ଗୋଟିଏ ଅଣ୍ଡାର ମୂଲ୍ୟ ୨୫ ହଜାର
ବିଭିନ୍ନ ସମୟରେ ଭିନ୍ନଭିନ୍ନ ପ୍ରକାରର ନିଲାମୀ ଦେଖିବାକୁ ମିଳିଥାଏ, ଯେଉଁଗୁଡିକ ମାନବିକତା ଦୃଷ୍ଟିରୁ ଆୟୋଜନ କରାଯାଇଥାଏ । ସେହିଭଳି ଏକ ନିଲାମୀ ବର୍ତ୍ତମାନ ଖୁବ ଭାଇରାଲ ହେଉଛି । ସୂଚନା ଅନୁସାରେ ଲଦାଖର ଲେହ ଅଞ୍ଚଳରେ ଏହି ନିଆରା ନିଲାମୀ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ମାତ୍ର ୧୦ ଟଙ୍କା ମୂଲ୍ୟର ଏକ ଅଣ୍ଡାକୁ ଶବ୍ବୀର ହୁସେନ ନାମକ ଜଣେ ବ୍ୟକ୍ତି ୨୫ ହଜାର ଟଙ୍କାରେ କିଣିଛନ୍ତି । ଇରାନ ଯୁଦ୍ଧରେ ପ୍ରଭାବିତ ହୋଇଥିବା ଶିଶୁ ଏବଂ ପରିବାରଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଅଞ୍ଜୁମନ ଇମାମିଆ ଏବଂ ମଜଲିସ-ଏ-ଉଲେମା ପକ୍ଷରୁ ଏହି ଦାନ ଅଭିଯାନ ଆୟୋଜିତ ହୋଇଥିଲା । ଏହି ନିଲାମୀରେ ଲୋକେ କେବଳ ସାମଗ୍ରୀ କିଣୁନଥିଲେ, ବରଂ ନିଜର ଭାବନା ଏବଂ ମାନବିକତାକୁ ଦାନ କରୁଥିଲେ । ସେହିଭଳି ପୂର୍ବରୁ କାରଗିଲରେ ମଧ୍ୟ ଏକ କୁକୁଡ଼ା ୧.୨୫ ଲକ୍ଷ ଟଙ୍କାରେ ଏବଂ ଏକ ଅଣ୍ଡା ୬ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ଏହି ନିଲାମୀ ଅର୍ଥ କିଛି ବେରୋଜଗାର ବ୍ୟକ୍ତି ଓ ଛୋଟ ଶିଶୁଙ୍କ ମୁହଁରେ ହସ ଫୁଟାଇବାରେ ସାହାଯ୍ୟ କରିବ । ତେଣୁ ଏହି ନିଆରା ଅଭିଯାନ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟୁଛି ।



