ଧୀରେ ଧୀରେ ଘୂରୁଛି ପୃଥିବୀ

ଧୀରେ ଧୀରେ ଘୂରୁଛି ପୃଥିବୀ
Ipsita Picture
By: Ipsita
Published On

 

ଜଳବାୟୁ ପରିବର୍ତ୍ତନ ପୃଥିବୀକୁ ଅନେକ ଦିଗରୁ ପ୍ରଭାବିତ କରୁଥିବା ବେଳେ ଏହା ଏବେ ଗ୍ରହର ଆବର୍ତ୍ତନ ଗତିକୁ ମଧ୍ୟ ମନ୍ଥର କରିଦେଉଛି ବୋଲି ଜଣାପଡିଛି । ଯାହାଫଳରେ ପୃଥିବୀରେ ଦିନର ଅବଧି ଧୀରେ ଧୀରେ ବୃଦ୍ଧି ପାଉଛି ବୋଲି 'ଫୋର୍ବସ'ର ଏକ ନୂତନ ରିପୋର୍ଟରୁ ପ୍ରକାଶ ପାଇଛି । ୟୁନିଭର୍ସିଟି ଅଫ୍ ଭିଏନା ଏବଂ ଇଟିଏଚ୍ ଜ୍ୟୁରିକ୍ର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ଅନୁଯାୟୀ, ବର୍ତ୍ତମାନ ପୃଥିବୀରେ ଦିନର ସମୟ ସୀମା ପ୍ରତି ଶତାବ୍ଦୀରେ ପ୍ରାୟ ୧.୩୩ ମିଲିସେକେଣ୍ଡ୍ ହାରରେ ବଢ଼ିବାରେ ଲାଗିଛି । ଏହାର ମୂଳ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗ୍ଲେସିୟର ଏବଂ ମେରୁ ଅଞ୍ଚଳର ବରଫ ସ୍ତର ତରଳି ସମୁଦ୍ର ପତ୍ତନ ବୃଦ୍ଧି ପାଇବା । ବରଫ ତରଳିବା ଯୋଗୁଁ ମେରୁ ଅଞ୍ଚଳର ପାଣି ମହାସାଗର ଆଡ଼କୁ ଗତି କରୁଛି, ଯାହା ପୃଥିବୀର ସାମଗ୍ରିକ ବସ୍ତୁତ୍ୱର ପୁନଃବିତରଣ କରୁଥିବା ବେଳେ ଏହି ପରିବର୍ତ୍ତନ ଯୋଗୁଁ ପୃଥିବୀ ବିଷୁବରେଖା ନିକଟରେ ସାମାନ୍ୟ ସ୍ଫୀତ ହୋଇ ନିଜ ଅକ୍ଷ ଚାରିପଟେ ଧୀରେ ଧୀରେ ଘୂରୁଛି । ଯଦିଓ ଏହି ସମୟ ପରିବର୍ତ୍ତନ ଅତି ସୂକ୍ଷ୍ମ, ତଥାପି ଏହା ସାଟେଲାଇଟ୍ ନେଭିଗେସନ୍, ମହାକାଶ ଅଭିଯାନ ଏବଂ ବୈଶ୍ୱିକ ସମୟ ନିର୍ଦ୍ଧାରଣ ପ୍ରଣାଳୀ ଭଳି ସୂକ୍ଷ୍ମ ବ୍ୟବସ୍ଥା ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିପାରେ । ଯାହା ସମ୍ପୂର୍ଣ୍ଣ ଭାବେ ପୃଥିବୀର ସଠିକ ଆବର୍ତ୍ତନ ଉପରେ ନିର୍ଭରଶୀଳ। ଜର୍ଣ୍ଣାଲ ଅଫ୍ ଜିଓଫିଜିକାଲ ରିସର୍ଚ୍ଚ ସଲିଡ୍ ଆର୍ଥରେ ପ୍ରକାଶିତ ଏହି ଅଧ୍ୟୟନ ପାଇଁ ବୈଜ୍ଞାନିକମାନେ ସମୁଦ୍ର ଶଯ୍ୟାରେ ରହୁଥିବା ଏକକୋଷୀ ସାମୁଦ୍ରିକ ଅଣୁଜୀବ 'ବେନ୍ଥିକ୍ ଫୋରାମିନିଫେରା'ର ଜୀବାଶ୍ମ ଏବଂ ଆଡଭାନ୍ସଡ୍ ମେସିନ୍ ଲର୍ଣ୍ଣିଂ କୌଶଳ ବ୍ୟବହାର କରି ଗତ ୩୬ ଲକ୍ଷ ବର୍ଷର ଦିନର ଅବଧିକୁ ପୁନର୍ନିର୍ମାଣ କରିଛନ୍ତି । ଯେଉଁଥିରୁ ଜଣାପଡ଼ିଛି ଯେ ୩୬ ଲକ୍ଷ ବର୍ଷ ମଧ୍ୟରେ କେବେ  ବି ଜଳବାୟୁ ଜନିତ କାରଣରୁ ଦିନର ଅବଧି ଏତେ ଦ୍ରୁତ ଗତିରେ ବଢ଼ି ନଥିଲା ଯେପରି ୨୦୦୦ ରୁ ୨୦୨୦ ମସିହା ମଧ୍ୟରେ ରେକର୍ଡ କରାଯାଇଛି । ସାଧାରଣତଃ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥିବୀର ଆବର୍ତ୍ତନ ଗତିକୁ ଧୀମା କରିବାର ମୁଖ୍ୟ ଦୀର୍ଘକାଳୀନ କାରକ ହୋଇ ରହିଆସିଛି । କିନ୍ତୁ ଏହି ଗବେଷଣା ଚେତାବନୀ ଦେଇଛି ଯେ ଯଦି ୨୧ତମ ଶତାବ୍ଦୀରେ ଗ୍ରୀନଲ୍ୟାଣ୍ଡ, ଆଣ୍ଟାର୍କଟିକା ଏବଂ ପାର୍ବତ୍ୟ ଗ୍ଲେସିୟରଗୁଡ଼ିକ ଏହିଭଳି ଦ୍ରୁତ ଗତିରେ ତରଳିବା ଜାରି ରହେ, ତେବେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚନ୍ଦ୍ରର ପ୍ରଭାବକୁ ମଧ୍ୟ ଟପିଯାଇପାରେ ।

Tags: