ମେସିନର ହୋଇଥାଏ ଅନ୍ତିମ ସଂସ୍କାର
ଜାପାନରେ ଫ୍ୟାକ୍ଟ୍ରିରେ ୨୦ - ୩୦ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ମେସିନ୍ଗୁଡ଼ିକୁ ହଟାଇବା ପୂର୍ବରୁ ସେଗୁଡ଼ିକର ଅନ୍ତିମ ସଂସ୍କାର କିମ୍ବା ବିଦାୟ ସମାରୋହ ଆୟୋଜନ କରାଯାଏ । ଯେଉଁଠାରେ କର୍ମଚାରୀମାନେ ମେସିନ୍ ସାମ୍ନାରେ ମୁଣ୍ଡ ନୁଆଁଇ, କିଛି ସମୟ ନୀରବତା ପାଳନ କରି ସେମାନଙ୍କର ବର୍ଷ ବର୍ଷର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥାନ୍ତି । ଜାପାନୀ ସଂସ୍କୃତି, ଶିଣ୍ଟୋ ଧର୍ମ ଏବଂ ଆନିମିଜମ୍ ବିଶ୍ୱାସ ଅନୁଯାୟୀ ନିର୍ଜୀବ ବସ୍ତୁରେ ମଧ୍ୟ ଆଧ୍ୟାତ୍ମିକ ଶକ୍ତି ଥାଏ । ଏହି ବିଦାୟ ସମାରୋହରେ ଧୂପ ଦେବା, ଦୁଇଥର ଓହ୍ଲାଇ ମୁଣ୍ଡ ନୁଆଁଇବା, ଦୁଇଥର ତାଳି ମାରିବା ଭଳି ପାରମ୍ପରିକ ରୀତିନୀତି ପାଳନ କରାଯାଇ ମେସିନର ଯୋଗଦାନକୁ ମନେ ପକାଯାଏ । କାର୍ଯ୍ୟକ୍ରମ ଶେଷ ହେବା ପରେ ପୁରୁଣା ମେସିନ୍ ହଟାଇ ନୂଆ ମେସିନ୍ ଲଗାଯାଏ । ଏହି କ୍ରମରେ ଟୋଟୋରୀ ପ୍ରାନ୍ତର ଏକ ଆଇରନ୍ୱର୍କସ ଫ୍ୟାକ୍ଟ୍ରିରେ ୩୦ ଏବଂ ୩୭ ବର୍ଷ ଧରି ସେବା ଦେଇଥିବା ଦୁଇଟି ମେସିନ୍କୁ ହଟାଇବା ପୂର୍ବରୁ ୯୨ ବର୍ଷୀୟ ପୂର୍ବତନ ଫ୍ୟାକ୍ଟ୍ରି ମ୍ୟାନେଜର ଶୁଦ୍ଧିକରଣ ଅନୁଷ୍ଠାନ ସମ୍ପାଦନ କରିଥିଲେ । ଏହି ସମୟରେ କର୍ମଚାରୀମାନେ ଶ୍ରଦ୍ଧାର ସହ ମେସିନ୍ଗୁଡ଼ିକୁ ଧନ୍ୟବାଦ ଜଣାଇଥିଲେ ଏବଂ ଅନେକଙ୍କ ଆଖି ମଧ୍ୟ ଛଳଛଳ ହୋଇଉଠିଥିଲା ।




