କୁକୁର ପଢୁଛି ପାଠ
ଚୀନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ନିଜ ପୋଷା କୁକୁରର ପାଠପଢ଼ା ଏବଂ ତାଲିମ ପାଇଁ ପ୍ରତିମାସରେ ପ୍ରାୟ ୧.୬ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି । ଚୀନର ବାସିନ୍ଦା ଟାଓଟାଓ ନାମକ ଜଣେ ମହିଳା ନିଜ ଅଫିସ କାମରେ ଅତ୍ୟଧିକ ବ୍ୟସ୍ତ ରହୁଥିବାରୁ, ନିଜର ୬ ମାସର ସାମୋଏଡ୍ ପ୍ରଜାତିର କୁକୁରକୁ ଏକ ‘ଡଗ୍ କିଣ୍ଡରଗାର୍ଟେନ’ ବା ଶ୍ୱାନ ବିଦ୍ୟାଳୟରେ ଭର୍ତ୍ତି କରିଛନ୍ତି । ଏହି ସ୍ୱତନ୍ତ୍ର ବିଦ୍ୟାଳୟରେ କୁକୁରମାନଙ୍କୁ ଶିଷ୍ଟାଚାର, ସାମାଜିକ ବ୍ୟବହାର ଏବଂ ଶୃଙ୍ଖଳିତ ଜୀବନଶୈଳୀ ଶିଖାଯିବା ସହ ସେମାନଙ୍କର ବ୍ୟକ୍ତିତ୍ୱ ପରୀକ୍ଷା ମଧ୍ୟ କରାଯାଇଥାଏ । କେବଳ ସେତିକି ନୁହେଁ, ଏହି ଅନୁଷ୍ଠାନ ପକ୍ଷରୁ କୁକୁରମାନଙ୍କୁ ଘରୁ ଆଣିବା ଏବଂ ପୁଣି ଘରେ ଛାଡ଼ିବା ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । କୁକୁରଟି ଯେପରି ଅଯଥାରେ ନ ଭୁକେ ଏବଂ ନିଜର କ୍ରୋଧକୁ ନିୟନ୍ତ୍ରଣ କରିପାରେ, ସେଥିପାଇଁ ବିଶେଷଜ୍ଞଙ୍କ ଦ୍ୱାରା ‘ବିହେଭିୟର ଟ୍ରେନିଂ’ ବା ବ୍ୟବହାରିକ ଶିକ୍ଷା ପ୍ରଦାନ କରାଯାଉଛି । ବିଭିନ୍ନ କୁକୁରଙ୍କ ସ୍ୱଭାବ ଭିନ୍ନ ଭିନ୍ନ ହୋଇଥିବାରୁ ଏଠାରେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା ରହିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।



