ପର୍ବରେ ମହକିଥାଏ ପୁରପଲ୍ଲୀ
ଭାରତୀୟ ଗ୍ରୀଷ୍ମ ଋତୁ କେବଳ ପ୍ରଖର ରୌଦ୍ରତାପ କିମ୍ବା ଝାଞ୍ଜି ପବନର ସମୟ ନୁହେଁ, ବରଂ ଏହା ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ବପର୍ବାଣିର ଏକ ସୁୁନ୍ଦର ସମାହାର, ଯାହା ଆମ ସଂସ୍କୃତିକୁ ଆହୁରି ଜୀବନ୍ତ ଓ ରୁଦ୍ଧିମନ୍ତ କରିଥାଏ । ଏହି ଋତୁର ପ୍ରାରମ୍ଭରେ ଓଡ଼ିଶାରେ 'ପଣା ସଂକ୍ରାନ୍ତି' ବା ମହାବିଷୁବ ସଂକ୍ରାନ୍ତି ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୁଏ । ଯେଉଁଠାରେ ହନୁମାନଙ୍କ ଜନ୍ମୋତ୍ସବ ସହ ତୁଳସୀ ଚଉରା ମୂଳେ 'ବସୁନ୍ଧରା ଠେକି' ସ୍ଥାପନ କରାଯାଇ ଜଳଦାନର ମହାନ ପରମ୍ପରାକୁ ବଜାୟ ରଖାଯାଏ । ଏହି ଦିନ ବିଭିନ୍ନ ସମାଗ୍ରୀର ପଣାର ନୈବେଦ୍ୟ ଅର୍ପଣ କରାଯାଇ ଓଡ଼ିଆ ନୂତନ ବର୍ଷକୁ ସ୍ୱାଗତ କରାଯାଏ । ଏହା ପରେ ପରେ ଆସେ 'ଅକ୍ଷୟ ତୃତୀୟା', ଯାହା କୃଷକମାନଙ୍କ ପାଇଁ ଅଖିମୁଠି ଅନୁକୂଳର ଶୁଭ ଅବସର ହୋଇଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଶୁଭାରମ୍ଭ ମଧ୍ୟ ଏହି ପବିତ୍ର ତିଥିରୁ ହିଁ ହୋଇଥାଏ । ଗ୍ରୀଷ୍ମର ସବୁଠାରୁ ଶୀତଳ ଓ ଦୀର୍ଘ ପର୍ବ ହେଉଛି 'ଚନ୍ଦନ ଯାତ୍ରା' । ଯେଉଁଠି ମହାପ୍ରଭୁଙ୍କୁ ଗ୍ରୀଷ୍ମର ଉତ୍ତାପରୁ ରକ୍ଷା କରିବା ପାଇଁ ସୁଗନ୍ଧିତ ଚନ୍ଦନ ଓ କର୍ପୂର ଲାଗି କରାଯାଇ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଓ ଚାପ ଖେଳ ମାଧ୍ୟମରେ ଜଳକ୍ରୀଡ଼ା କରାଯାଏ । ସେହିପରି ମା'ମାନଙ୍କର ପ୍ରିୟ ପର୍ବ 'ସାବିତ୍ରୀ ବ୍ରାତ'ରେ ସଧବା ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଗ୍ରୀଷ୍ମଋତୁର ତାଜା ଫଳମୂଳ ଯଥା ଆମ୍ବ, ପଣସ ଓ ତାଳସଜ ଭୋଗ ଲଗାଇ ନିଷ୍ଠାର ସହ ବ୍ରତ ପାଳନ କରନ୍ତି । ଗ୍ରୀଷ୍ମର ପ୍ରକୋପ ଯେତେବେଳେ ଚରମ ସୀମାରେ ଥାଏ, ସେତେବେଳେ ପାଳନ ହୋଇଥାଏ 'ଶୀତଳ ଷଷ୍ଠୀ', ଯେଉଁଠାରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ . ଏହା ପରେ 'ରଜ ପର୍ବ' ଓଡ଼ିଶାର ଏକ ସ୍ୱତନ୍ତ୍ର କୃଷିଭିତ୍ତିକ ଉତ୍ସବ ବା ଗଣପର୍ବ । ଯେଉଁଠି ପୃଥିବୀ ମାଆଙ୍କୁ ବିଶ୍ରାମ ଦିଆଯାଏ ଏବଂ ପିଠାପଣା ଓ ଦୋଳିର ଆସରରେ ଧରଣୀ ସତେଜ ହୋଇଉଠେ । ଝିଅମାନଙ୍କ ଋତସ୍ରାବକୁ ଏହି ପର୍ବ ପ୍ରତିପାଦିତ କରିଥାଏ, ଯାହା ଓଡିଆ ପରମ୍ପରାର ଏକ ଅନନ୍ୟ ଦିଗ ଦର୍ଶାଇଥାଏ । ଶେଷରେ 'ଦେବସ୍ନାନ ପୂର୍ଣ୍ଣିମା'ରେ ମହାପ୍ରଭୁଙ୍କୁ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ଗ୍ରୀଷ୍ମର ଏହି ପାର୍ବଣ ଋତୁକୁ ଏକ ଆଧ୍ୟାତ୍ମିକ ଶୀର୍ଷରେ ପହଞ୍ଚାଯାଏ । ଏହି ସମସ୍ତ ପର୍ବର ରୀତିନୀତିରେ ଶୀତଳ ଖାଦ୍ୟ, ଜଳଦାନ ଏବଂ ପ୍ରାକୃତିକ ଉପଚାରକୁ ଅତ୍ୟଧିକ ପ୍ରାଧାନ୍ୟ ଦିଆଯାଏ, ଯାହା ମନୁଷ୍ୟକୁ ପ୍ରକୃତିର କଠୋରତା ସହିତ ତାଳମେଳ ରଖି ଜୀବନକୁ ଉପଭୋଗ କରିବା ପାଇଁ ଦୂରଦୃଷ୍ଟିସମ୍ପନ୍ନ ଓ ବୈଜ୍ଞାନିକ ପ୍ରୟାସ ହୋଇଥାଏ ।




