ସାଧୁ ଓ ବିଛା

ସାଧୁ ଓ ବିଛା
Ipsita Picture
By: Ipsita
Published On

 

ଗପ ମାଧ୍ୟମରେ ଅନେକ ସମୟରେ ଆଈମାମାନେ ଛୋଟଛୋଟ ପିଲାଙ୍କୁ ଜୀବନର ଅନେକ ନୀତି ଶିକ୍ଷା ପ୍ରଦାନ କରିଥାଆନ୍ତି । ସେହିଭଳି ଏକ ଗଳ୍ପ ହେଲା ସାଧୁ ଓ ବିଛା ଯିଏ ଜୀବନର ଧୈର୍ଯ୍ୟ ସମ୍ପର୍କରେ ପିଲାଙ୍କୁ ବୁଝାଇଥାଏ ।

 

ଅନେକ ବର୍ଷ ପୂର୍ବେ ଏକ ପବିତ୍ର ନଦୀ କୂଳରେ ଜଣେ ସନ୍ନ୍ୟାସୀ ବାସ କରୁଥିଲେ । ସେ ବହୁତ ଜ୍ଞାନୀ, ଶାନ୍ତ ଏବଂ ଦୟାଳୁ ଥିଲେ । ସେ ସବୁବେଳେ ପ୍ରଭୁଙ୍କ ଧ୍ୟାନରେ ମଗ୍ନ ରହୁଥିଲେ ଏବଂ ଜୀବଜନ୍ତୁଙ୍କୁ ନିଜ ପରି ମଣୁଥିଲେ । ଦିନେ ସକାଳୁ ସାଧୁ ଜଣକ ନଦୀକୁ ସ୍ନାନ କରିବା ପାଇଁ ଯାଇଥିଲେ ।  ସ୍ନାନ ସାରି ସେ ଯେତେବେଳେ ସୂର୍ଯ୍ୟ ନମସ୍କାର କରୁଥିଲେ, ହଠାତ୍ ତାଙ୍କ ନଜର ପାଣି ଭିତରେ ଥିବା ଏକ ବଡ଼ କଳା ବିଛା ଉପରେ ପଡ଼ିଲା। ବିଛାଟି ପଥର ସନ୍ଧିରୁ ଖସି ପାଣିର ସ୍ରୋତରେ ଭାସିଯାଉଥିଲା । ସେ ନିଜ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲା ଏବଂ ପାଣିରେ ଛଟପଟ ହେଉଥିଲା । ତାର ଏହି ଅବସ୍ଥା ଦେଖି ସାଧୁଙ୍କ ମନରେ ପ୍ରବଳ ଦୟା ଆସିଲା । ସେ ଭାବିଲେ ଜୀବଟି ଅସହାୟ ଭାବେ ମୃତ୍ୟୁ ସହ ଲଢ଼ୁଛି, ମୋର କର୍ତ୍ତବ୍ୟ ହେଉଛି ତାକୁ ରକ୍ଷା କରିବା । ସାଧୁ ଜଣକ ସଙ୍ଗେ ସଙ୍ଗେ ପାଣି ଭିତରକୁ ହାତ ବଢ଼ାଇ ବିଛାଟିକୁ ନିଜ ପାପୁଲିରେ ଉଠାଇ ଆଣିଲେ । କିନ୍ତୁ ବିଛାଟି ପାଣିରୁ ବାହାରିବା ମାତ୍ରେ ଭୟ ଓ ନିଜର ସ୍ୱାଭାବିକ ପ୍ରକୃତି ଯୋଗୁଁ ସାଧୁଙ୍କ ହାତକୁ ଏକ ବିଷାକ୍ତ ଦଂଶନ କଲା । ବିଷର ଜ୍ୱାଳାରେ ସାଧୁଙ୍କ ହାତ କମ୍ପିଉଠିଲା ଏବଂ ବିଛାଟି ପୁଣିଥରେ ପାଣିରେ ଖସିପଡ଼ିଲା । ଟିକିଏ ସମୟ ପରେ, ଯନ୍ତ୍ରଣା ସତ୍ତ୍ୱେ ସାଧୁ ପୁଣିଥରେ ହାତ ବଢ଼ାଇଲେ। ସେ ଚାହୁଁଥିଲେ ବିଛାଟି କୂଳକୁ ଆସିଯାଉ, କିନ୍ତୁ ବିଛାଟି ପୁଣିଥରେ ତାଙ୍କୁ କାମୁଡ଼ି ଦେଲା । ଏପରି ଦୁଇ-ତିନି ଥର ହେଲା। ସାଧୁଙ୍କ ହାତ ବିଷ ଜ୍ୱାଳାରେ ନାଲି ପଡ଼ିଯାଇଥିଲା, ତଥାପି ସେ ବିଛାକୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ । ନଦୀକୂଳରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ଏସବୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ । ସେ ନିଜକୁ ଅଟକାଇ ନପାରି କହିଲେ, ଆପଣ କାହିଁକି ବାରମ୍ବାର କଷ୍ଟ ସହି ତାଙ୍କୁ ବଞ୍ଚାଉଛନ୍ତି । ତାକୁ ତା ଭାଗ୍ୟ ଉପରେ ଛାଡି ଦିଅନ୍ତୁ । ସାଧୁ ଜଣକ ଶାନ୍ତ ଭାବରେ ସେହି ବ୍ୟକ୍ତିଙ୍କୁ ଚାହିଁଲେ ଏବଂ ଶାନ୍ତଭାବେ ନିଜ ଉତ୍ତର ରଖିଲେ । କାମୁଡ଼ିବା ହେଉଛି ବିଛାର ପ୍ରାକୃତିକ ଗୁଣ ବା ସ୍ୱଭାବ। ସେ ଜାଣିନାହିଁ ଯେ ମୁଁ ତାକୁ ବଞ୍ଚାଉଛି, ସେ କେବଳ ନିଜକୁ ରକ୍ଷା କରିବା ପାଇଁ ତାର ସ୍ୱଭାବ ଦେଖାଉଛି । କିନ୍ତୁ ମୁଁ ଜଣେ ମଣିଷ ଏବଂ ଜଣେ ସାଧୁ । ପରୋପକାର କରିବା ଏବଂ ସବୁ ଜୀବଙ୍କ ପ୍ରତି ଦୟା ଦେଖାଇବା ହେଉଛି ମୋର ଧର୍ମ। ଯଦି ଏହି କୁନି ଜୀବଟି ତାର କାମୁଡ଼ିବା ଭଳି ଖରାପ ସ୍ୱଭାବକୁ ଛାଡ଼ିପାରୁ ନାହିଁ, ତେବେ ମୁଁ ଜଣେ ଜ୍ଞାନୀ ହୋଇ ମୋର ଦୟା କରିବା ଭଳି ଭଲ ସ୍ୱଭାବକୁ କାହିଁକି ଛାଡ଼ିଦେବି ବୋଲି ସାଧୁ ଉକ୍ତ ବ୍ୟକ୍ତିଙ୍କୁ ପ୍ରଶ୍ନ କରିଥିଲେ । ଏହା କହି ସାଧୁ ପାଖରେ ପଡ଼ିଥିବା ଗୋଟିଏ ଶୁଖିଲା ପତ୍ର ଉଠାଇଲେ । ଏଥର ସେ ହାତ ବଦଳରେ ପତ୍ରଟିକୁ ବିଛା ପାଖକୁ ନେଲେ। ବିଛାଟି ସେହି ପତ୍ର ଉପରକୁ ଚଢ଼ିଗଲା ଏବଂ ସାଧୁ ତାକୁ ନିରାପଦରେ ନଦୀ କୂଳରେ ଥିବା ଏକ ଗାତ ପାଖରେ ଛାଡ଼ିଦେଲେ । ବିଛାଟି ନିଜ ବାଟରେ ଚାଲିଗଲା ଏବଂ ସାଧୁ ଜଣକ ମଧ୍ୟ ନିଜ ଲକ୍ଷ୍ୟରେ ସଫଳ ହେଲେ । ସେହି ବ୍ୟକ୍ତି ଜଣକ ସାଧୁଙ୍କ ମହାନତା ବୁଝିପାରିଲେ ଏବଂ ତାଙ୍କ ପାଦତଳେ ମୁଣ୍ଡ ନୁଆଁଇଲେ । ତେଣୁ ଅନ୍ୟମାନଙ୍କ ଖରାପ ବ୍ୟବହାର ଯୋଗୁଁ ଆମେ ଆମର ନିଜସ୍ୱ ଭଲ ଗୁଣକୁ କେବେବି ପରିତ୍ୟାଗ କରିବା ଉଚିତ୍ ନୁହେଁ ବୋଲି ଏହି ଗଳ୍ପରୁ ଶିକ୍ଷା ମିଳିଥାଏ ।

Tags: