ପୁରା ଗାଁର ବାସିନ୍ଦା ଜଣେ
ଆମେରିକାର ନେବ୍ରାସ୍କା ଅଞ୍ଚଳରେ ଅବସ୍ଥିତ ‘ମୋନୋୱି ’ ନାମକ ଏକ ବିଚିତ୍ର ଗାଁରେ ମାତ୍ର ଜଣେ ହେଲେ ବାସିନ୍ଦା ରହୁଥିବା ବେଳେ ୮୪ ବର୍ଷୀୟା ଏଲସି ଆଇଲର ଏହି ଗାଁର ଏକମାତ୍ର ନାଗରିକ ଭାବେ ସମସ୍ତ ପ୍ରଶାସନିକ ଓ ବ୍ୟବସାୟିକ ଦାୟିତ୍ୱ ତୁଲାଉଛନ୍ତି । ସେ ଏକାଧାରରେ ଏହି ଗାଁର ମେୟର, ଟାଉନ୍ କ୍ଲର୍କ, ଟ୍ରେଜରର, ସେକ୍ରେଟାରୀ, ବାର୍ ମାଲିକାଣୀ ଏବଂ ଲାଇବ୍ରେରିଆନ୍ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୩ ମସିହାରେ ସ୍ୱାମୀ ରୁଡିଙ୍କ ବିୟୋଗ ପରଠାରୁ ସେ ଏଠାରେ ଏକାକୀ ରହିଆସୁଛନ୍ତି । ଗାଁର ନିୟମ ଅନୁସାରେ ପ୍ରତିବର୍ଷ ସେ ନିଜେ ନିଜର ମଦ ଲାଇସେନ୍ସ ଜାରି କରି ସେଥିରେ ଦସ୍ତଖତ କରନ୍ତି, ଗାଁର ସରକାରୀ କାମ ବୁଝନ୍ତି ଏବଂ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକୀୟ ସେବା ଯୋଗାଇ ଦିଅନ୍ତି । ୧୯୭୧ ମସିହାରୁ ସେ ଏଠାରେ ଏକ ବାର୍ ଚଲାଉଥିବା ବେଳେ ଆଖପାଖ ଅଞ୍ଚଳରୁ ପ୍ରତିଦିନ ପ୍ରାୟ ୫୦ ଜଣ ଗ୍ରାହକ ଖାଇବା-ପିଇବା ପାଇଁ ଆସିଥାନ୍ତି । ୨୦୦୫ ମସିହାରେ ସେ ନିଜ ସ୍ୱାମୀଙ୍କର ୫ ହଜାର ବହିକୁ ନେଇ ଗାଁରେ ଏକ ଲାଇବ୍ରେରୀ ମଧ୍ୟ ଆରମ୍ଭ କରିଥିଲେ । ଗିନିଜ୍ ୱାର୍ଲ୍ଡ ରେକର୍ଡସ ଅନୁଯାୟୀ, ମୋନୋୱି ହେଉଛି ବିଶ୍ୱର ସବୁଠାରୁ କମ୍ ଜନସଂଖ୍ୟା ବିଶିଷ୍ଟ ଇନକର୍ପୋରେଟେଡ୍ ଟାଉନ୍, ଏବଂ ଏଲସିଙ୍କ କହିବା ଅନୁଯାୟୀ ମୋନୋୱି ହିଁ ତାଙ୍କର ଘର ଓ ସେ ଏଠାରେ ଅତ୍ୟନ୍ତ ଖୁସିରେ ଅଛନ୍ତି ।




