ବୃଦ୍ଧି ପାଉଛି ଏଆଇ ପରିସର
କୋଡିଂ ଦକ୍ଷତାରୁ କାର୍ଯ୍ୟକ୍ଷେତ୍ର ଦକ୍ଷତା ପର୍ଯ୍ୟନ୍ତ ଏଆଇର ପରିସର ବୃଦ୍ଧି ପାଉଛି । ନିଜର ବିଷୟଗତ ଜ୍ଞାନ ସହ ଏଆଇ ସାକ୍ଷରତା , ଯେପରିକି ଫାଇନାନ୍ସ ପ୍ଲସ୍ ଏଆଇ କିମ୍ବା ମାର୍କେଟିଂ ପ୍ଲସ୍ ଏଆଇ ଯୋଡ଼ୁଥିବା ଛାତ୍ରଛାତ୍ରୀମାନେ ସବୁଠାରୁ ଅଧିକ ଫାଇଦାରେ ରହିବେ । ବିଶେଷଜ୍ଞଙ୍କ ମତରେ, ଆଜିର ସମୟରେ କେବଳ ଜ୍ଞାନ ରହିବା ଯଥେଷ୍ଟ ନୁହେଁ, ବରଂ ପ୍ରଥମ ଦିନରୁ ହିଁ ପରିବର୍ତ୍ତନକୁ ଆପଣାଇବା ଓ ପ୍ରଭାବ ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ । ନିଯୁକ୍ତିଦାତାମାନେ ମଧ୍ୟ ଏପରି ପ୍ରାର୍ଥୀଙ୍କୁ ଚାହୁଁଛନ୍ତି ଯେଉଁମାନେ କାର୍ଯ୍ୟପ୍ରକ୍ରିୟା ଭିତରେ ଏଆଇ ସାଧନ ବ୍ୟବହାର କରି ପୁନରାବୃତ୍ତିମୂଳକ କାମକୁ ସ୍ୱୟଂଚାଳିତ କରିପାରିବେ, ତଥ୍ୟର ଦ୍ରୁତ ବିଶ୍ଳେଷଣ କରିପାରିବେ ଏବଂ ନିଷ୍ପତ୍ତି ଗ୍ରହଣରେ ସୁଧାର ଆଣିପାରିବେ । ଯାହା ଏଆଇର ପରିସରକୁ ବୃଦ୍ଧି କରିବାରେ ଲାଗିଛି ।
ବଢୁଛି ବେପାର
ଏହି ଚାହିଦା ଯୋଗୁଁ ଭାରତରେ ଏଆଇ କୋର୍ସ ଆଲେଖ୍ୟ ଓ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯେଉଁଥିରେ ନିଶୁଳ୍କ ୟୁଟ୍ୟୁବ୍ ଟ୍ୟୁଟୋରିଆଲ୍ଠାରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କାର ଆଇଆଇଟି - ସମର୍ଥିତ ଏକ୍ସିକ୍ୟୁଟିଭ୍ ସାର୍ଟିଫିକେସନ୍ ପର୍ଯ୍ୟନ୍ତ ଉପଲବ୍ଧ । ଏହି କାରଣରୁ ବେପାର ମଧ୍ୟ ବଢିବାରେ ଲାଗିଛି । ବିଭିନ୍ନ କୋର୍ସ ଅନୁସାରେ ଭିନ୍ନଭିନ୍ନ ଅନୁଷ୍ଠାନରେ ଏହାର ଖର୍ଚ୍ଚ ରହୁଛି । ତେବେ ଚାହିଦା ବୃଦ୍ଧି ସହ ଅନେକ ନିମ୍ନମାନର ଓ ଭ୍ରାମକ କୋର୍ସ ମଧ୍ୟ ରହୁଛି, ଯାହା ଶିକ୍ଷାର୍ଥୀ ମାନଙ୍କୁ ସମସ୍ୟାରେ ପକାଉଛି । ଅନେକ ମିଛ ଅନୁଷ୍ଠାନ ମଧ୍ୟ ବଜାରରେ ବୁଲୁଛନ୍ତି । ଯେଉଁମାନେ ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି ହେଲେ ସଠିକ କୋର୍ସ ପ୍ରଦାନ କରୁ ନାହାନ୍ତି । ଯାହାଫଳରେ ଲକ୍ଷାଧୀକ ଟଙ୍କା ଖର୍ଚ୍ଚ କରିବାପରେ ମଧ୍ୟ ଶିକ୍ଷାର୍ଥୀଙ୍କର କୌଣସି ଲାଭ ହେଉନାହିଁ । ଅନେକ କୋର୍ସ ଏଭଳି ରହୁଛି ଯାହା ମାଗଣା କଣ୍ଟେଣ୍ଟକୁ ଦେଇ ଶିକ୍ଷାର୍ଥୀକୁ ପ୍ରଲୋଭନରେ ମଧ୍ୟ ପକାଉଛନ୍ତି । ହେଲେ ଯେ କୌଣସି କୋର୍ସ କିମ୍ବା ଅନୁଷ୍ଠାନକୁ ଚୟନ କରିବା ଆଗରୁ ଭଲଭାବରେ ଚେକ କରିନିଅନ୍ତୁ, ତାପରେ କୋର୍ସରେ ନାମ ଲେଖାନ୍ତୁ । ସେହିଭଳି ବିଶେଷଜ୍ଞଙ୍କ ମତରେ ଶିକ୍ଷାର୍ଥୀମାନେ ନିଜ ସ୍ତର ସହ ମେଳ ଖାଉଥିବା ଏବଂ ବ୍ୟାବହାରିକ ଅନୁଭୂତି ଦେଉଥିବା କୋର୍ସ ଚୟନ କରିବା ଉଚିତ୍ । ସାଧାରଣ ଭାବେ ଏଆଇ ବ୍ୟବହାର କରିବା ଏବଂ କାର୍ଯ୍ୟକ୍ଷେତ୍ର ପାଇଁ ପ୍ରସ୍ତୁତ ହେବା ମଧ୍ୟରେ ଫରକ ରହିଛି ।




