ଆଦ୍ରତା କରୁଛି ଭୟଙ୍କର
ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ ଆଦ୍ରତା ବା ହ୍ୟୁମିଡିଟି ଗରମକୁ ଆହୁରି ଅଧିକ ବିପଜ୍ଜନକ କରିପାରେ। ସେମାନଙ୍କ ସ୍ପଷ୍ଟୀକରଣ ଅନୁଯାୟୀ, ଅଧିକ ଗରମ ସମୟରେ ଶରୀର ନିଜକୁ ଥଣ୍ଡା କରିବା ପାଇଁ ଝାଳ ବୁହାଇବା ପ୍ରକ୍ରିୟାକୁ ବ୍ୟବହାର କରିଥାଏ। କିନ୍ତୁ ଆଦ୍ର ପରିସ୍ଥିତିରେ ବାୟୁମଣ୍ଡଳ ପୂର୍ବରୁ ହିଁ ଜଳୀୟବାଷ୍ପରେ ପୂର୍ଣ୍ଣ ରହିଥାଏ, ଏବଂ ଏହି ସ୍ଥିତିରେ ଶରୀର ଝାଳ ଉତ୍ପନ୍ନ କରିପାରେ ନାହିଁ । ଯାହାଫଳରେ ଶରୀର ଥଣ୍ଡା ହୋଇପାରେ ନାହିଁ ଏବଂ ଗରମ ବାହାରକୁ ନିର୍ଗତ ହୋଇପାରେ ନାହିଁ। ଶରୀରର ତାପମାତ୍ରାରେ ଏଭଳି କ୍ରମାଗତ ବୃଦ୍ଧି ଯୋଗୁଁ ହୃଦ୍ସ୍ପନ୍ଦନ ବଢ଼ିବା, ଉଚ୍ଚ ରକ୍ତଚାପ ଏବଂ ଚରମ ପରିସ୍ଥିତିରେ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପାରେ। ଏକ ସାମ୍ପ୍ରତିକ ସିଇଇଡବ୍ଲ୍ୟୁ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଗତ ଦଶନ୍ଧି ମଧ୍ୟରେ ଉତ୍ତର ଭାରତ ଏବଂ ଗାଙ୍ଗେୟ ସମତଳ ଅଞ୍ଚଳରେ ଆପେକ୍ଷିକ ଆଦ୍ରତା ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଯେଉଁଠାରେ ଚାଷୀ ଓ ଶ୍ରମିକମାନେ ବାହାରେ ଦୀର୍ଘ ସମୟ ଧରି କାମ କରନ୍ତି। ଏପରିକି ଦିଲ୍ଲୀ, ଚଣ୍ଡୀଗଡ଼, କାନପୁର, ଜୟପୁର ଏବଂ ବାରାଣସୀ ଭଳି ଶୁଷ୍କ ସହରଗୁଡ଼ିକରେ ମଧ୍ୟ ଏବେ ଅଧିକ ଆଦ୍ରତା ସ୍ତର ଦେଖିବାକୁ ମିଳୁଛି।
ଗ୍ରୀଷ୍ମ ପ୍ରବାହ
ଗ୍ରୀଷ୍ମ ପ୍ରବାହ ହେଉଛି କୌଣସି ଏକ ଅଞ୍ଚଳରେ ସାଧାରଣ ଅପେକ୍ଷା ଅସ୍ବାଭାବିକ ଭାବେ ଅଧିକ ତାପମାତ୍ରା ଦୀର୍ଘ ସମୟ ଧରି ରହିବା । ଦେଶର ବିଭିନ୍ନ ପ୍ରାନ୍ତରେ ଆଇଏମଡିର ପର୍ଯ୍ୟବେକ୍ଷଣ କେନ୍ଦ୍ରଗୁଡ଼ିକର ଏକ ନେଟୱର୍କ ରହିଛି, ଯାହା ଆପେକ୍ଷିକ ଆଦ୍ରତା, ବାୟୁମଣ୍ଡଳୀୟ ଚାପ, ପବନର ଗତି ଏବଂ ଦିଗ ସହିତ ତାପମାତ୍ରାର ଏହି ପରିବର୍ତ୍ତନଗୁଡ଼ିକୁ ସଂଗ୍ରହ ଓ ନିରୀକ୍ଷଣ କରିଥାଏ । ସେମାନେ ଏକ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭ ଘୋଷଣା କରନ୍ତି ଯେତେବେଳେ ସମତଳ ଅଞ୍ଚଳରେ କୌଣସି ସ୍ଥାନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍, ପାର୍ବତ୍ୟ ଅଞ୍ଚଳରେ ୩୦ ଡିଗ୍ରୀ ସେଲସିୟସ୍ ଏବଂ ଉପକୂଳ ଅଞ୍ଚଳରେ ୩୭ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଥାଏ । ଏହାସହିତ ଏହା ସାଧାରଣ ତାପମାତ୍ରା ଠାରୁ ୪.୫ ଡିଗ୍ରୀ ସେଲସିୟସ୍ ଅଧିକ ହୋଇଥାଏ । ଯଦି ତାପମାତ୍ରା ସାଧାରଣ ଠାରୁ ୬.୪ ଡିଗ୍ରୀ ସେଲସିୟସ୍ ଅଧିକ ହୁଏ କିମ୍ବା ୪୭ ଡିଗ୍ରୀ ସେଲସିୟସ୍ରେ ପହଞ୍ଚେ, ତେବେ ଏକ ସାଂଘାତିକ ଗ୍ରୀଷ୍ମ ପ୍ରବାହ ବା ସିଭିୟର ହିଟ୍ୱେଭ୍ ଘୋଷଣା କରାଯାଏ । ଏକ ପାଣିପାଗ ସବ୍-ଡିଭିଜନର ଦୁଇଟି ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି କମରେ କ୍ରମାଗତ ଦୁଇ ଦିନ ପାଇଁ ଏହି ସର୍ତ୍ତ ପୂରଣ ହେବା ଆବଶ୍ୟକ, ଯାହାପରେ ହିଟ ୱେଭର ଘୋଷଣା କରାଯାଇଥାଏ ।



