ଶନିଗ୍ରହରେ ଅବସ୍ଥାପିତ ହେବ ବ୍ୟାକ୍ତିଙ୍କ ନାଁ
ଶନି ଗ୍ରହକୁ ପଠାଯିବ ସାଧାରଣ ଲୋକଙ୍କ ନାଁ । ଆମେରିକାର ମହାକାଶ ଗବେଷଣା ସଂସ୍ଥା 'ନାସା' ଶନି ଗ୍ରହର ସବୁଠାରୁ ବଡ଼ ଉପଗ୍ରହ 'ଟାଇଟାନ୍'କୁ ପ୍ରେରଣ କରାଯାଉଥିବା ଏହାର 'ଡ୍ରାଗନ୍ଫ୍ଲାଇ' ରୋଟରକ୍ରାଫ୍ଟ ମାଧ୍ୟମରେ ସାଧାରଣ ଲୋକଙ୍କ ନାଁ ଶନିକୁ ପଠାଯିବ । ଏଥିପାଇଁ ନାସା ଲୋକଙ୍କୁ ନିଜ ନାମ ପଠାଇବା ପାଇଁ ଆମନ୍ତ୍ରଣ କରୁଛି । ନାସାର ୱେବସାଇଟ୍ ମାଧ୍ୟମରେ ୨୦୨୭ ମସିହା ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ନିଜର ବିବରଣୀ ଦାଖଲ କରି ଲୋକମାନେ ଏହି ମିଶନ୍ରେ ଭାଗ ନେଇପାରିବେ । ଯେଉଁଠାରେ ସେମାନଙ୍କ ନାମଗୁଡ଼ିକୁ ଏକ ମାଇକ୍ରୋଚିପ୍ରେ ସଂରକ୍ଷିତ କରି ମହାକାଶଯାନରେ ରଖାଯିବ ଏବଂ ପ୍ରତିଯୋଗୀଙ୍କୁ ଏକ ବ୍ୟକ୍ତିଗତ ଡିଜିଟାଲ୍ ବୋର୍ଡିଂ ପାସ୍ ମଧ୍ୟ ପ୍ରଦାନ କରାଯିବ । ପ୍ରଥମ ଥର ପାଇଁ ଏଭଳି ବୈଜ୍ଞାନିକ ମିଶନ୍ ପାଇଁ ନିର୍ମିତ ରୋଟରକ୍ରାଫ୍ଟ ସାହାଯ୍ୟରେ ଟାଇଟାନ୍ର ବିବିଧ ପରିବେଶକୁ ଅନୁଧ୍ୟାନ କରାଯିବ । ଏହାସହ ଜୀବସତ୍ତା ପାଇଁ ଅନୁକୂଳ ସ୍ଥିତିର ସନ୍ଧାନ କରାଯିବ । ଜନ୍ସ ହପକିନ୍ସ ଆପ୍ଲାଏଡ୍ ଫିଜିକ୍ସ ଲାବୋରେଟୋରୀ ଦ୍ୱାରା ନିର୍ମିତ ଓ ଏଲିଜାବେଥ୍ ଟର୍ଟଲଙ୍କ ମୁଖ୍ୟ ନିର୍ଦ୍ଦେଶନାରେ ପରିଚାଳିତ ଏହି 'ଡ୍ରାଗନ୍ଫ୍ଲାଇ' ମିଶନ୍କୁ ୨୦୨୮ରେ ଉତ୍କ୍ଷେପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଏହା ୨୦୩୪ ସୁଦ୍ଧା ଟାଇଟାନ୍ରେ ପହଞ୍ଚିବାନେଇ ସୂଚନା ରହିଛି । ଘନ ବାୟୁମଣ୍ଡଳ, ତରଳ ମିଥେନ୍ ନଦୀ, ହ୍ରଦ, ବାଲିକୁଦ ଏବଂ ଜୈବିକ ପଦାର୍ଥରେ ସମୃଦ୍ଧ ଟାଇଟାନ୍ର ବିଭିନ୍ନ ସ୍ଥାନକୁ ଉଡ଼ିଯାଇ ଏହି ଯାନଟି ପ୍ରାକ୍-ଜୈବିକ ରସାୟନ ବିଜ୍ଞାନ ସମ୍ପର୍କିତ ସୂଚନା ସଂଗ୍ରହ କରିବ, ଯାହା ମହାକାଶରେ ଜୀବସତ୍ତା ସୃଷ୍ଟି ପାଇଁ ଆବଶ୍ୟକ ଉପାଦାନ ଓ ସ୍ଥିତିକୁ ବୁଝିବାରେ ବୈଜ୍ଞାନିକମାନଙ୍କୁ ସହାୟକ ହେବ ।




