକାରୀ ନିବାସରେ ବହୁ ସମୟରେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକମାନଙ୍କ ଆସର ଜମୁଥିଲା ଏବଂ ତାହାରି ଭିତରୁ ପରିକଳ୍ପନା କରାଯାଇଥିଲା ଏକ ସାହିତ୍ୟ ପତ୍ରିକା ସୃଷ୍ଟି ପାଇଁ ।
ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ସେ ପ୍ରଜାତନ୍ତ୍ର ପ୍ରଚାର ସମିତି ସହିତ ଯୋଡ଼ି ହେବା ସଙ୍ଗେ ସଙ୍ଗେ ଏହାର ବିକାଶ ପାଇଁ ତନ-ମନ-ଧନ ଦେଇ ଅନେକ କାମ କରିଥିଲେ । ଏହାଛଡ଼ା ବହୁ ପତ୍ରପତ୍ରିକାକୁ ବି ସେ ଅକୁଣ୍ଠିତ ଚିତ୍ତରେ ସହାୟତା ଯୋଗାଉଥିଲେ । ଏହି ଭିତ୍ତିଭୂମିରେ ଏକ ରୁଚିିପୂର୍ଣ୍ଣ ରଙ୍ଗିନ ଓଡ଼ିଆ ଦୈନିକ ଖବରକାଗଜ ପ୍ରକାଶ ପାଇଁ ସେ ପରିକଳ୍ପନା କଲେ । ଥରେ ବସନ୍ତ ବିଶ୍ୱାଳ ଯେଉଁ କାମରେ ହାତ ଦିଅନ୍ତି ଓ ଯେଉଁ କଥା ଚିନ୍ତା କରନ୍ତି ତାହାକୁ ସାକାର ନକରିବା ପର୍ଯ୍ୟନ୍ତ ସେ ନିରବରେ ବସିପାରନ୍ତି ନାହିଁ । ଏହି ଭିତ୍ତିଭୂମିରେ ସେ "ଆଶୀର୍ବାଦ ପ୍ରକାଶନ ଟ୍ରଷ୍ଟ' ନାମରେ ଏକ ସଂସ୍ଥା ଗଢ଼ି ସେଥିରେ କେତେକ ଘନିଷ୍ଠ ସହଯୋଗୀଙ୍କୁ ସଂପୃକ୍ତ କଲେ । ଆଶୀର୍ବାଦ ପ୍ରକାଶନ ଟ୍ରଷ୍ଟର ଲକ୍ଷ୍ୟ ଥିଲା ବସନ୍ତବାବୁଙ୍କ କଳ୍ପନାର ରଙ୍ଗିନ ଦୈନିକ ଓଡ଼ିଆ ଖବର କାଗଜ ପ୍ରକାଶ ପାଇଁ । ୧୯୯୬ ଅକେଫାବର ୨ ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏହି ଭିତ୍ତିଭୂମିରେ ଜନ୍ମ ନେଲା ଦୈନିକ ଖବରକାଗଜ "ସମୟ' । ତେବେ ୧୯୯୭ ମାର୍ଚ୍ଚ ୧୯ ତାରିଖରେ ଏହି ଖବରକାଗଜ ଓଡ଼ିଶାର ପ୍ରଥମ ରଙ୍ଗିନ ସମ୍ବାଦପତ୍ର ଭାବେ ଆତ୍ମପ୍ରକାଶ କରିଥିଲା ।
ବସନ୍ତବାବୁ କଥାର ନୁହେଁ, କାମର ମଣିଷ । ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ "ସମୟ' ଖବରକାଗଜ ପ୍ରକାଶନ ପାଇଁ ଜମି ନିଆଯିବା ସହିତ ଅତ୍ୟାଧୁନିକ ମୁଦ୍ରଣ ଯନ୍ତ୍ର ମଧ୍ୟ ସ୍ଥାପନ କରାଗଲା । ମନ୍ତ୍ରୀ ଥାଆନ୍ତୁ ବା ନଥାଆନ୍ତୁ, ଭୁବନେଶ୍ୱରରେ ଥିଲେ ପ୍ରାୟ ସବୁଦିନ ବସନ୍ତବାବୁ "ସମୟ' ପରିସରକୁ ଆସନ୍ତି ଏବଂ ଏହାର ବିଭିନ୍ନ ବିଭାଗରେ କାମ କରୁଥିବା ବ୍ୟକ୍ତିିମାନଙ୍କ କାର୍ଯ୍ୟଶୈଳୀ ଅନୁଧ୍ୟାନ କରନ୍ତି । ଛପା ସରିବା ପରେ ପରେ ଏହା କିଭଳି ସାରା ଓଡ଼ିଶାରେ ବିତରିତ ହେବ ତାର ମଧ୍ୟ ସେ ତତ୍ତ୍ୱ୍ୱାବଧାନ କରିଥାନ୍ତି । ସମ୍ବାଦପତ୍ର "ସମୟ' ସହିତ "ସିନେ ସମୟ' ଓ "ସାପ୍ତାହିକ ସମୟ' ସେ ସମୟରୁ ପ୍ରକାଶ ପାଇ ଆସୁଥିଲା । ଠିକଣା ସମୟରେ "ସମୟ' ଯେଭଳି ନିୟମିତ ପ୍ରକାଶ ପାଏ ଏବଂ ଏଥିରେ ନିର୍ଭୁଲ ଓ ନିରପେକ୍ଷ ସମ୍ବାଦ ପ୍ରକାଶ କରାଯାଏ ତାହା ଉପରେ ସେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ମଝିରେ ମଝିରେ "ସମୟ' ଦପ୍ତରରୁ ଏହି କାଗଜ ଓ ତାର ପତ୍ରିକା ମଧ୍ୟ ପଇସା ଦେଇ କିଣି ନେଉଥିଲେ । "ସମୟ' ପୃଷ୍ଠାରେ ଓଡ଼ିଆ ଭାଷା ଓ ସାହିତ୍ୟକୁ କିଭଳି ଗୁରୁତ୍ୱ ଦିଆଯିବ ତାହା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରୁଥିଲେ ।
"ସମୟ' ଜନ୍ମ ନେବାର ଇତିମଧ୍ୟରେ ୩ ଦଶନ୍ଧିି ଅତିକ୍ରମ କରିଛି । ଏହି କାଳଖଣ୍ଡ ଭିତରେ ସମୟ ସୁଅରେ "ସମୟ' ଖବରକାଗଜ ଅନେକ ବାଧାବିଘ୍ନ ଅତିକ୍ରମ କରିଛି । କୁହାଯାଏ- ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ପୁଣି କୁହାଯାଏ- ସୁନା ବାରମ୍ବାର ପୋଡ଼ି ହେଲେ ଅଧିକରୁ ଅଧିକ ଶୁଦ୍ଧ ହୁଏ । ସେହିଭଳି କୋଇଲା ଉପରେ ଚାପ ପ୍ରୟୋଗ କରାଗଲେ ହୀରା ପାଖରେ ପହଞ୍ଚିବାକୁ ପଡ଼େ । ସମୟର କଷଟି ପଥରରେ "ସମୟ' ବାରମ୍ବାର ଅଗ୍ନି ପରୀକ୍ଷା ଦେଇଛି । ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କଠାରୁ ଗୁରୁକଲ୍ୟାଣ ମହାପାତ୍ରଙ୍କ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱ ଏହି ଖବରକାଗଜର ମୁଖ୍ୟ ସଂପାଦକ ଦାୟିତ୍ୱ ତୁଲାଇ ଆସିଛନ୍ତି । ଅନ୍ୟତମ ସଂପାଦକ ପପୁ ମହାନ୍ତିଙ୍କ ସଂଯୋଜନାରେ "ସମୟ' ଲାଇଭ୍ ଚ୍ୟାନେଲ୍ ମଧ୍ୟ ଗ୍ରହଣୀୟ ହୋଇଛି । ବିଶେଷକରି ସଂପାଦନା ବିଭାଗ ଓ ସାମ୍ବାଦିକମାନେ ଖବରକାଗଜକୁ ସମୃଦ୍ଧ କରିବା ପାଇଁ ଉଦ୍ୟମ କରିଥିବାବେଳେ ବିଜ୍ଞାପନ ଓ ପ୍ରସାରଣ ବିଭାଗ ମଧ୍ୟ ତାଙ୍କର ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି ।
ଇତିମଧ୍ୟରେ କର୍ମବୀର ବସନ୍ତ ବିଶ୍ୱାଳଙ୍କ ସ୍ୱର୍ଗାରୋହଣ ହୋଇସାରିଛି । ତେବେ ତାଙ୍କ ସାର୍ଥକ ଦାୟଦମାନେ ଏହି ଖବରକାଗଜକୁ ମର୍ଯ୍ୟାଦାର ସହ ଚଳାଇ ରଖିଛନ୍ତି । କୁହାଯାଏ- ସମ୍ବାଦପତ୍ର ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଗଣତନ୍ତ୍ରକୁ ସୁରକ୍ଷିତ ଓ ସୁଦୃଢ଼ କରି ରଖିବାରେ ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ବିଶେଷକରି ଲୋକଙ୍କ ସମସ୍ୟା ଉପସ୍ଥାପନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା, ସରକାରୀ କାର୍ଯ୍ୟକ୍ରମର ସଫଳତା ଓ ଏହାର ତ୍ରୁଟି ବିଚ୍ୟୁତି ସଂକ୍ରାନ୍ତରେ ଜନସାଧାରଣଙ୍କୁ ନିର୍ଭୁଲ ଓ ନିରପେକ୍ଷ ଭାବେ ଅବହିତ କରିବାର ଗୁରୁ ଦାୟିତ୍ୱ ଗଣମାଧ୍ୟମର । ଏଯାବତ୍ "ସମୟ' ସମୟୋପଯୋଗୀ ପଦକ୍ଷେପ ନେଇ ଏହି ଆଭିମୁଖ୍ୟକୁ ସାର୍ଥକ କରିଆସିଛି । ବିଭିନ୍ନ ପ୍ରସଙ୍ଗରେ ନିରପେକ୍ଷ ଆଲୋଚନା ଓ ନିର୍ଭୀକତାର ସହିତ ବ୍ୟବସ୍ଥା ତ୍ରୁଟି ବିଚ୍ୟୁତିର ଗଠନମୂଳକ ସମାଲୋଚନା କରିଆସୁଛି "ସମୟ' । ତେବେ କୁତ୍ସାରଟନାଠାରୁ ଏହା ନିଜକୁ ଦୂରରେ ରଖିଛି ।
ପ୍ରାକ୍ ସ୍ୱାଧୀନତା କାଳରେ ଉତ୍କଳ ଦୀପିକା, ସମ୍ବଲପୁର ହିତୈଷିଣୀ, ଆଶା, ସମାଜ, ପ୍ରଜାତନ୍ତ୍ର ଆଦି ଓଡ଼ିଆ ଖବରକାଗଜଗୁଡ଼ିକ ଦେଶର ସ୍ୱାଧୀନତା ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ସକାରତ୍ମକ ଭୂମିକା ତୁଲାଇଥିଲେ । ଜାତିର ଜନକ ମହାତ୍ମା ଗାନ୍ଧି, ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିର୍ଭୀକ ତଥ୍ୟ ପରିବେଷଣ କରି ବହୁବାର ଜେଲ୍ ଯାଇଛନ୍ତି । କର୍ମବୀର ଗୌରୀଶଙ୍କର ରାୟ, ଶଶୀଭୂଷଣ ରଥ, ହରେକୃଷ୍ଣ ମହତାବ, ରାଧାନାଥ ରଥ ଆଦି ସାମ୍ବାଦିକତା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି । ମହାଯୋଗୀ ଶ୍ରୀଅରବିନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ଯୁଗ ପୁରୁଷମାନେ ମଧ୍ୟ ସମ୍ବାଦପତ୍ର ସହ ଜଡ଼ିତ ଥିଲେ । ଏମାନଙ୍କ ଅବଦାନକୁ ଏ ଜାତି ଝୁରୁଥିବ । ସେହିଭଳି ସ୍ୱାଧୀନୋତ୍ତର ଭାରତବର୍ଷରେ ଅନେକ ଖବରକାଗଜ ସୃଷ୍ଟି ହୋଇଛି ଏବଂ ସେଥିରୁ ଅଧିକାଂଶ ସମୟ ସହ ତାଳ ଦେଇ ଚାଲି ନପାରି ବନ୍ଦ ହୋଇ ଯାଇଛନ୍ତି । ତେବେ "ସମୟ' ହେଉଛି ବ୍ୟତିକ୍ରମ । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଧୈର୍ଯ୍ୟ ଓ ନିଷ୍ଠାର ସହ ସାମ୍ନା କରି ସମୟ ସହ ତାଳ ଦେଇ "ସମୟ' ତାର ଯାତ୍ରା ଅବ୍ୟାହତ ରଖିଛି । ଗାନ୍ଧିଜୀ ଥିଲେ ସତ୍ୟ ଓ ଅହିଂସାର ପୂଜାରୀ । ସେହି ପଥରେ ସାମ୍ବାଦିକତାକୁ ଆଗେଇ ନେବା ଲାଗି "ସମୟ' ଜନ୍ମ ନେଇଛି ଅକ୍ଟୋବର ୨ରେ ଏବଂ ଏହାକୁ ପାଥେୟ କରି "ସମୟ'କୁ ଢେର ଲମ୍ବା ପଥ ଅତିକ୍ରମ କରିବାର ଅଛି । ଆମ ଦେଶରେ ବହୁ ସମ୍ବାଦପତ୍ର ୧୦୦ ବର୍ଷରୁ ଅଧିକ ସମୟ ଧରି ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇଛନ୍ତି । "ସମୟ' ୩ ଦଶନ୍ଧି ଅତିକ୍ରମ କରିସାରିଥିବାବେଳେ ଆଗକୁ ଶତାବ୍ଦୀ ଅତିକ୍ରମ କରୁ । 'ଆଗରେ ପଡିଛି ପଥ ବହୁଦୂର ଆହୁରି କେତେ ଯେ ବାକି / ଚାଲିବି ଚାଲିବି ନପଡ଼ିବି ଥକି' ହେଉ "ସମୟ' ପରିବାରର ମହାମନ୍ତ୍ର ।
ପ୍ରହଲାଦ କୁମାର ସିଂହ
ମୋ- ୯୪୩୭୦୧୭୩୯୫
(ଲେଖକ ଜଣେ ଗାନ୍ଧିବାଦୀ ଓ ସ୍ତମ୍ଭକାର ଭାବେ ଓଡ଼ିଶାରେ ପରିଚିତ)




