ବଢୁଛି ଦିନର ଅବଧି

ବଢୁଛି ଦିନର ଅବଧି
Ipsita Picture
By: Ipsita
Published On

 

ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱର ମେରୁ ଅଞ୍ଚଳରେ ଥିବା ବରଫ ଚାଦର ଏବଂ ଗ୍ଲେସିୟରଗୁଡ଼ିକ କ୍ଷିପ୍ର ଗତିରେ ତରଳିବା କାରଣରୁ ପୃଥିବୀର ଆବର୍ତ୍ତନ ଗତି ଧୀମେଇ ଯାଉଛି । ଯାହାଫଳରେ ଦିନର ଅବଧି ଧୀରେ ଧୀରେ ଲମ୍ବା ହେବାରେ ଲାଗିଛି, ଯାହା ଗତ ୩୬ ଲକ୍ଷ ବର୍ଷର ଭୂଗର୍ଭୀୟ ଇତିହାସରେ ସମ୍ପୂର୍ଣ୍ଣ ଅଭୂତପୂର୍ବ ଅଟେ । ଏକ ରିପୋର୍ଟ ଅନୁସାରେ, ୟୁନିଭରସିଟି ଅଫ୍ ଭିଏନା ଏବଂ ଇଟିଏଚ୍ ଜ୍ୟୁରିକର ବୈଜ୍ଞାନିକମାନେ ମିଳିତ ଭାବେ କରିଥିବା ଏକ ଅଧ୍ୟୟନରୁ ବିଭିନ୍ନ ତଥ୍ୟ ମିଳିଛି । ଏହି ତଥ୍ୟ ଅନୁସାରେ ବରଫ ତରଳିବା ଯୋଗୁଁ ମେରୁ ଅଞ୍ଚଳର ପାଣି ଏବଂ ବିପୁଳ ବସ୍ତୁତ୍ୱ ବିଷୁବରେଖା ଆଡ଼କୁ ମାଡ଼ି ଆସୁଛି। ଯେମିତି ଜଣେ ସ୍କେଟିଂ କରୁଥିବା ଖେଳାଳି ନିଜ ହାତ ଦୁଇଟିକୁ ପ୍ରସାରିତ କଲେ ତା’ର ଘୂର୍ଣ୍ଣନ ଗତି ଧୀମା ହୋଇଯାଏ, ଠିକ୍ ସେହିପରି ପୃଥିବୀର ଗତି ମଧ୍ୟ କମିଯାଉଛି । ପ୍ରାକୃତିକ ଭାବେ ଚନ୍ଦ୍ରର ମାଧ୍ୟାକର୍ଷଣ ଓ ବାୟୁମଣ୍ଡଳୀୟ ପରିବର୍ତ୍ତନ ଯୋଗୁଁ ଦିନର ଅବଧି ବଦଳିଥାଏ, କିନ୍ତୁ ଏବେ ମାନବକୃତ ଜଳବାୟୁ ପରିବର୍ତ୍ତନ ଏହି ପ୍ରାକୃତିକ ଶକ୍ତିଗୁଡ଼ିକୁ ପଛରେ ପକାଇ ଦେଇଛି । ବୈଜ୍ଞାନିକମାନେ ପ୍ରାୟ ୩୬ ଲକ୍ଷ ବର୍ଷ ପୁରୁଣା ସାମୁଦ୍ରିକ ଜୀବ 'ବେନ୍ଥିକ୍ ଫୋରାମିନିଫେରା'ର ଜୀବାଶ୍ମ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ  ମେସିନ୍ ଲର୍ଣ୍ଣିଂ ଆଲଗୋରିଦମ ସାହାଯ୍ୟରେ ଏହି ତଥ୍ୟ ପାଇଛନ୍ତି ଯେ, ବର୍ତ୍ତମାନ ପ୍ରତି ଶତାବ୍ଦୀରେ ଦିନର ସମୟ ପ୍ରାୟ ୧.୩୩ ମିଲିସେକେଣ୍ଡ ବଢ଼ିଯାଉଛି ।  ଏହି ସାମାନ୍ୟ ପରିବର୍ତ୍ତନ ପାଇଁ ମେରୁ ଅଞ୍ଚଳରୁ ପ୍ରାୟ ୧୦୦୦ ଗିଗାଟନ୍ ବରଫ ତରଳି ସମୁଦ୍ରରେ ମିଶିଛି, ଯାହା ନ୍ୟୁୟର୍କ ସହର ଉପରେ ମାଉଣ୍ଟ ଏଭରେଷ୍ଟଠାରୁ ମଧ୍ୟ ଉଚ୍ଚ ବରଫର ଏକ ଚଟାଣ ସଦୃଶ ଅଟେ। ତେବେ ଯଦି ଗ୍ରୀନହାଉସ ଗ୍ୟାସ ନିର୍ଗମନ ଏବଂ ଜୀବାଶ୍ମ ଜାଳେଣିର ବ୍ୟବହାର ଏମିତି ଚାଲେ, ତେବେ ଏହି ଶତାବ୍ଦୀର ଶେଷ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ହିଁ ପୃଥିବୀର ଦିନର ଅବଧି ବଢ଼ାଇବାର ମୁଖ୍ୟ କାରଣ ସାଜିବବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

Tags: