ଅଭିମାନର ପର୍ବ ହେରା ପଞ୍ଚମୀ
ଶ୍ରୀଜଗନ୍ନାଥ ଉତ୍କଳର ଅଧିଷ୍ଠାତା ଠାକୁର । ଉତ୍କଳୀୟ ସଂସ୍କୃତିର ପରିଚୟ ଜଗନ୍ନାଥ ସଂସ୍କୃତି । ପୃଥିବୀର ସମସ୍ତ ଭକ୍ତଙ୍କୁୁ ଦର୍ଶନ ଦେବା ନିମନ୍ତେ ପ୍ରଭୁ ରତ୍ନ ସିଂହାସନ ତ୍ୟାଗ କରି ବଡଦାଣ୍ଡକୁ ଓହ୍ଲେଇ ଆସନ୍ତି । ଏହା ତାଙ୍କର ପତିତପାବନ ଯାତ୍ରା । ହେଲେ ରଥଯାତ୍ରାରେ ଅଗଣିତ ଭକ୍ତଙ୍କୁ ଅଗ୍ରଜ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରଥଯାତ୍ରାରେ ଯାଇ ଆନନ୍ଦ ପ୍ରଦାନ କରୁଥିବାବେଳେ ପତ୍ନୀ ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ଥିବାରୁ ମହାଲକ୍ଷ୍ମୀ ଅଭିମାନ କରି ପ୍ରଭୁଙ୍କୁ […]
ଶ୍ରୀଜଗନ୍ନାଥ ଉତ୍କଳର ଅଧିଷ୍ଠାତା ଠାକୁର । ଉତ୍କଳୀୟ ସଂସ୍କୃତିର ପରିଚୟ ଜଗନ୍ନାଥ ସଂସ୍କୃତି । ପୃଥିବୀର ସମସ୍ତ ଭକ୍ତଙ୍କୁୁ ଦର୍ଶନ ଦେବା ନିମନ୍ତେ ପ୍ରଭୁ ରତ୍ନ ସିଂହାସନ ତ୍ୟାଗ କରି ବଡଦାଣ୍ଡକୁ ଓହ୍ଲେଇ ଆସନ୍ତି । ଏହା ତାଙ୍କର ପତିତପାବନ ଯାତ୍ରା । ହେଲେ ରଥଯାତ୍ରାରେ ଅଗଣିତ ଭକ୍ତଙ୍କୁ ଅଗ୍ରଜ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରଥଯାତ୍ରାରେ ଯାଇ ଆନନ୍ଦ ପ୍ରଦାନ କରୁଥିବାବେଳେ ପତ୍ନୀ ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ଥିବାରୁ ମହାଲକ୍ଷ୍ମୀ ଅଭିମାନ କରି ପ୍ରଭୁଙ୍କୁ ପଚାରିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି । ଏହି ଉପଯାତ୍ରାକୁ ‘ହେରାପଞ୍ଚମୀ’ କୁହାଯାଏ । ହେରା ଅର୍ଥ ଦେଖିବା । ରଥଯାତ୍ରାର ପଞ୍ଚମ ଦିନ ଆଷାଢ଼ ଶୁକ୍ଳ ଷଷ୍ଠୀରେ ଲକ୍ଷ୍ମୀଠାକୁରାଣୀ ଶ୍ରୀମନ୍ଦିର ଛାଡି ମହାପ୍ରଭୁଙ୍କୁ ଖୋଜିବା ପାଇଁ ବୁଲି ବାହାରିଥିବାରୁ ଏହାକୁ ହେରାପଞ୍ଚମୀ କୁହାଯାଏ ବୋଲି ମତ ରହିଛି ।
ଶ୍ରୀମନ୍ଦିରର ଅନେକ ନୀତିକାନ୍ତି ଆଚରଣ ସବୁ ଓଡିଆ ଘରର ବିଧିବିଧାନ ସଦୃଶ । ଉତ୍କଳୀୟ ପରମ୍ପରାରେ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀ ପରମ ଆରାଧ୍ୟା । ରତ୍ନ ବେଦୀରେ ଭାଇ ଭଉଣୀକୁ ସାଙ୍ଗରେ ନେଇ ବସିଛନ୍ତି କଳାଠାକୁର ଯାହା ଅକପଟ ସ୍ନେହ, ସୌହାର୍ଦ୍ଦ୍ୱର ପ୍ରତୀକ । ଶ୍ରୀମନ୍ଦିରର ସୋðନ୍ଦର୍ଯ୍ୟ ଶ୍ରୀ ଓ ଭକ୍ତି ମହାଲକ୍ଷ୍ମୀଙ୍କ ଦ୍ୱାରା ହିଁ ବୃଦ୍ଧି ପାଇଥାଏ । ଶ୍ରୀଲକ୍ଷ୍ମୀ ସଦାସର୍ବଦା ଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପଣ କରିଛନ୍ତି । ସେ ଭଗବାନଙ୍କ ଅନୁଗାମିନୀ ଓ ସେବାକାରିଣୀ ।
