ଶବକୁ କରାଯାଏ ୧୦୮ ଖଣ୍ଡ
ଅରୁଣାଚଳ ପ୍ରଦେଶର ମୋନ୍ପା ସମ୍ପ୍ରଦାୟରେ ଅନ୍ତିମ ସଂସ୍କାରର ଏକ ପ୍ରାଚୀନ ପରମ୍ପରା ରହିଆସିଛି । ଏହି ପରମ୍ପରାରେ ମୃତଦେହକୁ ୧୦୮ ଖଣ୍ଡ କରି ନଦୀରେ ଭସାଇ ଦିଆଯାଉଥିଲା, ଯାହାକୁ ମାଛ ଏବଂ ଅନ୍ୟାନ୍ୟ ଜଳଚର ଜୀବମାନେ ଆହାର ଭାବେ ଗ୍ରହଣ କରୁଥିଲେ । ମାନବ ଶରୀରକୁ ପ୍ରକୃତିକୁ ଫେରାଇ ଦେବାର ବିଶ୍ୱାସ ସହ ଜଡ଼ିତ ଏହି ରୀତିନୀତି ମୁଖ୍ୟତଃ ତୱାଙ୍ଗ ଅଞ୍ଚଳରେ ପ୍ରଚଳିତ ଥିଲା । ଯେଉଁଠାରେ 'ଥାମ୍ପା' ନାମକ ଜଣେ ବ୍ୟକ୍ତି ଶବକୁ ଲୋକଙ୍କଠାରୁ ଦୂରକୁ ନେଇ ଗୋଟିଏ ଗୋଟିଏ କରି ୧୦୮ ଖଣ୍ଡ ନଦୀରେ ପକାଉଥିଲେ । ବୌଦ୍ଧ ଧର୍ମରେ ୧୦୮ ସଂଖ୍ୟାର ବିଶେଷ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି । ଅବଶ୍ୟ ଏହି ସମ୍ପ୍ରଦାୟରେ ମୃତଦେହ ଦାହ କରିବା, କବର ଦେବା ଏବଂ ପକ୍ଷୀଙ୍କ ପାଇଁ ଖୋଲାରେ ଛାଡ଼ିଦେବାର ଅନ୍ୟାନ୍ୟ ପରମ୍ପରା ମଧ୍ୟ ରହିଛି । ତେବେ ସମୟ ସହ ଏହି ୧୦୮ ଖଣ୍ଡ କରିବାର ପ୍ରଥା ଧୀରେ ଧୀରେ ବନ୍ଦ ହୋଇଛି । ୨୦୧୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦୋର୍ଜୀ ଖାଣ୍ଡୁ ମଧ୍ୟ ଏହି ପ୍ରଥାକୁ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ନିବେଦନ କରିଥିଲେ। ଯାହା ଫଳରେ ଆଜି ଏହା ସମଗ୍ର ମୋନ୍ପା ସମ୍ପ୍ରଦାୟରେ ଏକ ସକ୍ରିୟ ପରମ୍ପରା ଭାବେ ଗ୍ରହଣ କରାଯାଉନାହିଁ ।




