ଡାଇନୋସର ବିଲୁପ୍ତିର କାରଣ
ୟୁନିଭର୍ସିଟି ଅଫ୍ କାଲିଫର୍ନିଆ ଜଣେ ପଦାର୍ଥ ବିଜ୍ଞାନୀ ଡାଇନୋସର ବିଲୁପ୍ତିର କାରଣକୁ ନେଇ ଏକ ତତ୍ତ୍ୱ ଉପସ୍ଥାପନ କରିଛନ୍ତି ଯାହାଖୁବ ଚର୍ଚ୍ଚାରେ ରହିଛି । ତାଙ୍କ ତଥ୍ୟ ଅନୁସାରେ ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ଡାଇନୋସରମାନଙ୍କ ବିଲୁପ୍ତି ଘଟାଇଥିବା ବିଶାଳ ମହାକାଶ ପଥର ପଛରେ 'ନେମେସିସ୍' ନାମକ ସୂର୍ଯ୍ୟଙ୍କ ଏକ ଲୁକ୍କାୟିତ ଯମଜ ତାରାଙ୍କ ଭୂମିକା ଥାଇପାରେ । ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଏହି ରେଡ୍ ଡ୍ୱାର୍ଫ ତାରାଟି ସୂର୍ଯ୍ୟଙ୍କ ସହ ଏକ ସାଧାରଣ ମାଧ୍ୟାକର୍ଷଣ କେନ୍ଦ୍ର ଚାରିପଟେ ପରିକ୍ରମା କରୁଛି । ପ୍ରତି ୨୬ ନିୟୁତ ବର୍ଷରେ ସୌରଜଗତର ପ୍ରାନ୍ତରେ ଥିବା 'ଓର୍ଟ କ୍ଲାଉଡ୍' ନିକଟ ଦେଇ ଏହା ଗତି କରିବା ବେଳେ ପୃଥିବୀ ଆଡ଼କୁ ବହୁସଂଖ୍ୟକ ଧୂମକେତୁ ପଠାଇଥାଏ, ଯାହା ପ୍ରାୟ ଏକ ନିୟୁତ ବର୍ଷ ପର୍ଯ୍ୟନ୍ତ ଧୂମକେତୁ ବର୍ଷା ଓ ମହାବିପର୍ଯ୍ୟୟ ସୃଷ୍ଟି କରିପାରେ । ୧୯୮୨ ମସିହାର ଏକ ଅଧ୍ୟୟନ ଉପରେ ଆଧାରିତ ଏହି ତତ୍ତ୍ୱ ଅନୁସାରେ ପରବର୍ତ୍ତୀ ସମ୍ଭାବ୍ୟ ଧୂମକେତୁ ବର୍ଷା ପ୍ରାୟ ୧୨ ନିୟୁତ ବର୍ଷ ପରେ ଘଟିପାରେ । ଯଦିଓ ବର୍କେଲିର ଭୂତତ୍ତ୍ୱବିତ୍ ୱାଲ୍ଟର ଆଲଭାରେଜ୍ଙ୍କ ମତରେ ବର୍ତ୍ତମାନର ମେକ୍ସିକୋ ଅଞ୍ଚଳରେ ମାଡ଼ ହୋଇ ଡାଇନୋସରମାନଙ୍କୁ ନିଶ୍ଚିହ୍ନ କରିଥିବା ବସ୍ତୁଟି ଧୂମକେତୁ ଥିଲା ନା ଗ୍ରହାଣୁ ତାହା ବୈଜ୍ଞାନିକମାନେ ସ୍ପଷ୍ଟ କରିପାରି ନାହାନ୍ତି । ଅତି ଦୂରରେ, ଅତ୍ୟନ୍ତ କ୍ଷୀଣ ଏବଂ ଅନ୍ୟ ତାରାମାନଙ୍କ ଭିତରେ ଲୁଚି ରହିଥିବାରୁ ନେମେସିସ୍କୁ ଦେଖିବା କଷ୍ଟକର । ସେହିଭଳି ଏହି ତଥ୍ୟ ଉପରେ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଛିବୋଲି ମତ ପ୍ରକାଶ ପାଇଛି ।