ଶ୍ରୀ ମନ୍ଦିରର ବିଭିନ୍ନ ପର୍ବପର୍ବାଣିରେ ମହାଲକ୍ଷ୍ମୀଙ୍କୁ ବିଶେଷ ଭୂମିକା ଦିଆଯାଇଥାଏ । ଦୋଳଯାତ୍ରାରେ ଦୋଳଗୋବିନ୍ଦଙ୍କ ସହ ମହାଲକ୍ଷ୍ମୀ ଦୋଳବେଦୀକୁ ବିଜେ କରିଥାନ୍ତି । ଚନ୍ଦନଯାତ୍ରାରେ ମଦନମୋହନଙ୍କ ସହିତ ମହାଲକ୍ଷ୍ମୀ ଜଳକ୍ରୀଡା କରିଥାନ୍ତି । ଶୀତଳଷଷ୍ଠୀରେ ଶିବବିବାହ ପରେ ପଞ୍ଚ ମହାଦେବ, ପାର୍ବତୀଙ୍କ ସହିତ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଆସିଥାନ୍ତି । ସେହିପରି ଭାଦ୍ରବ ଶୁକ୍ଳ ପଞ୍ଚମୀ ବା ଋଷି ପଞ୍ଚମୀରେ ମହାଲକ୍ଷ୍ମୀ ବ୍ରତ କରି ମାର୍କଣ୍ଡ ପୁଷ୍କରିଣୀରେ ସ୍ନାନ କରିଥାନ୍ତି । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ଋକ୍ମିଣୀ ବିବାହ ଅନୁଷ୍ଠିତ ହୁଏ । ପ୍ରଭୁଙ୍କ ସହିତ ମହାଲକ୍ଷ୍ମୀଙ୍କର ବିବାହ ସମ୍ପନ୍ନ ହୁଏ । ପୁଷ୍ୟାଭିଷେକରେ ପ୍ରଭୁଙ୍କ ସହିତ ମହାଲକ୍ଷ୍ମୀଙ୍କର ଅଭିଷେକ ହୋଇଥାଏ । ଶୁକ୍ଳ ଦଶମୀରେ ସୁଦଶା ବ୍ରତ, ଏକାଦଶୀରେ ଲକ୍ଷ୍ମୀ ନାରାୟଣ ବ୍ରତ ଏହିପରି ଅନେକ ବ୍ରତ ପାଳନ କରାଯାଇଥାଏ । ଲକ୍ଷ୍ମୀ ପାକ କଲେ ଜଗନ୍ନାଥ ଭୋଜନ କରନ୍ତି । ହେଲେ ରଥଯାତ୍ରାରେ ମହାଲକ୍ଷ୍ମୀ ସମ୍ପୂର୍ଣ୍ଣ ଅବହେଳିତ ହୋଇଥିବାରୁ ମା’ ଲକ୍ଷ୍ମୀଙ୍କୁ ନେଇ ହେରାପଞ୍ଚମୀ ଦିନ ଏକ ଅନନ୍ୟ ଯାତ୍ରା ଅନୁଷ୍ଠିତ ହୋଇଥାଏ, ଯାହା ଶ୍ରୀଜଗନ୍ନାଥ ଓ ମହାଲଷ୍ମୀଙ୍କର ମାନବୀୟ ଲୀଳାର ଅଂଶବିଶେଷ ।
ମହାପ୍ରଭୁ ଗୋଟିଏ ଦିନ ଭାଇଭଉଣୀକୁ ନେଇ ଗୁଣ୍ଡିଚା ବୁଲି ଆସିବେ କହି ପାଞ୍ଚଦିନ ହେଲା ମନ୍ଦିରକୁ ଫେରି ନ ଥିବାରୁ ଭକ୍ତଶୂନ୍ୟ ଲାଗେ ଆନନ୍ଦବଜାର, ପ୍ରାଣହୀନ ଲାଗେ ଶ୍ରୀମନ୍ଦିର । ତେଣୁ ମା’ ଲଷ୍ମୀ ମା’ ବିମଳାଙ୍କ ପରାମର୍ଶ ନେଇ ତାଙ୍କ ପ୍ରଦତ୍ତ ମୋହଚୂର୍ଣ୍ଣ ନେଇ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ସେହି ଯାତ୍ରା ହେରାପଞ୍ଚମୀ ନାମରେ ନାମିତ । ଏହା ଏକ ଉପଯାତ୍ରା ହୋଇଥିଲେ ମଧ୍ୟ ଏହାକୁ ହେରାପଞ୍ଚମୀ ଯାତ୍ରା କୁହାଯାଏ । ନିଜର ପ୍ରାଣପ୍ରିୟା