ଦାଢି ରଖିବେନି ବର
ରାଜସ୍ଥାନର ପ୍ରାୟ ୫ଟି ଜିଲ୍ଲାରୁ ଆସିଥିବା ଗୁର୍ଜର ସମାଜ ପକ୍ଷରୁ ସାମାଜିକ କୁସଂସ୍କାର ଏବଂ ବଢ଼ୁଥିବା ଅଯଥା ଖର୍ଚ୍ଚ (ଫିଜୁଲଖର୍ଚ୍ଚ) ବିରୁଦ୍ଧରେ ଏକ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ମେ ୧୬ ତାରିଖ ଦିନ ପାଲି ଜିଲ୍ଲାର ଚଣ୍ଡାବଲ ନିକଟସ୍ଥ ଦେବଡୁଙ୍ଗରୀ ଭଗବାନ ଦେବନାରାୟଣ ମନ୍ଦିର ପରିସରରେ ଆୟୋଜିତ ଏକ ବିରାଟ ମହାପଞ୍ଚାୟତରେ ସମାଜ ସୁଧାର ପାଇଁ ଅନେକ କଠୋର ନିୟମ ପ୍ରଣୟନ କରାଯାଇଛି। ଯେଉଁଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ମୁଖ୍ୟ ନିଷ୍ପତ୍ତି ହେଉଛି ଯେ ବିବାହ ସମୟରେ କୌଣସି ବି ବର ଆଉ ଦାଢ଼ି ରଖିପାରିବେ ନାହିଁ । ବିବାହ ଦିନ ବରକୁ ସମ୍ପୂର୍ଣ୍ଣ ଭାବେ 'କ୍ଲିନ୍ ଶେଭ୍' ରହିବାକୁ ପଡ଼ିବ । ଏହି ମହାପଞ୍ଚାୟତରେ କେବଳ ବିବାହ ନୁହେଁ, ବରଂ ସମାଜରୁ କୁପ୍ରଥା ଦୂର କରିବା ଏବଂ ଯୁବପିଢ଼ିକୁ ଶିକ୍ଷା ଦିଗରେ ପ୍ରେରିତ କରିବା ପାଇଁ ଆହୁରି ଅନେକ ବଡ଼ ପଦକ୍ଷେପ ନିଆଯାଇଛି। ଯେଉଁଥିରେ ମୃତ୍ୟୁଭୋଜି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି ଏବଂ ଏହି ଅଯଥା ଭୋଜିଭାତରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ପିଲାମାନଙ୍କ ପାଠପଢ଼ା, ଗରିବ ପରିବାରର ଝିଅମାନଙ୍କ ବିବାହ ଏବଂ ଅଭାବୀ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ପାଣ୍ଠି ଭାବେ ବ୍ୟବହାର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସମାଜକୁ ନିଶାମୁକ୍ତ କରିବା ପାଇଁ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଯାହା ଅନୁଯାୟୀ ଏଣିକି ଗୁର୍ଜର ସମାଜର କୌଣସି ବି ସାମାଜିକ କିମ୍ବା ପାରିବାରିକ ଉତ୍ସବରେ ଅଫିମ ଏବଂ ମଦ ଭଳି ନିଶାଦ୍ରବ୍ୟ ପରଷିବା ବା ଅତିଥିମାନଙ୍କୁ ଆପ୍ୟାୟିତ କରିବା ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି । ଯଦି କୌଣସି ବ୍ୟକ୍ତି ନିଜ ଆୟୋଜନରେ ଲୁଚାଛପାରେ ଏହିସବୁ ନିଶାଦ୍ରବ୍ୟର ବ୍ୟବହାର କରନ୍ତି, ତେବେ ସମାଜର ଅନ୍ୟ ଲୋକମାନେ ସେଠାରେ ଅନ୍ନ ଜଳ ଗ୍ରହଣ କରିବେ ନାହିଁ । ତୁରନ୍ତ ସେହି କାର୍ଯ୍ୟକ୍ରମ ବାସନ୍ଦ କରି ଚାଲିଯିବେ ବୋଲି ଚେତାବନୀ ଦିଆଯାଇଛି । ସେହିଭଳି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିଷୟରେ ତୁରନ୍ତ ସ୍ଥାନୀୟ ପୋଲିସକୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପାଇଁ ସୂଚନା ଦିଆଯିବ ବୋଲି ନିଷ୍ପତ୍ତି କରାଯାଇଛି । ଏହା ସହିତ ସମାଜ ପକ୍ଷରୁ ସେହି ଅମାନିଆ ପରିବାର ଉପରେ ୨.୫୧ ଲକ୍ଷ ଟଙ୍କାର ଏକ ବିରାଟ ଆର୍ଥିକ ଜରିମାନା ମଧ୍ୟ ଲଗାଯିବାର ବ୍ୟବସ୍ଥା ହୋଇଛି। ଏହି ସମସ୍ତ ନିଷ୍ପତ୍ତି ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଏବେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।