ମହାଲକ୍ଷ୍ମୀଙ୍କୁ ନ ନେଇ ଅବହେଳା କରିଥିବାରୁ ମହାଲକ୍ଷ୍ମୀ ବିମଳାଙ୍କ ପରାମର୍ଶ ଲୋଡିଥାନ୍ତି । ମା’ ବିମଳାଙ୍କ ଠାରୁ ଠାକୁରଙ୍କୁ ବଶୀକରଣ ପାଇଁ ମୋହଚୂର୍ଣ୍ଣ ନେଇ ଆଷାଢ଼ ଶୁକ୍ଲ ଷଷ୍ଠୀ, ରଥଯାତ୍ରାର ପଞ୍ଚମ ଦିବସରେ ହେରାପଞ୍ଚମୀ ତିଥିରେ ଶ୍ରୀମନ୍ଦିରର ଭଣ୍ଡାର ଘରୁ ମହାଲକ୍ଷ୍ମୀଙ୍କ ବିଜେ ପ୍ରତିମାଙ୍କୁ ବିମାନରେ ବସାଇ ରାତ୍ରି କାଳରେ ଛତି, କାହାଳୀ ଘଣ୍ଟ ବାଦ୍ୟ ସହ ସିଂହଦ୍ୱାର ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଯାତ୍ରା କରଥାନ୍ତି ।
ହେରା ପଞ୍ଚମୀ ଦିନ ଜଗନ୍ନାଥଙ୍କ ରଥ ନିକଟରେ ମହାଲକ୍ଷ୍ମୀ ପତି ମହାପାତ୍ର ଆଳତୀ, ପ୍ରସାଦ ଲାଗି ଓ ବନ୍ଦାପନା କରିଥାନ୍ତି । ଗୁଣ୍ଡିଚା ମନ୍ଦିରର ଜୟ ବିଜୟ ଦ୍ୱାର ନିକଟରେ ପହଞ୍ଚିଲେ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଅର୍ପଣ କରାଯାଏ । ଏହି ସମୟରେ ପୂଜାପଣ୍ଡା ଆଡପ ମଣ୍ଡପରେ ଶ୍ରୀଜିଉମାନଙ୍କର ପୂଜା ବଢ଼ାଇ ଓ ଧୂପ ଦୀପ ଦେଇ ଭୋଗଲାଗି ଟେରା ପକାଇ ଦଅନ୍ତି ।
ମହାଲକ୍ଷ୍ମୀ ଜଗନ୍ନାଥଙ୍କର ଦର୍ଶନ ନ ପାଇ କ୍ରୋଧ ଓ ଅପମାନରେ ମୋହଚୂର୍ଣ୍ଣ ତନ୍ତ୍ର ପକାଇ ଗୁଣ୍ଡିଚା ମନ୍ଦିରରୁ ବାହାରି ଆସନ୍ତି । ଅଭିମାନରେ ରୋଷ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ମହାଲକ୍ଷ୍ମୀଙ୍କ ତରଫରୁ ଜଣେ ସେବକ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦିଅନ୍ତି । କାଳେ ଏକଥା କିଏ ଜାଣିବ ସେଥିପାଇଁ ମହାଲକ୍ଷ୍ମୀ ବିମାନରେ ଆଉ ବଡଦାଣ୍ଡକୁ ନ ଆସି ଲୁଚି ଲୁଚି ହେରାଗୋହିରୀ ସାହି ବାଟ ଦେଇ ଶ୍ରୀମନ୍ଦିରକୁ ଲେଉଟି ଆସନ୍ତି ଏବଂ ଶ୍ରୀଜଗନ୍ନାଥଙ୍କ ଫେରିବା ବାଟକୁ ପ୍ରତୀକ୍ଷା କରିଥାନ୍ତି । ଲକ୍ଷ୍ମୀ ରୋଷ ହୋଇ ଫେରିଯିବାର ଶୁଣି ରଥକୁ ଦକ୍ଷିଣୀ ମୋଡ ଅର୍ଥାତ୍ ସିଂହଦ୍ୱାର ପଟୁ ବୁଲାଯାଇ ନାକଚଣା ଦ୍ୱାର ପଟକୁ ରଥକୁ ବୁଲାଯାଏ । ଏହାଦ୍ୱାରା ପତି ମହାପାତ୍ର ସୂଚାଇ ଦିଅନ୍ତି ମହାପ୍ରଭୁ ଶୀଘ୍ର ଶ୍ରୀମନ୍ଦିରକୁ ଫେରିଯିବେ ।
ହେରା ପଞ୍ଚମୀ ଏହି ଦାମ୍ପତ୍ୟ ଅଭିମାନ ଓ କଳହର ଏକ ପ୍ରତୀକ । ଅର୍ଥାତ୍ ଯେଉଁଠି ଦାମ୍ପତ୍ୟ ଜୀବନ ଅଛି ସେଠି କଳହ, ଅଭିମାନ ଓ ମାନଭଞ୍ଜନର ଉଦାହରଣ ବି ରହିଛି ।




